ପୃଥ୍ବୀ ସ’ଙ୍କୁ ସଚିନଙ୍କ ଗୋପନ ମାର୍ଗଦର୍ଶନ

‘ୱର୍ନଙ୍କୁ ସଚିନ ନିଜ ଆଙ୍ଗୁଠିରେ ନଚାଉଥିଲେ’

ମୁମ୍ବାଇ: ମୁମ୍ବାଇର ଯୁବ ତଥା ପ୍ରତିଭାବାନ କ୍ରିକେଟ୍ ତାରକା ପୃଥ୍ବୀ ସ’ ଧମାକାଦାର ଶୈଳୀରେ ନିଜ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପଦାର୍ପଣ ଟେଷ୍ଟ୍‌ରେ ଶତକ ଅର୍ଜନ କରି ସମସ୍ତଙ୍କ ମନ ଜିତି ନେଇଥିଲେ ସେ। ଏହା ପରେ କିନ୍ତୁ ତାଙ୍କ କ୍ରିକେଟ୍ ଜୀବନ ଯେମିତି ପଥଚ୍ୟୁତ ହୋଇଯାଇଥିଲା। ଆଘାତପ୍ରାପ୍ତ ହେବା ସହ ଡୋପ୍ ପରୀକ୍ଷଣରେ ବିଫଳ ହୋଇ ବାସନ୍ଦ ହେବା ପର୍ଯ୍ୟନ୍ତ ସ’ଙ୍କ ସଫଳ ଯାତ୍ରାରେ ଯେମିତି ଅଚାନକ ବ୍ରେକ୍ ଲାଗି ଯାଇଥିଲା। ଏଥିରୁ ମୁକୁଳିବା ଲାଗି ସ’ କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକରଙ୍କ ସରଣ ପଶିଥିଲେ। ସଚିନଙ୍କ ମାର୍ଗଦର୍ଶନ ତଥା ପ୍ରେରଣାରେ ହିଁ ସେ ପୁନର୍ବାର ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରି ପାରିଛନ୍ତି ବୋଲି ସ’ ଅନେକ ଥର କହି ସାରିଛନ୍ତି। ଏବେ ସଚିନ ତାଙ୍କର ସେହି ମନ୍ତବ୍ୟ ଉପରେ ମୋହର ମାରିଛନ୍ତି। କ୍ରିକେଟ୍ ଓ କ୍ରିକେଟ୍ ବାହାର କଥା ନେଇ ଅନେକ ଥର ସ’ଙ୍କ ସହ ସେ ଆଲୋଚନା କରିଥିବା ମଙ୍ଗଳବାର ଦେଇଥିବା ଏକ ଅନଲାଇନ୍ ସାକ୍ଷାତକାରରେ ସଚିନ ସ୍ବୀକାର କରିଛନ୍ତି। ତେବେ ସ’ଙ୍କ ସହ ସେ କେଉଁ ବିଷୟ ଓ କାହା ଉପ‌ରେ ଆଲୋଚନା କରିଛନ୍ତି କିମ୍ବା ପରାମର୍ଶ ଦେଇଛନ୍ତି, ତାହା ଉପରୁ ପରଦା ଉଠାଇବାକୁ ସଚିନ ଅମଙ୍ଗ ହୋଇଛନ୍ତି।’’ ହଁ ଏକଥା ସତ, ଗତ କିଛି ବର୍ଷ ହେବ ମୁଁ ଅନେକ ଥର ସ’ଙ୍କ ସହ ବିଭିନ୍ନ ବିଷୟରେ ଚର୍ଚା କରିଛି। ସେ ଜଣେ ପ୍ରତିଭାବାନ ଖେଳାଳି ଏବଂ ତାଙ୍କୁ ସାହାଯ୍ୟ କରି ମୁଁ ଆନନ୍ଦିତ। ସ’ଙ୍କ ସହ ମୁଁ କ୍ରିକେଟ୍ ଏବଂ କ୍ରିକେଟ୍ ବାହାରର ଜୀବନ ନେଇ ଆଲୋଚନା କରେ। ମୁଁ ଭାବୁଛି ଜଣେ ଯୁବ ଖେଳାଳି ଯଦି ମୋତେ ଯୋଗାଯୋଗ କରେ ଏବଂ ମୋର ସାହାଯ୍ୟ ଓ ମାର୍ଗଦର୍ଶନ ଲୋଡ଼େ, ଏଥି ସହିତ କିଛିଟା ଗୋପନୀୟତା ଜଡ଼ିତ ଥାଏ, ଅନ୍ତତଃ ମୁଁ ଏହା ଭାବେ, ଏଣୁ ସ’ଙ୍କ ସହ ହୋଇଥିବା କଥାବାର୍ତ୍ତାର ବିସ୍ତୃତ ବିବରଣୀ ମୁଁ ଦେଇ ପାରିବି ନାହିଁ।’’ ସ’ କିନ୍ତୁ ଆପଣଙ୍କଠାରୁ ପରାମର୍ଶ ନେବା କଥା ଏକାଧିକ ଥର କହିଛନ୍ତି ବୋଲି ପ୍ରଶ୍ନକର୍ତ୍ତା ମନେପକାଇ ଦେବା ପରେ ଏଥିରେ କୌଣସି ଅସୁବିଧା ନାହିଁ ବୋଲି ସଚିନ ମତ ରଖିଥିଲେ। ‘ଯଦି ସ’ ଏହି ବିଷୟରେ କହିବାକୁ ଚାହଁଛନ୍ତି, ସେଥିରେ ମୋର କୌଣସି ଅସୁବିଧା ନାହିଁ, ଏହା ତାଙ୍କ ପସନ୍ଦ।’ ବୋଲି ସଚିନ ତୁରନ୍ତ ଜବାବ ରଖିଥିଲେ। ଯଦି କୌଣସି ଯୁବ ଓ ଉଦୀୟମାନ ତାରକା ତାଙ୍କଠାରୁ କୌଣସି ସାହାଯ୍ୟ ଚାହାନ୍ତି, ତାହାଲେ ଏଥିଲାଗି ସେ ପଛଘୁଞ୍ଚା ଦେବେ ନାହିଁ ବୋଲି ମଧ୍ୟ ସେ ଏହି ଅବସରରେ ସ୍ପଷ୍ଟ କରି ଦେଇଥିଲେ। ‘ବ୍ୟକ୍ତିଗତ ସ୍ତରରେ ମୁଁ ବହୁ ଯୁବ ତାରକାଙ୍କ ସହ କଥା ହୋଇଛି ଏବଂ ସେମାନଙ୍କ ମାର୍ଗଦର୍ଶନ କରିଛି। ଏଥିଲାଗି ମୋ ଦ୍ବାର ସବୁବେଳେ ଖୋଲା ରହିବ।’ ବୋଲି ସଚିନ ଶେଷରେ କହିଥିଲେ। ସୂଚନାଯୋଗ୍ୟ ଯେ ଦରକାର ବେଳେ ସବୁବେଳେ ସେ ସଚିନଙ୍କ ସହାୟତା ଲୋଡ଼ନ୍ତି ବୋଲି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପୂର୍ବରୁ କହି ସାରିଛନ୍ତି।

‘ୱର୍ନଙ୍କୁ ସଚିନ ନିଜ ଆଙ୍ଗୁଠିରେ ନଚାଉଥିଲେ’
ସିଡନି: ବିଶ୍ବ କ୍ରିକେଟ୍‌ର ମହାନ ବୋଲରଙ୍କ ମଧ୍ୟରୁ ଅଷ୍ଟ୍ରେଲିଆର ପୂର୍ବତନ ଲେଗ୍‌ସ୍ପିନର ସେନ୍ ୱାର୍ନ ଅନ୍ୟତମ। ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଗରେ ତାଙ୍କର ସବୁ ଚାଲ୍ ଅକାମୀ ହୋଇ ଯାଉଥିଲା। ସଚିନ ତାଙ୍କୁ ନିଜ ଇଚ୍ଛା ଅନୁସାରେ ଖେଳୁଥିଲେ। କହିବାକୁ ଗଲେ ୱାର୍ନଙ୍କୁ ସଚିନ ନିଜ ଅଙ୍ଗୁଳିରେ ନଚାଉଥିଲେ। ମୂଷା ବିରାଡି ଖେଳ ଭଳି ଲଢ଼େଇ କାରଣରୁ ସଚିନଙ୍କୁ ବି ୱାର୍ନ ଘୃଣା କରୁଥିଲେ। ଏଭଳି ମନ୍ତବ୍ୟ ଦେଇଛନ୍ତି ସେହି ଅଷ୍ଟ୍ରେଲିଆର ଅନ୍ୟତମ ସଫଳ ବୋଲର ବ୍ରେଟ୍ ଲି। ଅଷ୍ଟ୍ରେଲିଆ ଦଳରେ ୱାର୍ନ ଥିଲାବେଳେ ସଚିନ ‌ଏହି ଦଳ ବିପକ୍ଷରେ ଯେଉଁ ୧୨ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ, ସେଥିରୁ ୬୦ରୁ ଅଧିକ ହାରରେ ରନ୍ କରିଛନ୍ତି। ସେଥିମଧ୍ୟରେ ପାଞ୍ଚଟି ଲେଖାଏଁ ଶତକ ଓ ଅର୍ଧଶତକ ରହିଛି। ୱାର୍ନଙ୍କ ଉପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ୧୭ ଦିନିକିଆରୁ ସଚିନ ୫ ଶତକ ସହ ୫୮.୭୦ ହାରରେ ୯୯୮ ରନ୍ କରିଛନ୍ତି। ଅନ୍ୟପକ୍ଷରେ ସଚିନଙ୍କୁ ୱାର୍ନ ଟେଷ୍ଟ୍‌ରେ ମାତ୍ର ୩ ଥର ଆଉଟ୍ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ ଲି’ ଯାହା କହୁଛନ୍ତି, ତାହା ସତ। ୱାର୍ନ-ସଚିନ ମୁକାବିଲା ଉପରେ ମନ୍ତବ୍ୟ ରଖିବା ସହ ସଚିନଙ୍କୁ ଆଉଟ୍ କରିବାର ଖୁସି ବିଷୟରେ ମଧ୍ୟ ଅନେକ କିଛି କହିଛନ୍ତି ଲି’। ‘‘ଅନେକ ସମୟରେ ସଚିନ କ୍ରିଜ୍ ଆଗକୁ ଆସି ୱାର୍ନଙ୍କୁ ସଟ୍ ପିଚ୍ ବଲ୍ ପକାଇବାକୁ ବାଧ୍ୟ କରୁଥିଲେ। କେତେକ ସମୟରେ ସେ ପଛକୁ ଘୁଞ୍ଚି ବଲ୍‌କୁ ଅପେକ୍ଷା କରିବା ସହ ବ୍ୟାକ୍‌ଫୁଟ୍‌ରେ ସୁନ୍ଦର ସଟ୍ ଖେଳୁଥିଲେ। ମୁଁ ଯେତେବେଳେ ମାତ୍ର ୨୨ ବର୍ଷର ଥିଲି ସଚିନଙ୍କ ବିପକ୍ଷରେ ପ୍ରଥମ ଥର ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲି। ‌ସେତେବେଳେ ମୋ ବଲ୍‌ ତାଙ୍କ ବ୍ୟାଟ୍‌ର ଧାରରେ ବାଜି ପଛକୁ ଯାଇଥିଲା। ମୁଁ ଭାବିଲି ମୋ କାମ ଠିକ୍ ଭାବେ କରିଛି। ଟେଷ୍ଟ୍ ମ୍ୟାଚ୍‌ର ଫଳାଫଳ ନେଇ ମୋର କୌଣସି ଚିନ୍ତା ନଥିଲା, ସଚିନଙ୍କ ୱିକେଟ୍ ନେଇ ମୁଁ ବହୁତ ଖୁସି ଥିଲି।

ସମ୍ବନ୍ଧିତ ଖବର