୧୯୮୯, ନଭେମ୍ବର ୧୫ ତାରିଖରେ ପାକିସ୍ତାନ ବିପକ୍ଷରେ ସଚିନ ତେନ୍ଦୁଲକରଙ୍କୁ ଟେଷ୍ଟ ପଦାର୍ପଣ କରିଥିବା ଦେଖିଥିଲି। ସେ ଜଣେ ଚମତ୍କାର ଓ କୁଞ୍ଚିତ କେଶ ରଖିଥିବା ୧୬ ବର୍ଷିୟ ବାଳକ ଥିଲା ବେଳେ ଖୁବ୍ କମ୍ କଥାବାର୍ତ୍ତା କରୁଥିଲେ। ତେବେ ସଚିନ୍ଙ୍କ ବିଷୟରେ ଚନ୍ଦୁ ବୋର୍ଡେଙ୍କ ପ୍ରଶଂସା ପରଠୁ ସେ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଯାଇଥିଲେ। ସେତେବେଳେ ଚନ୍ଦୁଙ୍କ ଭଳି ଜଣେ ପୂର୍ବତନ ଅଧିନାୟକ ଭାରତୀୟ ଦଳର ପ୍ରବନ୍ଧକ ଥିବାବେଳେ ତାଙ୍କୁ ସଚିନ୍ଙ୍କ ଉପରେ ନଜର ରଖିବାକୁ କୁହାଯାଇଥିଲା। କାରଣ ସଚିନ୍ଙ୍କର ଶୋଇବା ପ୍ରବୃତ୍ତି ରହିଥିଲା। ତେବେ ସଚିନ୍ଙ୍କ ଉପରେ ଜାଣିବାକୁ ମୋର ବହୁତ ଆଗ୍ରହ ରହିଥିଲା। ଯେତେବେଳେ ତାଙ୍କୁ ୧୫ ବର୍ଷ ବୟସ ବି ହୋଇନଥିଲା ସେତେବେଳେ ବମ୍ବେ ସ୍କୁଲ୍ କ୍ରିକେଟ୍ ପ୍ରତିଯୋଗିତାରେ ବିନୋଦ କାମ୍ବଲିଙ୍କ ସହ ମିଶି ବିଶ୍ବ କୀର୍ତ୍ତିମାନ ଭାଗୀଦାରି କରିଥିଲେ। ଏହାପରଠୁ ତାଙ୍କୁ ସାରା ବିଶ୍ବରେ ଲୋକମାନେ ଧିରେଧିରେ ଜାଣିବା ଆରମ୍ଭ କରିଥିଲେ। ୧୬ ବର୍ଷ ବୟସରେ ପାଦ ଦେବା ଆଗରୁ ସେ ରଣଜୀ ଟ୍ରଫି, ଦଲୀପ ଟ୍ରଫି ଓ ଈରାନୀ ଟ୍ରଫି ପଦାର୍ପଣରେ ଶତକ ମାରିଥିଲେ। ଏହିଥିରୁ ହିଁ ତାଙ୍କ ପାଖରେ ଭରପୂର ପ୍ରତିଭା ଥିବା ଜଣାପଡ଼ିଥିଲା। କିନ୍ତୁ ସମାଲୋକମାନେ କୌଣସି କଥାକୁ ଶୀଘ୍ର ବିଶ୍ବାସ କରୁନଥିଲା ବେଳେ କ୍ୟାରିୟର ଶେଷ କରିଦେବା ଭଳି ଇଙ୍ଗିତ କରିଥା’ନ୍ତି। ବୋଧହୁଏ ଆରମ୍ଭରୁ ଏତେ ଚାପ ସମ୍ଭାଳିବାର ଦକ୍ଷତା ନଆସିବା କିମ୍ବା ପ୍ରତିଦ୍ବନ୍ଦ୍ବୀମାନଙ୍କ ଶୀଘ୍ର ଦୁର୍ବଳତା ଠାବ କରିବା ଦ୍ବାରା ଏପରି କିଛି ପ୍ରତିଭା ଆରମ୍ଭରୁ ମଉଳି ଯାଇଥା’ନ୍ତି। ସଚିନ୍ଙ୍କ ସହିତ ମଧ୍ୟ ଏଭଳି କିଛି ଘଟିଥିଲା। ଏବେ ୩୪ ବର୍ଷ ପରେ ସଚିନ୍ ଯେକୌଣସି ପ୍ରକାରର ପରିସ୍ଥିତିରୁ ମୁକୁଳିବା ଭଳି ଦକ୍ଷ ହୋଇଯାଇଛନ୍ତି। ତାଙ୍କର ପ୍ରଥମ ଶୃଙ୍ଖଳାରେ ଯାହା କରିଥିଲେ, ତାହା ପ୍ରଶଂସନୀୟ ଥିଲା। କିନ୍ତୁ ତାଙ୍କର ପୂରା କ୍ୟାରିୟର ଆହୁରି ଆକର୍ଷଣୀୟ ରହିଥିଲା।
ଲମ୍ବା ସମୟ ଧରି କ୍ରିକେଟ୍ ଖେଳୁଥିବା ଖେଳାଳି ଅନେକ ଅଛନ୍ତି, କିନ୍ତୁ ସଚିନ୍ଙ୍କ ଭଳି ଗୋଟିକ ପରେ ଗୋଟିଏ ମାଇଲ୍ଖୁଣ୍ଟ ସ୍ଥାପନ କରିବାରେ କେହି ବି ତାଙ୍କ ସମକକ୍ଷ ହୋଇପାରିବେନି। ତାଙ୍କର ଏହି ସଫଳତା ବିଭିନ୍ନ ଫର୍ମାଟ୍ରୁ ଆସିଥିଲା ବେଳେ ପରବର୍ତ୍ତୀ ପିଢି ପାଇଁ ତାହା ପ୍ରେରଣା ହୋଇରହିଯାଇଛି।
ଶତାବ୍ଦୀର ଏକ ଚତୁର୍ଥାଂଶ ସମୟରେ ବିଶ୍ବରେ ଅନେକ କିଛି ପରିବର୍ତ୍ତନ ହୋଇଛି। କିନ୍ତୁ ସଚିନ୍ଙ୍କ କ୍ରିକେଟ୍ ଦୁନିଆ ଉପରକୁ ଉପରକୁ ଯାଇଛି। ପ୍ରଶଂସକଙ୍କ ସଂଖ୍ୟା ବଢିବା ସହ ସମସ୍ତେ ସଚିନ୍ଙ୍କୁ ସେମାନଙ୍କ ହୃଦୟରେ ସ୍ଥାନ ଦେଇଥିଲେ। କମ୍ ବୟସରେ ସଚିନ୍ ଖେଳୁଥିବା ବେଳେ ଉତ୍ତେଜିତ ପ୍ରତିପକ୍ଷ ଖେଳାଳିମାନେ ତାଙ୍କଠୁ ଦ୍ବିଗୁଣା ଉଚ୍ଚର ହୋଇଥିଲେ ବି ତାହା ତାଙ୍କୁ ଭୟଭୀତ କରିନଥିଲା। ବରଂ ଖେଳ ପ୍ରତି ଅଧିକ ଯତ୍ନବାନ୍ ଓ ରକ୍ଷଣଶୀଳ କରାଇବାରେ ସହାୟତା କରିଥିଲା। ଏସବୁ ପ୍ରତିବନ୍ଧକକୁ ନିଜ ଦକ୍ଷତା ବଳରେ ସେ ଦୂରେଇ ଦେବାରେ ସିଦ୍ଧହସ୍ତ ହୋଇଯାଇଥିଲେ। ମଧ୍ୟକ୍ରମରେ ବ୍ୟାଟିଂ ପାଇଁ ଆସି ପ୍ରତିପକ୍ଷର ସବୁପ୍ରକାରର ଆକ୍ରମଣକୁ ସେ ପ୍ରତିହତ କରିପାରୁଥିଲେ। ଯେତେ ଅଧିକ ସେ ଖେଳୁଥିଲେ, ସେତେ ଅଧିକ ସଫଳତା ତାଙ୍କୁ ମିଳୁଥିଲା। ଯେଉଁଥିପାଇଁ ତାଙ୍କ ଖେଳ ସରିବା ପରେ ତାଙ୍କୁ ବିରଳଙ୍କ ମଧ୍ୟରେ ବିରଳର ଆଖ୍ୟା ମିଳୁଥିଲା।
ତାଙ୍କର ମହାନତା ଯୋଗୁଁ ଅନେକ କଷ୍ଟସାଧ୍ୟ ଆହ୍ବାନ ବି ତାଙ୍କ ପାଇଁ ସରଳ ହୋଇଯାଉଥିଲା। ଏତେବାଟ ଆସିବା ପାଇଁ ସ୍ଥିର ଲକ୍ଷ୍ୟ, କଠିନ ପରିଶ୍ରମ, ସଂପୂର୍ଣ୍ଣ ସମର୍ପିତ ଭାବକୁ ସାଙ୍ଗରେ ନେଇ ସଚିନ୍ ଧିରେଧିରେ ଆହୁରି ବିକଶିତ ହୋଇଛନ୍ତି। ତାଙ୍କର ଦମ୍ଦାର ପ୍ରଦର୍ଶନ ସାଙ୍ଗକୁ ଖେଳିବା ଶୈଳୀ ସମସାମୟିକଙ୍କ ମଧ୍ୟରେ ତାଙ୍କୁ ଆଗରେ ରଖୁଥିଲା। ବ୍ରାଏନ୍ ଲାରା, ରିକି ପଣ୍ଟିଂ, ଇଞ୍ଜାମାମ ଉଲ୍ ହକ୍, ଜାକ୍ସ କାଲିସ୍, ସେନ୍ ୱର୍ଣ୍ଣ, ମୁଥିଆ ମୁରଲୀଥରନ୍, ୱାସିମ୍ ଆକ୍ରମଙ୍କ ଭଳି ଖେଳାଳିମାନେ ବି ତାଙ୍କ ଆଗରେ ଗୌଣ ହୋଇଯାଇଥିଲେ। ଏପରିକି ଭାରତୀୟ କ୍ରିକେଟ୍ର ଟେଲିଭିଜନ୍ ଅଧିକାରର ଦାମ୍ ବଢାଇବାରେ ସଚିନ୍ ସବୁଠୁ ବଡ଼ ଅଂଶ ପାଲଟିଯାଇଥିଲେ। ଯାହାକି ଭାରତୀୟ କ୍ରିକେଟ୍ ବୋର୍ଡ ବିସିସିଆଇକୁ ଆର୍ଥିକ ଭାବେ ମଜବୁତ୍ କରିପାରିଥିଲା। ପୂର୍ବରୁ ଦୂରଦର୍ଶନ, କେବୁଲ ଟିଭି ଇତ୍ୟାଦିଙ୍କୁ ଏହାର ମ୍ୟାଚ୍ଗୁଡ଼ିକ ପ୍ରସାରଣ କରିବା ପାଇଁ ବିସିସିଆଇକୁ ଟଙ୍କା ଦେବାକୁ ପଡୁଥିଲା। କିନ୍ତୁ ସଚିନ୍ଙ୍କ ଆବିର୍ଭାବ ପରେ ଚ୍ୟାନେଲଗୁଡ଼ିକ ଏହି ଭାରତୀୟ ବୋର୍ଡକୁ କୋଟି କୋଟି ଟଙ୍କା ଦେଉଛନ୍ତି।
ଏହାକୁ ଦେଖିଲେ ମହାନ ବ୍ୟାଟରଙ୍କ ମଧ୍ୟରେ ସଚିନ୍ଙ୍କୁ କେଉଁସ୍ଥାନରେ ରଖାଯିବ ବୋଲି ପ୍ରଶ୍ନ ଉଠେ। ତାଙ୍କର ପିଲାଦିନର ହିରୋ ସୁନୀଲ ଗାଭାସ୍କର ଓ ଭିଭିଆନ୍ ରିଚାର୍ଡ୍ସଙ୍କଠୁ ସେ ଅଧିକ ଭଲ କି ନାହିଁ ବୋଲି ସବୁବେଳେ ପ୍ରଶ୍ନ ଉଙ୍କିମାରେ। ଏହି ଆଲୋଚନା ସବୁବେଳେ ହେଉଥିଲେ ବି ତାହାର କୌଣସି ନିର୍ଯାସ ବାହାରିପାରେନି। ସାର୍ ଡନ୍ ବ୍ରାଡମ୍ରାନ୍ଙ୍କୁ ବ୍ୟାଟିଂର ଭୀଷ୍ମ ପିତାମହ ବୋଲି କୁହାଯାଏ। ତେଣୁ ଯେତେବେଳେ ୧୯୯୮ ମସିହାରେ ବ୍ରାଡ୍ମ୍ୟାନ୍ ଏକ ସାକ୍ଷାତକାର ବେଳେ କହିଥିଲେ ଯେ, ସଚିନ୍ ତାଙ୍କୁ ତାଙ୍କ ବିଷୟରେ ଜଣାଇପାରିଥିଲେ, ସେତେବେଳେ ମହାନ ବ୍ୟାଟରଙ୍କୁ ନେଇ ରହୁଥିବା ଦ୍ବନ୍ଦ୍ବ ଫିକା ପଡିଯାଏ। ୨୦୧୩ରେ ସେ କ୍ରିକେଟ୍ ଦୁନିଆକୁ ଅଲ୍ବିଦା ଜଣାଇଥିଲେ। ଏହି ଘଟଣା ସେତେବେଳେ ସବୁ ଟିଭିଗୁଡ଼ିକରେ ପ୍ରମୁଖ ଖବର ହୋଇଯାଇଥାଏ। ଖେଳ ଛାଡ଼ିବାର ତିନିମାସ ପରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତ ରତ୍ନ ପୁରସ୍କାର ଦିଆଯାଇଥିଲା। ଏପରିକି ଭାରତର ସର୍ବଶ୍ରେଷ୍ଠ ବେସାମରିକ ପୁରସ୍କାର ପାଇବାରେ ସେ ସବୁଠୁ କମ୍ ବୟସ୍କ ହୋଇଥିଲେ। ସଚିନ୍ ଭାରତୀୟ କ୍ରିକେଟ୍ର ହୃତ୍ସ୍ପନ୍ଦନ ହୋଇଯାଇଥିଲେ। ତାଙ୍କୁ ପିଚ୍ରେ ପାଇ ପ୍ରଶଂସକମାନେ ନିଶ୍ବାସ ନେଉଥିଲେ। ତାଙ୍କର ସଫଳତାରେ ଦେଶର ପ୍ରଗତି ହେଉଥିଲା ଓ ବିଫଳତାରେ ଦେଶ ନିରାଶ ହୋଇଯାଉଥିଲା। ସେ କ୍ରିକେଟ୍ର ପରିଚୟ ପାଲଟିଯାଇଛନ୍ତି। ଏପରିକି ଭାରତୀୟ ଜୀବନଧାରାରେ ସଚିନ୍ଙ୍କ ପ୍ରଭାବ ଦେଖିବାକୁ ମିଳିଛି। ତାଙ୍କ ଆବାହନରେ ଏକ ନୂଆ ଭାରତର ଆବିର୍ଭାବ ଘଟିଥିଲା। ଭାରତରେ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଭଳି ଅଠା ତାଙ୍କ ପାଖରେ ଥିଲା। ରାମ ମନ୍ଦିର ଘଟଣା ହେଉ କିମ୍ବା ମ୍ୟାଚ୍ ଫିକ୍ସିଂ ମାମଲା, ସବୁଥିରେ ସେ ସଦ୍ଭାବନାର ବାର୍ତ୍ତା ଦେଇଆସିଛନ୍ତି। ତାଙ୍କ ଖେଳିବା ଶୈଳୀରେ ପ୍ରଶଂସକମାନଙ୍କର ପୁଣି ଥରେ କ୍ରିକେଟ୍ ଉପରେ ବିଶ୍ବାସ ଜମିପାରିଥିଲା।
ଏବେ ୫୦ ବର୍ଷ ବୟସରେ ସଚିନ୍ ଯେତେବେଳେ ପଛକୁ ଚାହିଁବେ, ସେ ନିଶ୍ଚିତ ଭାବେ ଆଶ୍ବସ୍ତ ହେବେ। ତାଙ୍କ ବିନା କ୍ରିକେଟ୍ କେବେ ବି ଲୋକପ୍ରିୟ ଓ ଧନୀ ଖେଳ ହୋଇପାରିନଥା’ନ୍ତା। ଏପରିକି କ୍ରିକେଟ୍ର ବିକାଶ ଦିଗରେ ମଧ୍ୟ ସଚିନ୍ଙ୍କ ବଡ଼ ଭୂମିକା ରହିଛି। ତେବେ ଆଗକୁ ଆହୁରି ବହୁତ ଆହ୍ବାନ ଆସିବା ବାକି ରହିଛି। ସେଗୁଡ଼ିକୁ ମଧ୍ୟ କିପରି ମୁକାବିଲା କରାଯାଇପାରିବ ତାହା ଉପରେ ବି ସଚିନ୍ ପ୍ରତିକ୍ରିୟା ରଖିପାରିବେ। ବର୍ତ୍ତମାନ ବିଶ୍ବର ସବୁ ଦେଶ କ୍ରିକେଟ୍ ଖେଳୁନାହାନ୍ତି। ଏହାସତ୍ତ୍ବେ ଅଲିମ୍ପିକ୍ସରେ ଏହା ସ୍ଥାନ ପାଇବାକୁ ଯାଉଛି। କିନ୍ତୁ ଏହା ଉପରେ ଆଲୋଚନା ଏଯାଏଁ ଶେଷ ହୋଇନାହିଁ। ତଥାପି ବିଶ୍ବରେ କ୍ରିକେଟ୍କୁ ଅଧିକ ଲୋକପ୍ରିୟ କରାଇବାରେ ସଚିନ୍ ଯେଉଁଭଳି ଭୂମିକା ନେଇଛନ୍ତି, ତାହା ସବୁଦିନ ପାଇଁ ଉଦାହରଣ ହୋଇ ରହିଯିବ।
-ଆୟାଜ ମେମନ୍
‘ଏହା ଏକମାତ୍ର ୫୦, ଯାହା ମୋତେ ୫୦ର ଅନୁଭବ ଦେଉନି’
ଭାରତୀୟ କ୍ରିକେଟ୍ର ଏଭରଗ୍ରିନ୍ ପୋଷ୍ଟର ବୟ ସେ। ଲିଟିଲ୍ ମାଷ୍ଟରରୁ ମାଷ୍ଟର ବ୍ଲାଷ୍ଟର ପାଲଟିଥିବା ସଚିନ ତେନ୍ଦୁଲକରଙ୍କ ପାଇଁ ନୂଆ ଅର୍ଦ୍ଧଶତକଟି ସେତେଟା ରୋମାଞ୍ଚ, ସିହରଣ, ଆନନ୍ଦ ଦେଉନାହିଁ। ୫୦ତମ ଜନ୍ମଦିନ ପୂର୍ବରୁ ଏଭଳି କଥା କହିଛନ୍ତି ଏହି ମୁମ୍ବାଇକର। ମାତ୍ର ୧୬ ବର୍ଷ ବୟସରେ ବିଶ୍ବ କ୍ରିକେଟ୍କୁ ଆସି ଅବିସ୍ମରଣୀୟ ଯାତ୍ରାର ପଥିକ ସାଜିଛନ୍ତି। ପଦାର୍ପଣରେ ବୋଲରଙ୍କ ଆକ୍ରମଣରେ ରକ୍ତାକ୍ତ ହୋଇ ମଧ୍ୟ ସେ ରିଟାର୍ଡ ହର୍ଟ ହେବାକୁ ସାଥି ଖେଳାଳିଙ୍କ ପରାମର୍ଶକୁ ଏଡ଼ାଇ ଯାଇଥିଲେ। କହିଥିଲେ, ‘ନେହିଁ, ମେଁ ଖେଲେଗା’। ଏହି ଦୁଃସାହସୀ କ୍ରିକେଟର୍ ଖେଳ ଜୀବନରେ ବହୁ ମାଇଲଖୁଣ୍ଟ ତ ପ୍ରତିଷ୍ଠା କରିଛନ୍ତି। ୧୦ ବର୍ଷ ହେବ ଅବସର ନେଇଥିଲେ ମଧ୍ୟ ସଚିନଙ୍କ ଏକାଧିକ କୀର୍ତିମାନ ଅତୁଟ ରହିଛି। ପ୍ରତିଟି କ୍ରିକେଟରଙ୍କ ପାଇଁ ଅର୍ଦ୍ଧଶତକ ପ୍ରଥମ ମାଇଲଖୁଣ୍ଟ ହେବା ଭଳି ସଚିନ ଏକାଧିକ ଥର ଏହା କରି ଦେଖାଇଛନ୍ତି। ଟେଷ୍ଟ୍ କ୍ରିକେଟ୍ରେ ୬୮ ଅର୍ଦ୍ଧଶତକ, ଦିନିକିଆରେ ୯୬ ଅର୍ଦ୍ଧଶତକ, ପ୍ରଥମ ଶ୍ରେଣୀରେ ୧୧୬, ଲିଷ୍ଟ-ଏରେ ୧୧୪ ଅର୍ଦ୍ଧଶତକ ଏବଂ ଟ୍ବେଣ୍ଟି-୨୦ରେ ୧୬ (ଆଇପିଏଲ୍ରେ ୧୩) ହାସଲ କରିଛନ୍ତି ଏହି ଅର୍ଦ୍ଧଶତାବ୍ଦୀର କ୍ରିକେଟ୍ କିଂବଦନ୍ତି। ସଚିନ କିନ୍ତୁ ତାଙ୍କ ୫୦ତମ ଜନ୍ମଦିନ ପୂର୍ବରୁ କହିଛନ୍ତି, ‘ଏହା ଏକମାତ୍ର ୫୦, ଯାହା ମୋତେ ୫୦ର ଅନୁଭବ ଦେଉନି। ମୁଁ ଏବେ ୨୫ ବର୍ଷ ଅଭିଜ୍ଞ, ୨୫ ବର୍ଷୀୟ ଯୁବକ’। ୧୦୦ ଅନ୍ତର୍ଜାତୀୟ ଶତକର ବିଶ୍ବ କୀର୍ତ୍ତିମାନକୁ ନିଜ ନାମରେ ରଖିଥିବା ସଚିନ କହିଥିଲେ, ମୁଁ ପୁରୁଣା ଦିନର ଭିଡ଼ିଓକୁ ଦେଖିବାକୁ ପସନ୍ଦ କରେ। ନିକଟରେ ମୁଁ ୧୯୯୪ରେ ନାଗପୁରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିବା ୧୭୯ ରନ୍ର ପାଳିକୁ ଦେଖିଥିଲି। ଏହି ପାଳି ଅବସରରେ କର୍ଟନି ୱାଲ୍ସଙ୍କୁ କିଭଳି ମୁଁ ଏକ ସଟ୍ ବ୍ୟାକ୍ ଫୁଟ୍ ପଞ୍ଚ୍ରେ ଖେଳିଥିଲି। ଦୃଢ଼ ରକ୍ଷଣାତ୍ମକ ଭାବେ ଖେଳି ବାଉଣ୍ଡରି ମାରିଥିଲି। ଏହାକୁ ମୁଁ ପୁଣି ଥରେ ଦେଖିବାକୁ ଚାହିଁଥିଲି। ଏହା ମଧ୍ୟ ମୋତେ ମନେ ପକାଇ ଦେଇଥିଲା ୯୯ ରନ୍ରେ ଥିବାବେଳେ ୱାଲ୍ସଙ୍କୁ ପୁଲ୍ ସଟ୍ରେ ଛକା ମାରି ଶତକ ପୂର୍ଣ୍ଣ କରିଥିଲି। ମାତ୍ର ୧୨ ବର୍ଷ ବୟସରୁ ଲମ୍ବା ସମୟ ବ୍ୟାଟିଂ କରିବାର ସଙ୍କଳ୍ପ ଥିବା କଥା ମଧ୍ୟ ସଚିନ ଏହି ଅବସରରେ ପ୍ରକାଶ କରିଥିଲେ। ନୂଆ ଫର୍ମାଟର ପ୍ରବେଶ ପରଠାରୁ କ୍ରିକେଟ୍ ବଦଳିଯାଇଛି।
ସଚିନଙ୍କ ବାଉଁସରରେ ଫାଟିଥିଲା ବାଣ୍ଟୁଙ୍କ ନାକ
୩୨ ବର୍ଷ ତଳର ଏକ କାହାଣୀ ଏବେ ପଦାକୁ ଆସିଛି। ୧୯୯୧ ମସିହାରେ ଦିଲ୍ଲୀ-ମୁମ୍ବାଇ ରଣଜୀ ଟ୍ରଫି ମୁକାବିଲା ବେଳେ କର୍ଟଲୀ ଆମ୍ବ୍ରୋସଙ୍କ ଉତ୍ସାହ ଭଳି ସଚିନ ତେନ୍ଦୁଲକର ମାରିଥିବା ଏକa ବାଉଁସରରେ ଦିଲ୍ଲୀର ବାଣ୍ଟୁ ସିଂହଙ୍କ ନାକ ଫଟାଇ ଦେଇଥିଲା। ଅଶି ଦଶକ ମଧ୍ୟଭାଗ ଏବଂ ନବେ ଦଶକ ପ୍ରାରମ୍ଭରେ ଦିଲ୍ଲୀ ବ୍ୟାଟିଂର ମେରୁଦଣ୍ଡ ଥିବା ବାଣ୍ଟୁ ଏବେ ବି ସେ କଥା ମନେପକାଇ ଆଶ୍ବସ୍ତିର ହସ ହସିଥା’ନ୍ତି। ‘ସଚିନଙ୍କ ସେଦିନର ବାଉଁସର ମୋ ନାକର ନକ୍ସା ବଦଳାଇ ଦେଇଛି। ମୋ ପାଖରେ ଏବେ ନୂଆ ନାକ ରହିଛି’ ବୋଲି ବାଣ୍ଟୁ କହିଛନ୍ତି। କୋଟଲାର ଗ୍ରିନ୍ ଟପ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମୁମ୍ବାଇ ପାଳି ବେଳେ ଦିଲ୍ଲୀପ ଭାଇ (ଭେଙ୍ଗସରକାର)ଙ୍କୁ ମଧ୍ୟ ସଂଜୀବ ଶର୍ମା ଓ ଅତୁଲ ୱାସନ ବାଉଁସର ମାରିଥିଲେ। ସେ ସମୟରେ ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍ ଢେର ଟକ୍କରପୂର୍ଣ୍ଣ ହୋଇଥିଲା। ମୁମ୍ବାଇର ୩୯୦ ରନ୍ ଜବାବରେ ଦିଲ୍ଲୀ ୩୮୯ ରନ୍ କରି ମାତ୍ର ୧ ରନ୍ ପାଇଁ କ୍ବାର୍ଟରଫାଇନାଲ୍ (ପ୍ରଥମ ଶ୍ରେଣୀ ଭିତ୍ତିରେ)ରୁ ବିଦାୟ ନେଇଥିଲା। ପ୍ରଥମ ପାଳିରେ ଶତକ ମାରି ମୁଁ ଆତ୍ମବିଶ୍ବାସରେ ଥିଲେ ମଧ୍ୟ ସଚିନଙ୍କ ବାଉଁସର ମୋ ନାକକୁ ଫଟାଇ ଦେଇଥିଲା। ମୁଁ ବିନା ହେଲମେଟରେ ଖେଳିଥାଏ। ମୋ ସାର୍ଟ ରକ୍ତରେ ଭିଜି ଯାଇଥିଲା। ମୋତେ ସଂଜୀବନ ହସପିଟାଲ୍ ନିଆଯିବା ପରେ ନାକରେ ଏକାଧିକ ଫ୍ରାକ୍ଚର ଥିବା ଜଣାପଡ଼ିଥିଲା। ଅସ୍ତ୍ରୋପଚାର କରାଯିବାରୁ ମୁଁ ପ୍ରାୟ ୨ ମାସ ଯାଏ ତରଳ ଖାଦ୍ୟ ଖାଇ ବଞ୍ଚିଥିଲି ବୋଲି ବାଣ୍ଟୁ ପ୍ରକାଶ କରିଥିଲେ। ବାଣ୍ଟୁ କିନ୍ତୁ ସଚିନଙ୍କ ମନବୀୟ ଗୁଣକୁ ବି ଭୁଲି ନାହାନ୍ତି। ‘ମ୍ୟାଚ୍ ପରେ ସଂଧ୍ୟାରେ ମୁମ୍ବାଇ ଦଳ ଦିଲ୍ଲୀରୁ ଫେରିଯାଇଥିଲେ ମଧ୍ୟ ରାତି ୧୧ଟାରେ ଆମ ଘରର ଲ୍ୟାଣ୍ଡଲାଇନ୍ ଫୋନ୍ ବାଜିଉଠିଥିଲା। ସଚିନ ପଚାରି ବୁଝିଥିଲେ, ‘ବାଣ୍ଟୁ କିଭଳି ଅଛନ୍ତି? ଡାକ୍ତର କ’ଣ କହିଲେ? ଏହା ପରଠାରୁ ମୁଁ ଯେତେଥର ସଚିନଙ୍କୁ ଭେଟିଥିଲି ସେ ପଚାରୁଥିଲେ ‘ନାକ ଠିକ୍ ଅଛି ତୁମର?