କରୋନା ପାଇଁ ଜୀବିକା ହରାଇଲେ ଡୁପ୍ଲିକେଟ୍ ସଚିନ

ବଲବୀରଙ୍କୁ ଭାଷ୍ୟକାର ବକ୍ସକୁ ଡାକିଥିଲେ ଗାଭାସ୍କର

ମୁମ୍ବାଇ : ପଞ୍ଜାବର ସାହଲନ୍ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବଲବୀର ଚାନ୍ଦଙ୍କର ଡୁପ୍ଲିକେଟ୍ ସଚିନ ତେନ୍ଦୁଲକର ଭାବେ ଢେର ସମ୍ମାନ ଥିଲା। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟୋବୃଦ୍ଧ ପର୍ଯ୍ୟନ୍ତ ତାଙ୍କ ଦସ୍ତଖତ ନେବାକୁ ସମସ୍ତେ ଯେମିତି ପାଗଳ ଭଳି ହୋଇଯାଉଥିଲେ। ଏବେ କିନ୍ତୁ ତାଙ୍କ ଉପରେ ଦୁଃଖର ପାହାଡ଼ ଖସିପଡ଼ିଛି। କରୋନା ମହାମାରୀ ପାଇଁ ବଲବୀରଙ୍କ ପୁରୁଣା ଲୋକପ୍ରିୟତା କମିଯାଇଛି। ତା’ଠାରୁ ବଡ଼ କଥା ହେଲା ଏହି ଅଦିନିଆ ଓ ଅପ୍ରତ୍ୟାଶିତ ଚଡ଼କ ପାଇଁ ସେ ମଧ୍ୟ ଜୀବିକା ହରାଇଛନ୍ତି। ସଚିନ ଖେଳୁଥିଲା ବେଳେ ବଲବୀର ତାଙ୍କ ନକଲ ଭାବେ ବହୁ ବିଜ୍ଞାପନରେ ଅଭିନୟ କରିଛନ୍ତି। ଏପରିକି ତାଙ୍କୁ ମଧ୍ୟ ମୁମ୍ବାଇର ଏକ ଫାଷ୍ଟ ଫୁଟ୍ ରେଷ୍ଟୁରାଣ୍ଟ ନିଜ ବ୍ରାଣ୍ଡ ଆମ୍ବାସାଡାର ବା ଦୂତ ନିଯୁକ୍ତ କରିଥିଲା। କରୋନା ମହାମାରୀ ପାଇଁ ସଂପୃକ୍ତ ରେଷ୍ଟୁରାଣ୍ଟ ବନ୍ଦ ରହିଥିବାରୁ ବଲବୀର ଚାକିରି ହରାଇଛନ୍ତି। ଚଳିତ ମାସ ପ୍ରାରମ୍ଭରେ ସେ ନିଜ ରାଜ୍ୟ ପଞ୍ଜାବକୁ ଫେରିଯାଇଥିଲେ। ପଞ୍ଜାବରେ ପହଞ୍ଚିଲା ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଏଥିନେଇ ‌ବଲବୀର କହିଛନ୍ତି ଯେ ମୋ ନିଯୁକ୍ତି ଦାତା ‘ଗୋଲି ବଡ଼ା ପାଓଁ’ କରୋନା ପାଇଁ ବହୁତ କ୍ଷତି ସହିଲେ। ସେଥିପାଇଁ କିଛି କର୍ମଚାରୀଙ୍କୁ ଛଟେଇ କରିଦେଲେ। ମୋତେ ମଧ୍ୟ ଚାକିରି ଛାଡ଼ିବାକୁ ସେମାନେ କହିଲେ। ଅବଶ୍ୟ ସ୍ଥିତି ସୁଧୁରିଲା ପରେ ମୁଁ ପୁଣି କାର୍ଯ୍ୟରେ ଯୋଗଦେଇ ପାରିବି ବୋଲି ସେମାନେ ଆଶ୍ବାସନା ଦେଇଛନ୍ତି। ୫୦ ବର୍ଷୀୟ ବଲବୀର ନିଜ ପରିବାର ସହ ସଂପ୍ରତି ପଞ୍ଜାବର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ବଲବୀରଙ୍କୁ ଭାଷ୍ୟକାର ବକ୍ସକୁ ଡାକିଥିଲେ ଗାଭାସ୍କର
ସଚିନଙ୍କ ସହ ଭେଟିବାର ଅଭିଜ୍ଞତାକୁ ବର୍ଣ୍ଣନା କରି ବଲବୀର କହିଛନ୍ତି ଯେ ୧୯୯୯ ମସିହାରେ ଭାରତ ଏକ ଟେଷ୍ଟ୍ ମ୍ୟାଚ୍ ଖେଳୁଥିଲା ବେଳେ କିଂବଦନ୍ତି କ୍ରିକେଟର ସୁନିଲ ଗାଭାସ୍କର ମୋତେ ଭାଷ୍ୟକାର ବକ୍ସକୁ ଡାକିଥି‌ଲେ। ଏହା ପରେ ସେମାନେ ମୋତେ ସଚିନଙ୍କ ସହ ଭେଟ କରିବା ଲାଗି ତାଜ୍ ହୋଟେଲକୁ ନେଇଥିଲେ। ମୁଁ ମୋ ସହ ନେଇଥିବା ୬ଟି ଫଟୋଗ୍ରାଫରେ ତାଙ୍କ ଦସ୍ତଖତ ମାଗିଥିଲି। ସେ ଯେତେବେଳେ ଫଟୋଗୁଡ଼ିକରେ ଦସ୍ତଖତ କରିବାରେ ବ୍ୟସ୍ତ ଥିଲେ, ସେତେବେଳେ ମୁଁ କହିଥିଲି ସେଗୁଡ଼ିକ ମୋ ଫଟୋ, ଆପଣଙ୍କର ନୁହେଁ। ହଠାତ୍ ସେ ଏକଥା ବୁଝିପାରିନଥିଲେ, ପରେ ହସି ଦେଇ ମୋତେ ଫଟୋଗୁଡ଼ିକ ବଢ଼ାଇ ଦେଇଥିଲେ। ସେବେ‌ଠାରୁ ବଲବୀର ସଚିନଙ୍କ ବଡିଡବଲ୍ ଭାବେ ଏମଆରଏଫ୍, ତୋଷିବା, ରେନୋଲ୍ଡସ ଓ ଟିଭିଏସ୍ ଭଳି କଂପାନିର ବିଜ୍ଞାପନରେ ଅଭିନୟ କରିସାରିଛନ୍ତି। ତାଙ୍କୁ ମଧ୍ୟ କିଛି ବଲିଉଡ୍ ଚଳଚ୍ଚିତ୍ରରେ ସଚିନଙ୍କ ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ମୁମ୍ବାଇରେ ବିଭିନ୍ନ ମଲ୍ ଓ ଦୋକାନ ଉଦ୍‌ଘାଟନ ବେଳେ ସେ ହିଁ ମୁଁ ଆକର୍ଷଣ ପାଲଟୁଥିଲେ। ଏପରିକି ରାଜନୈତିକ ଦଳ ନିଜ ନିର୍ବାଚନ ପ୍ରଚାରରେ ବଲବୀରଙ୍କୁ ନେବା ଲାଗି ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ନିର୍ବାଚନ ପ୍ରଚାର ବେଳେ ସେ ଭାରତୀୟ ଦଳର ନୀଳ ଜର୍ସି ପିନ୍ଧି ଯାଉଥିଲେ। ତାଙ୍କୁ ଦେଖିବାକୁ ହଜାର ହଜାର ଲୋକ ରୁଣ୍ଡ ମଧ୍ୟ ହେଉଥିଲେ। ସେହି ପୁରୁଣା ଦିନକୁ ମନେ ପକାଇ ବଲବୀର କହିଛନ୍ତି, ‘‘ସଚିନ ଜୀଙ୍କ ପାଇଁ ମୋତେ ବହୁତ ପ୍ରସିଦ୍ଧି ଓ ଲୋକପ୍ରିୟତା ମିଳିଥିଲା। ହେଲେ ସେତେ ଅର୍ଥ ମିଳି ନଥିଲା। ମୁଁ ଗୀତ ଲେଖିବା ସହ ଏହାର ସଂଗୀତ ନିର୍ଦେଶନା ମଧ୍ୟ ଦେଇପାରେ। ଏବେ ମୁଁ ମୋ ନିଜ ପ୍ରତିଭାର ସୁବିନିଯୋଗ କରିବାକୁ ଚେଷ୍ଟା କରିବି। ଆଶା କରୁଛି ମୁଁ ମୋ ଚାକିରି ଫେରିପାଇବି ଏବଂ ଲୋକମାନେ ମୋତେ ପୁଣି ଥରେ ଭଲ ପାଇବା ଦେବେ’’।

ସମ୍ବନ୍ଧିତ ଖବର