ସଦାଶିବ ସ୍ମାରକୀ କ୍ରିକେଟ୍: ମଞ୍ଚେଶ୍ବର ବିଜେତା

ଇଚ୍ଛାଶକ୍ତି ଓ ଏକାଗ୍ରତା ସଫଳତାର ଦିଗ ଦେଖାଏ: ସୌମ୍ୟରଂଜନ

ଭାପୁର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଫତେଗଡ଼ ଗ୍ରାମରେ ଥିବା ଫତେଗଡ଼ ଯୁବକ ସଂଘ ତରଫରୁ ଆୟୋଜିତ ଦଶମ ସଦାଶିବ ସ୍ମାରକୀ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ରେ ଭୁବନେଶ୍ବରର ମଞ୍ଚେଶ୍ବର କ୍ଲବ୍‌ ୫ ୱିକେଟ୍‌ରେ କାଇପଦରର ସତ୍ୟପୀର ସ୍ପୋର୍ଟିଂ କ୍ଲବ୍‌କୁ ହରାଇ ବିଜେତା ହୋଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ସତ୍ୟପୀର ସ୍ପୋର୍ଟିଂ ନିର୍ଦ୍ଧାରିତ ୨୫ ଓଭର୍‌ରେ ୯ ୱିକେଟ୍ ହରାଇ ୨୧୧ ରନ୍ କରିଥିଲା। ଜବାବରେ ମଞ୍ଚେଶ୍ବର କ୍ଲବ୍‌ ୨୦ ଓଭରରେ ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ୧୬ ବଲ୍‌ରେ ୮ ଛକା ଓ ୨ ଚୌକା ସହାୟତାରେ ବିସ୍ଫୋରକ ୮୧ ରନ୍ କରିଥିବା ବିଜେତା ଦଳର ଶେଖର କୁମାର ସ୍ବାଇଁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଫାଇନାଲ୍ ଖେଳକୁ ଦୁର୍ଗା ପ୍ରସାଦ ପଟ୍ଟନାୟକ ଏବଂ ଦ୍ବିଜେନ୍ଦ୍ର କୁମାର ଘୋଷ ପରିଚାଳନା କରିଥିଲେ। ସ୍କୋରର୍‌ ଥିଲେ ପବିତ୍ର କୁମାର ସାହୁ, ଧାରା ବିବରଣୀ ପ୍ରଦାନ କରିଥିଲେ ବୁବୁ ସିହ୍ନା ଏବଂ ସହଯୋଗ କରିଥିଲେ ସରୋଜ କୁମାର ମହାପାତ୍ର। ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଣ୍ତପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇଥିଲେ। ଫତେଗଡ଼ ଯୁବକ ସଂଘ ସଭାପତି ବେଣୁଧର ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ପୂର୍ବରୁ ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦାନ କରି ଦୁଇ ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଅନ୍ୟତମ ଅତିଥି ଭାବେ ସିନେତାରକା ସିଦ୍ଧାନ୍ତ ମହାପାତ୍ର ଏବଂ ଏଲିନା ସାମନ୍ତରାୟ, ଶିଳ୍ପପତି ନିକୁଞ୍ଜ ବିହାରୀ ଦାସ, ଭାପୁର ବ୍ଲକ୍‌ ଉପାଧ୍ୟକ୍ଷ ଗୟାଧର ପରିଡ଼ା, ଫତେଗଡ଼ ସରପଞ୍ଚ ତୋଫାନ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ସାହୁ, ଫତେଗଡ଼ ଯୁବକ ସଂଘ ସମ୍ପାଦକ ମନୋଜ କୁମାର ପ୍ରଧାନ ସମେତ ଭାପୁର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ଓ ସମିତିସଭ୍ୟମାନେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ପଟ୍ଟନାୟକ ଚଳିତ ବର୍ଷର ବିଜେତା ମଞ୍ଚେଶ୍ବର କ୍ଲବ୍‌ର ଅଧିନାୟକ ଦୁଷ୍ମନ୍ତ କୁମାର ସାମନ୍ତରାୟଙ୍କୁ ଟ୍ରଫି ସହିତ ୬୦ ହଜାର ଟଙ୍କା ଏବଂ ଭାପୁର ବ୍ଲକ୍‌ ଉପାଧ୍ୟକ୍ଷ ଶ୍ରୀ ପରିଡ଼ା ଉପବିଜେତା ଦଳର ଅଧିନାୟକ ପ୍ରଶାନ୍ତ କୁମାର ମାର୍ଥାଙ୍କୁ ଟ୍ରଫି ସହିତ ୪୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଶେଖର କୁମାର ସ୍ବାଇଁଙ୍କୁ ଟ୍ରଫି ସହିତ ଅର୍ଥରାଶି ଏବଂ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି କାହ୍ନା ମହାନ୍ତିଙ୍କୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରି ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ପ୍ରତିଯୋଗିତାରେ ଚିୟର୍‌ ଗାର୍ଲ‌୍ସମାନଙ୍କର ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କୁ ଖେଳପଡ଼ିଆରେ ବାନ୍ଧି ରଖିଥିଲା।

ଇଚ୍ଛାଶକ୍ତି ଓ ଏକାଗ୍ରତା ସଫଳତାର ଦିଗ ଦେଖାଏ: ସୌମ୍ୟରଂଜନ
ଜଣେ ବ୍ୟକ୍ତି ଯଦି ସାମୂହିକ କାର୍ଯ୍ୟରେ ହାରିଯାଇଛି, ସେଥିପାଇଁ ସେ ଭାଙ୍ଗିପଡ଼ିବା ଦରକାର ନାହିଁ। ପ୍ରବଳ ଇଚ୍ଛା ଶକ୍ତି, ମନୋବଳ ଏବଂ ଏକାଗ୍ରତା ରହିଲେ ହାରିବା ଘଟଣା ସଫଳତା ଆଡ଼କୁ ଦିଗ ଦେଖାଇଥାଏ ବୋଲି ରାଜ୍ୟସ୍ତରୀୟ ସଦାଶିବ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଣ୍ତପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମତ ପୋଷଣ କରିଛନ୍ତି। ସେ କହିଛନ୍ତି ଯେ ଫତେଗଡ଼ ପରି ଏକ ନିପଟ ମଫସଲ ଗ୍ରାମରେ ଆଜି ଯେଉଁଭଳି କ୍ରିକେଟ୍ ଖେଳ ଦେଖିବା ପାଇଁ ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ବୟସ୍କା ମହିଳା ଏବଂ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଘରର ଚାରିକାନ୍ଥ ମଧ୍ୟରେ ଥିବା ବୋହୂ ଓ ଯୁବକ-ଯୁବତୀଙ୍କ ପରି ହଜାର ହଜାର ଦର୍ଶକ ରୁଣ୍ତ ହୋଇଛନ୍ତି, ଏଭଳି ଦୃଶ୍ୟ କେବେ ଦେଖି ନଥିଲି। ଏହି ନାଲିସାଗର ଖେଳପଡ଼ିଆରେ ଆଗାମୀ ଦିନରେ କିଭଳି ଦର୍ଶକମାନେ ଆରାମରେ ବସି ଏହି ଖେଳ ଉପଭୋଗ କରିବେ, ‌ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରୀ ପଟ୍ଟନାୟକ ମତପୋଷଣ କରିଥିଲେ।

ସମ୍ବନ୍ଧିତ ଖବର