ଶତକରୁ ବଞ୍ଚିତ ରହି ବି ଖୁସି ଥିଲେ ସଚିନ: ସେହବାଗ

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ବ୍ୟାଟର୍‌ ଶିଭମ ଦୁବେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଆଇପିଏଲ୍‌ ମ୍ୟାଚ୍‌ରେ ୯୫ ରନ୍‌ କରିଥିଲେ। ତାଙ୍କ ପାଖରେ ଶତକ ହାସଲର ସୁଯୋଗ ରହିଥିଲା। ଶେଷ ବଲ୍‌ରେ ଆଉଟ୍‌ ହେବା ପୂର୍ବରୁ ଶତକ ପୂରଣ ପାଇଁ ତାଙ୍କୁ ଏକ ଛକାର ଆବଶ୍ୟକତା ଥିଲା। ହେଲେ ସେ ଆଉଟ୍‌ ହୋଇଯାଇଥିଲେ। ସେ ଶତକରୁ ବଞ୍ଚିତ ରହିଥିଲେ ମଧ୍ୟ ତାଙ୍କ ଦଳ ସିଏସ୍‌କେ ମ୍ୟାଚ୍‌ ଜିତିଥିଲା। ପ୍ରତ୍ୟେକ କ୍ରିକେଟର୍‌ ଶତକ ହାସଲ କଲେ ଖୁବ୍‌ ଖୁସୀ ହୋଇଥାନ୍ତି। ହେଲେ ଶତକ ହାସଲ ଅପେକ୍ଷା ଯଦି ତାଙ୍କ ଦଳ ବିଜୟୀ ହୁଏ ତାହାଲେ ଖେଳାଳି ସନ୍ତୁଷ୍ଟ ହୋଇଥା’ନ୍ତି। ଯଦି ଜଣେ ଶତକ ହାସଲ କରିବ ଏବଂ ତାଙ୍କ ଦଳ ସେହି ମ୍ୟାଚ୍‌ ହାରିଯାଏ ତାହାଲେ ଶତକ ବୃଥା ଯାଇଥାଏ। ତେଣୁ ଦୁବେଙ୍କ ୯୫ ରନ୍‌ ପାଳିକୁ ପୂର୍ବତନ ଭାରତୀୟ ଓପ୍‌ନର ବୀରେନ୍ଦ୍ର ସେହବାଗ୍‌ ଶତକ ସହ ତୁଳନା କରିଛନ୍ତି। ତାଙ୍କ ପାଳିକୁ ଶତକଠୁ କିଛି ବି କମ୍‌ ଭାବେ ବିଚାର କରିବା କଥା ନୁହେଁ। ଏପରିକି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ଏକ ଘଟଣା ସଂପର୍କରେ ମଧ୍ୟ ଅବତାରଣା କରିଛନ୍ତି ସେହବାଗ୍‌। ସେହବାଗ୍‌ଙ୍କ କହିବା କଥା ହେଲା ଅଧିକାଂଶ ଖେଳାଳି ବହୁବାର ଶତକ ହାସଲ କରିଥିବା ମ୍ୟାଚ୍‌ ଭାରତ ହାରିଛି। ସଚିନ୍‌ ସେମାନଙ୍କ ମଧ୍ୟରୁ ଅନ୍ୟତମ। ସଚିନ୍‌ ଏକ ମ୍ୟାଚ୍‌ରେ ଶତକ ହାସଲ କରିଥିଲା ବେଳେ ଭାରତ ହାରିଥିଲା। କିନ୍ତୁ ୨୦୧୧ ବିଶ୍ବକପ୍‌ ସେମିଫାଇନାଲ୍‌ରେ ପାକିସ୍ତାନ ବିପକ୍ଷରେ ସେ ୮୫ ରନ୍‌ କରି ଆଉଟ୍‌ ହୋଇଥିଲା ବେଳେ ଭାରତ ବିଜୟୀ ହୋଇଥିଲା। ସଚିନ୍‌ ଶତକରୁ ବଞ୍ଚିତ ରହିଥିଲେ ମଧ୍ୟ ମ୍ୟାଚ୍‌ ଶେଷରେ ତାଙ୍କ ମୁହଁରେ ଆନନ୍ଦ ଭରିଯାଇଥିଲା। ଶତକରୁ ବଞ୍ଚିତ ଅପେକ୍ଷା ଦଳ ମ୍ୟାଚ୍‌ ଜିତିଥିବାରୁ ସଚିନ୍‌ ଖୁବ୍‌ ଖୁସୀ ଥିଲେ ବୋଲି ସେହବାଗ୍‌ କହିଛନ୍ତି। ସଚିନ୍‌ ମଧ୍ୟ ସେହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥି‌ଲେ। ସେହି ମ୍ୟାଚ୍‌ରେ ଭାରତୀୟ ଦଳର ସଦସ୍ୟ ଥିଲେ ସେହବାଗ୍‌। ଡ୍ରେସିଂ ରୁମ୍‌କୁ ଆସିଲା ବେଳେ ସେ ହସୁଥିବାର ଦେଖି ମୁଁ କାରଣ ପଚାରିଥିଲି। ସେ କହିଥିଲେ ‘‘ମୁଁ ଶତକ ହାସଲ କରିନପାରିବା ଖୁବ୍‌ ଭଲ ଥିଲା। କିଏ ଜାଣେ ଆମେ ମ୍ୟାଚ୍‌ ହାରିଯାଇଥା’ନ୍ତୁ’’ ବୋଲି ସଚିନ୍‌ କହିଥିବା କଥା ସେହବାଗ୍‌ ମନେ ପକାଇଥିଲେ।

ସମ୍ବନ୍ଧିତ ଖବର