ସଚିନଙ୍କ ଅବସୋସ: ଗାଭାସ୍କର ଓ ରିଚାର୍ଡସ

ମୁମ୍ବାଇ: ପ୍ରାୟ ଅଢ଼େଇ ଦଶନ୍ଧି ଧରି ଜାଜ୍ଜ୍ବଲ୍ୟମାନ କ୍ରୀଡ଼ା ଜୀବନ ରଖିଥିବା ବ୍ୟାଟିଂ ମାଷ୍ଟର୍ ସଚିନ ତେନ୍ଦୁଲକର ଏକାଧିକ କୀର୍ତ୍ତିମାନ କରିଛନ୍ତି। ୨୦୦ ଟେଷ୍ଟ୍‌ ଓ ୪୬୩ ଦିନିକିଆ ଖେଳିଥିବାବେଳେ ୧୦୦ ଅନ୍ତର୍ଜାତୀୟ ଶତକ (୫୧ ଟେଷ୍ଟ୍‌ ଓ ୪୯ ଦିନିକିଆ) ତାଙ୍କ ନାମରେ ରହିଛି। ଏହି କିଂବଦନ୍ତି କ୍ରିକେଟର୍‌ ରବିବର ଜୀବନର ଦୁଇଟି ବଡ଼ ଅବସୋସ କଥା କହିଛନ୍ତି। ଦୁଇ ମହାନ ଖେଳାଳି ସୁନିଲ ଗାଭାସ୍କରଙ୍କ ସହ ଏବଂ ଭିଭିଆନ୍ ରିଚାର୍ଡସଙ୍କ ବିପକ୍ଷରେ ଖେଳିପାରିନଥିବାକୁ ଅଧୁରା କହିଛନ୍ତି।

‘ମୋ ପାଇଁ ଦୁଇଟି ଅବ ସୋସ ରହିଯାଇଥିଲା। ପ୍ରଥମତଃ ମୁଁ ସୁନିଲ ଗାଭାସ୍କରଙ୍କ ସହ ଖେଳିପାରିନଥିଲି। ମୋ ସେ ପିଲାଦିନର ବ୍ୟାଟିଂ ହିରୋ ଥିଲେ ଏବଂ ତାଙ୍କୁ ଦେଖି କ୍ରିକେଟ୍ ଖେଳିଥିଲି। ମୁଁ ପଦାର୍ପଣ କରିବାର ଦୁଇ ବର୍ଷ ପୂର୍ବରୁ ସେ ଅବସର ନେଇଯାଇଥିଲେ। ଦ୍ବିତୀୟ ଅନୁତାପ ଅନ୍ୟତମ ବାଲ୍ୟ ଆଦର୍ଶ ଭିଭିଆନ୍ ରିଚାର୍ଡସଙ୍କ ବିପକ୍ଷରେ ମଧ୍ୟ ଖେଳିପାରିନଥିଲି। କିନ୍ତୁ ‌ସୌଭାଗ୍ୟବଶତଃ ମୁଁ ତାଙ୍କ ସହିତ କାଉଣ୍ଟି କ୍ରିକେଟ୍‌ ଖେଳିପାରିଥିଲି’ ବୋଲି ସଚିନ କହିଛନ୍ତି। ୨୦୧୩ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିବା ସଚିନ ଏବେ ବି ଉଭୟ ଟେଷ୍ଟ୍‌ ଓ ଦିନିକିଆର ଅଗ୍ରଣୀ ରନ୍‌ ‌ସ୍କୋରର୍ ରହିଛନ୍ତି। ସଚିନଙ୍କ ପଦାର୍ପଣର ୨ ବର୍ଷ ପରେ ରିଚାର୍ଡସ ଅବସର ନେଇଥିଲେ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମୁହାଁମୁହିଁ ହୋଇପାରିନଥିଲେ। ସଚିନ ୧୯୮୯ରେ ପାକିସ୍ତାନ ବିପକ୍ଷରେ ପଦାର୍ପଣ କରି ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିବାବେଳେ ଗାଭାସ୍କର ୧୯୮୭ରେ ଏବଂ ରିଚାର୍ଡସ ୧୯୯୧ରେ ଅବସର ନେଇଥିଲେ।

ସମ୍ବନ୍ଧିତ ଖବର