ଯୁବ ବିଶ୍ବ ମୁଷ୍ଟିଯୁଦ୍ଧରେ ସଚିନଙ୍କୁ ସ୍ବର୍ଣ୍ଣ, ୮ ସ୍ବର୍ଣ୍ଣ ସହ ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ : ପୋଲାଣ୍ଡର କେଲସିରେ ଚାଲିଥିବା ଯୁବ ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତୀୟ ଯୋଦ୍ଧା ସଚିନ (୫୬ କେଜି) ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି। ଗୁରୁବାର ୭ ଭାରତୀୟ ମହିଳା ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲା ବେଳେ ଶୁକ୍ରବାର ପୁରୁଷ ବର୍ଗରେ ସଚିନ ଭାରତକୁ ଐତିହାସିକ ଅଷ୍ଟମ ସ୍ବର୍ଣ୍ଣ ଭେଟି ଦେଇଛନ୍ତି। ଫାଇନାଲ୍‌ରେ ସଚିନ ୪-୧ରେ କାଜାକସ୍ତାନର ୟେରବୋଲାତ୍‌ ସାବିରଙ୍କୁ ପରାସ୍ତ କରିଥିଲେ। ଏଥି ସହିତ ଭାରତ ମଧ୍ୟ ମୋଟ ୧୧ (୮ ସ୍ବର୍ଣ୍ଣ, ୩ କାଂସ୍ୟ) ପଦକ ସହିତ ବିଶ୍ବକପ୍‌ ଅଭିଯାନ ଶେଷ କରିଛି। ଗୀତିକା (୪୮ କେଜି), ବେବି ରୋଜିସାନା ଚ‌ାନୁ (୫୧ କେଜି), ପୁନମ୍‌ ପୂନିଆ (୫୭ କେଜି), ଭିନିକା (୬୦ କେଜି), ଅରୁନ୍ଧତୀ ଚୌଧୁରୀ (୬୯ କେଜି), ଥୋକ୍‌ଚୋମ୍‌ ସାନାମଚା ଚାନୁ (୭୫ କେଜି) ଓ ଆଲ୍‌ଫିଆ ପଠାନ (୮୧ କେଜି) ସ୍ବର୍ଣ୍ଣ ଜିତିଥିଲା ବେଳେ ଏସୀୟ ୟୁଥ୍‌ ରୌପ୍ୟ ବିଜେତା ଅଙ୍କିତ ନରୱାଲ (୬୪ କେଜି), ବିଶ୍ବମିତ ଚୋଙ୍ଗ୍‌ଥମ୍‌ (୪୯ କେଜି) ଓ ବିଶାଲ ଗୁପ୍ତା (୯୧ କେଜି) ପୁରୁଷ ବର୍ଗରେ ନିଜ ନିଜର ସେମିଫାଇନାଲ୍‌ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଭାରତ ମଧ୍ୟ ମୋଟଉପରେ ତାଲିକାରେ ଶୀର୍ଷ ସ୍ଥାନ ଅକ୍ତିଆର କରିଛି। ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହା ପୂର୍ବରୁ ୨୦୧୮ ବିଶ୍ବକପ୍‌ରେ ୨ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୬ କାଂସ୍ୟ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ସେହିପରି ୨୦୧୭ରେ ୫ ସ୍ବର୍ଣ୍ଣ ଶ୍ରେ‌ଷ୍ଠ ପ୍ରଦର୍ଶନ ରହିଥିଲା। ଚଳିତ ବିଶ୍ବକପ୍‌ରେ ଭାରତର ୨୦ ଜଣିଆ (୧୦ ଲେଖାଏଁ ପୁରୁଷ ଓ ମହିଳା) ଦଳ ଅଂଶଗ୍ରହଣ କରିଥିଲା। ବିଶ୍ବକପ୍‌ରେ ମୋଟ ୫୨ ଦେଶର ୪୧୪ ଯୋଦ୍ଧା ପ୍ରତିଦ୍ବନ୍ଦ୍ବିତା କରିଥିଲେ।

ସମ୍ବନ୍ଧିତ ଖବର