ସଚ୍ଚିନ୍ଦ୍ରଙ୍କ ‘ମିସନ୍ ରିଓ ଡି ଜେନେଇରୋ’ ପୁସ୍ତକ ଉନ୍ମୋଚିତ
ଅଲିମ୍ପିକ୍ରେ କ୍ରୀଡ଼ାବିତ୍ ହେବାକୁ ଦେଖିଥିବା ସ୍ବପ୍ନ ଦର୍ଶକ ହୋଇ ପୂରଣ କଲି
ବ୍ରହ୍ମପୁର: ‘ପ୍ରତ୍ୟେକ କ୍ରୀଡ଼ାବିତ୍ଙ୍କ ଭଳି ମୁଁ ମଧ୍ୟ କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ରେ ନିଜ ଦେଶପାଇଁ ପ୍ରତିନିଧିତ୍ବ କରିବାକୁ ପିଲାଟି ଦିନରୁ ସ୍ବପ୍ନ ଦେଖିଥିଲି। ଏଥିପାଇଁ ସମସ୍ତ ଚେଷ୍ଟା ସତ୍ତ୍ବେ ଜଣେ ଖେଳାଳି ଭାବେ ଏହାକୁ ପୂରଣ କରିପାରିଲିନି। ପ୍ରଶିକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କରିବା ପରେ ବହୁ ଜାତୀୟ ତଥା ଅନ୍ତର୍ଜାତୀୟ ପଦକ ବିଜେତା ଖେଳାଳି ସୃଷ୍ଟି କଲି। ସେତେବେେଳ ଅଫିସିଆଲ୍ ଭାବେ ଅଲିମ୍ପିକ୍ ଯିବା କଥା ମନରେ ବସା ବାନ୍ଧିଥିଲା, କିନ୍ତୁ ସେଥିରେ ମଧ୍ୟ ସଫଳତା ମିଳିଲା ନାହିଁ। ଶେଷରେ ଜଣେ କ୍ରୀଡ଼ାବିତ୍ ଭାବେ ନୁହେଁ, ଜଣେ ଦର୍ଶକ ଭାବେ ମୋ ଦେଶ ପାଇଁ ଅଲିମ୍ପିକ୍ରେ ପ୍ରତିନିଧିତ୍ବ କରିବାରେ ସଫଳ ହେଲି। ୨୦୧୬ରେ ବ୍ରାଜିଲ୍ରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସ ମୋ ପାଇଁ ଏହି ସୌଭାଗ୍ୟ ଆଣି ଦେଇଥିଲା। ଆଉ ଏହି ଅଲିମ୍ପିକ୍ସର ସ୍ମୃତି ଓ ଅନୁଭୂତିକୁ ସାଉଁଟି ଲିପିବଦ୍ଧ କରି ଏକ ପୁସ୍ତକର ରୂପ ଦେଇଛନ୍ତି ବ୍ରହ୍ମପୁର ଷ୍ଟାଡ଼ିୟମ୍ର ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ସଚ୍ଚିନ୍ଦ୍ର ମାଝୀ। ‘ମିସନ୍ ରିଓ ଡି ଜେନେଇରୋ’ ନାମକ ଏହି ପୁସ୍ତକକୁ ଶୁକ୍ରବାର ଟୋକିଓ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବ ଅବସରରେ ପଦ୍ମଶ୍ରୀ ଦିଲୀପ ତିର୍କିଙ୍କ ଦ୍ବାରା ଲୋକାର୍ପିତ କରିଛନ୍ତି।
ଏହି ପୁସ୍ତକରେ ସେ କିଭଳି ଭାବେ ବାଲେଶ୍ବର ଜିଲ୍ଲା ସ୍କୁଲ୍ରେ ନବମ ଶ୍ରେଣୀ ପଢ଼ିବା ବେଳୁ ଖେଳ ଜୀବନ ଆରମ୍ଭ କରିଥିଲେ, ରାଜ୍ୟ ଏବଂ ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେଇ ପଦକ ହାସଲ କରିବା ସହ ଅଲିମ୍ପିକ ସ୍ବପ୍ନ ଦେଖିଥିଲେ, ସେ କଥା ବର୍ଣ୍ଣନା କରିଛନ୍ତି। ତାଙ୍କର ଅଲିମ୍ପିକ୍ ସ୍ବପ୍ନ ପୂରଣ ହୋଇପାରି ନଥିଲା, ପରେ ୧୯୯୦ ମସିହାରେ ଭାରୋତ୍ତୋଳନ ପ୍ରଶିକ୍ଷକ ଭାବେ ସରକାରୀ ନିଯୁକ୍ତି ପାଇ ଅଲିମ୍ପିକ୍ରେ ପହଁଚିଲା ଭଳି ଖେଳାଳି ସୃଷ୍ଟି କରିବାକୁ ଚେଷ୍ଟିତ ଥିଲି। ଏପରିକି ଜଣେ ଅଫିସିଆଲ୍ ଭାବେ ହେଉ ପଛେ, ଅଲିମ୍ପିକ୍ରେ ଭାଗ ନେବାକୁ ଥିବା ତାଙ୍କ ଇଚ୍ଛା ମଧ୍ୟ ଶେଷରେ ପୂରଣ ହୋଇନଥିଲା, ତାହା ବର୍ଣ୍ଣନା କରିଛନ୍ତି। ଶେଷରେ ନିଜସ୍ବ ଉଦ୍ୟମରେ ଦର୍ଶକ ଭାବେ ରିଓ ଅଲିମ୍ପିକ୍ରେ ଯୋଗ ଦେଇଥିଲେ। ୭ଟି ଭିନ୍ନ ଭିନ୍ନ ଇଭେଣ୍ଟ୍କୁ ଦର୍ଶକ ଗ୍ୟାଲେରିରୁ ଦେଖିବାର ଅନୁଭୂତି ସାଉଁଟିବା ସହ ନିଜ ଦେଶର ସଂସ୍କୃତି ପରମ୍ପରାର ପ୍ରଚାର ପ୍ରସାର କରିବା ପାଇଁ ସେଠାରେ କରିଥିବା ଛୋଟମୋଟ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଭାରତକୁ ଜାଣି ନଥିବା ବ୍ରାଜିଲ୍ର ପିଲାମାନଙ୍କୁ ସେ ଯେତେବେଳେ ନିଜ ଦେଶର ୨୦ ଟଙ୍କା ନୋଟ୍ ବାଣ୍ଟିଥିଲେ, ସେମାନେ ଗାନ୍ଧୀଙ୍କ ପ୍ରତିଛବି ଦେଖି ଚିହ୍ନି ନେବା ଏବଂ ଉତ୍ଫୁଲ୍ଲିତ ହେବା, ସେଠାର ବାସିନ୍ଦାମାନେ ବିଦେଶୀଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରୁଥିବା, ଦର୍ଶନୀୟ ସ୍ଥାନ ବୁଲି ଦେଖିବା, ବିଦେଶରେ ଥାଇ ନିଜ ଦେଶର ସ୍ବାଧୀନତା ଦିବସ ପାଳନ କରିବାର ନିଆରା ଅନୁଭୂତି ଗୁଡ଼ିକୁ ଏଥିରେ ଉଲ୍ଲେଖ କରିଛନ୍ତି। ଏହି ଗସ୍ତରେ ସ୍ମାର୍ଟଫୋନ୍ ତାଙ୍କର କିଭଳି ସବୁଠାରୁ ଭଲ ବନ୍ଧୁ ଥିଲା, ତାହା ଏହି ପୁସ୍ତକରେ ଲେଖିଛନ୍ତି।
ଟୋକିଓ ଅଲିମ୍ପିକ୍ରେ ଭାରତ ପାଇଁ ପ୍ରତିନିଧତ୍ବ କରି ପ୍ରଥମ ପଦକ (ରୌପ୍ୟ) ହାସଲ କରିଥିବା ଭାରୋତ୍ତୋଳିକା ମୀରା ବାଇ ଚାନୁଙ୍କ ଠାରୁ ସେ ସ୍ବର୍ଣ୍ଣପଦକ ଆଶା କରିଥିଲେ ବୋଲି କହିଛନ୍ତି। ତଥାପି ଅଲିମ୍ପିକ୍ ଭଳି ବିଶ୍ବ ପ୍ରତିଯୋଗିତାରେ ଦେଶ ପାଇଁ ପଦକ ଜିତିଥିବାରୁ ସେ ଶୁଭେଚ୍ଛା ଜଣାଇଛନ୍ତି।