ମାଲେ: ଶନିବାର ଦିନ ମାଳଦ୍ୱୀପର ମାଲେସ୍ଥିତ ‘ନ୍ୟାସ୍ନାଲ୍ ଷ୍ଟାଡିୟମ୍’ରେ ଆୟୋଜିତ ଚୂଡ଼ାନ୍ତ ଖେଳର ଦ୍ୱିତୀୟାର୍ଦ୍ଧରେ ଅଧିନାୟକ ସୁନୀଲ୍ ଛେତ୍ରୀ, ସୁରେଶ ସିଂହ ଓ୍ଵାଙ୍ଗ୍ଜାମ୍ ଏବଂ ସାହାଲ୍ ଅବ୍ଦୁଲ୍ ସମାଦ୍ଙ୍କ ଗୋଲ୍ଦ୍ୱାରା ନେପାଳକୁ ୩-୦ରେ ପରାସ୍ତ କରି ଭାରତ ୮ମ ଥର ପାଇଁ ‘ସାଫ୍ ଚାମ୍ପିଅନ୍ସିପ୍ ଟାଇଟଲ୍’ ବିଜୟୀ ହୋଇଛି।
ଉକ୍ତ ଫୁଟ୍ବଲ୍ ଖେଳର ଠିକ୍ ୪୯ ମିନିଟ୍ ସମୟରେ ଛେତ୍ରୀ ଗୋଲ୍ ୫୦ ମିନିଟ୍ରେ ଗୋଲ୍ ଦେଇଥିଲେ ସୁରେଶ ସିଂହ। ସେହିପରି, ୯୦ ମିନିଟ୍ରେ ତୃତୀୟ ଗୋଲ୍ ଦେଇଥିଲେ ସାହାଲ୍ ଅବ୍ଦୁଲ୍।
ଖେଳର ପ୍ରଥମାର୍ଦ୍ଧରେ ‘ବ୍ଲୁ ଟାଇଗର୍ସ’ (ଭାରତୀୟ ଟିମ୍) ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରିଥିଲେ ମଧ୍ୟ ମୁକାବିଲା ଅମୀମାଂସିତ ରହିଥିଲା। କିନ୍ତୁ, ଦ୍ୱିତୀୟାର୍ଦ୍ଧ ପ୍ରାରମ୍ଭରେ ଛେତ୍ରୀ ଗୋଲ୍ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଦକ୍ଷିଣ ପାର୍ଶ୍ୱର ଖେଳାଳି ପ୍ରୀତମ୍ କୋଟଲାଙ୍କ ଠାରୁ ପାଇଥିବା ବଲ୍କୁ ଛେତ୍ରୀ ଏ ଭଳି ନୈପୁଣ୍ୟ ସହକାରେ ସଟ୍ ମାରିଥିଲେ ଯେ, ତାହାକୁ ଅଟକାଇବାକୁ ନେପାଳୀ ଗୋଲ୍କିପର୍ ବଲ୍ ଧରିବାକୁ ସୁଯୋଗ ପାଇ ନ ଥିଲେ। ଏହାର ଅଳ୍ପ କ୍ଷଣ ପରେ ସୁରେଶ ସିଂହ ଏ ଭଳି ଚମତ୍କାର ସଟ୍ ମାରିଲେ ଯେ, ନେପାଳୀ ଖେଳାଳି ଜଗିଥିଲେ ମଧ୍ୟ ତାହାକୁ ଅଟକାଇ ପାରି ନ ଥିଲେ। ପରେ ପରେ ୟାସିର୍ଙ୍କ ବଲ୍ ନେପାଳ ଗୋଲ୍ ରକ୍ଷକଙ୍କ ନେଟ୍ ପଛକୁ ଯାଇ ତୃତୀୟ ଗୋଲ୍ କରିଥିଲା।
ମୁଖ୍ୟ ପ୍ରଶିକ୍ଷକ ଆଇଗୋର୍ ଷ୍ଟିମାକ୍ଙ୍କ ତତ୍ତ୍ୱାବଧାନରେ ଏହା ହେଉଛି ଭାରତୀୟ ଫୁଟ୍ବଲ୍ ଟିମ୍ର ପ୍ରଥମ ପଦକ ବିଜୟ। ଖେଳରେ ଯଥେଷ୍ଟ ବିଜୟ ହାସଲ ନ କରାଇ ପାରିଥିବାରୁ ନିକଟ ଅତୀତରେ ସେ କଟୂ ସମାଲୋଚନାର ସରବ୍ୟ ହୋଇଥିଲେ।