ବାସ୍କେଟ୍‌ବଲର୍‌ ରଂଜିତଙ୍କ ପରଲୋକ

ଭୁବନେଶ୍ୱର: ଖେଳାଳିରୁ କ୍ରୀଡ଼ା ପ୍ରଶାସକ ପାଲଟିଥିବା ପୂର୍ବତନ ବାସ୍କେଟ୍‌ବଲର୍‌ ରଂଜିତ ଷଡ଼ଙ୍ଗୀଙ୍କର ବୁଧବାର ୪୪ ବର୍ଷ ବୟସରେ ପରଲୋକ ଘଟିଛି। କିଛି ବର୍ଷ ଧରି ମଧୁମେହ ଓ ହଳଦିଆକାମଳରେ ପୀଡ଼ିତ ହେବା ପରେ ବୁଧବାର ଏକ ଘରୋଇ ହସ୍‌ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପତ୍ନୀ ଓ ଏକମାତ୍ର କନ୍ୟା ସନ୍ତାନକୁ ସେ ଛାଡ଼ିଯାଇଛନ୍ତି। ବୁଧବାର ରାତିରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ଗୌତମନଗର ନିବାସୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀଙ୍କ ପୁଅ ରଂଜିତ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ୪ ଥର ସର୍ବଭାରତୀୟ ଅନ୍ତଃବିଶ୍ୱବ୍ୟାଳୟ ପ୍ରତିନିଧିତ୍ୱ କରିଥିଲେ। ନିଜ ଯାଆଁଳା ଭାଇ ସଂଗ୍ରାମଜିତ୍‌ ଷଡ଼ଙ୍ଗୀଙ୍କ ସହିତ ମିଶି ସେ ମଧ୍ୟ ଭୁବନେଶ୍ୱର ବାସ୍କେଟ୍‌ବଲ୍‌ ଦଳର ପ୍ରତିନିଧିତ୍ୱ କରିଥିଲେ। ବୃତ୍ତିରେ ଇଂଜିନିୟର ରଂଜିତ ବିଦେଶରୁ ଫେରିବା ପରେ ଭୁବନେଶ୍ୱର ବାସ୍କେଟ୍‌ବଲ୍‌ ସଂଘ ଏବଂ ଓଡ଼ିଶା ବାସ୍କେଟ୍‌ବଲ୍‌ ସଂଘର ଯୁଗ୍ମ ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ତାଙ୍କ ଅକାଳ ବିୟୋଗରେ ଭୁବନେଶ୍ୱର ଓ ରାଜ୍ୟ ବାସ୍କେଟ୍‌ବଲ୍‌ ଦୁନିଆରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର