ବେଙ୍ଗାଲୁରୁ: ସ୍ଥାନୀୟ କାନ୍ତୀରବା ଷ୍ଟାଡିୟମରେ ଚାଲିଥିବା ସାଫ୍‌ ଚାମ୍ପିଅନ୍‌ସିପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଗ୍ରୁପ୍‌-ଏ’ ଶେଷ ମ୍ୟାଚ୍‌କୁ ଭାରତ ଓ କୁଏତ ୧-୧ ଗୋଲ୍‌ରେ ଅମୀମାଂସିତ ରଖିଛନ୍ତି। ଉଭୟ ଦଳ ସେମିଫାଇନାଲ୍‌ ପହଞ୍ଚି ସାରିଥିବାରୁ ଗ୍ରୁପ୍‌-ଏ ଶୀର୍ଷ ସ୍ଥାନ ଲାଗି କଡ଼ା ସଂଘର୍ଷ କରିଥିଲେ। ପ୍ରଥମାର୍ଦ୍ଧର ଇନ୍‌ଜୁରି ସମୟରେ ଅନିରୁଦ୍ଧ ଥାପ୍ପାଙ୍କ ପାସ୍‌କୁ ଗୋଲ୍‌ରେ ପରିଣତ କରି ଅଧିନାୟକ ‌ସୁନିଲ ଛେତ୍ରୀ (୪୫+୨ ମିନିଟ୍‌) ଭାରତକୁ ଅଗ୍ରଣୀ ଦେଇଥିଲେ। ଏଥିସହ ଛେତ୍ରୀ ଚଳିତ ପ୍ରତିଯୋଗିତାରେ ପଞ୍ଚମ ଏବଂ ନିଜ ଅନ୍ତର୍ଜାତୀୟ ଗୋଲ୍‌ ସଂଖ୍ୟାକୁ ୯୨ରେ ପହଞ୍ଚାଇଥିଲେ।

Advertisment

ନିୟମିତ ସମୟର ଶେଷ ମିନିଟ୍‌ରେ ଭାରତର ରହିମ ଅଲୀ ଓ କୁଏତର ହାମାଦ ଅଲ୍‌କାଲାଫ୍‌ ଠେଲାପେଲା ହେବାରୁ ଉଭୟ ରେଡ୍‌ କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ। ଫଳରେ ଦ୍ବିତୀୟାର୍ଦ୍ଧର ଇନ୍‌ଜୁରି ସମୟରେ ଉଭୟ ଦଳ ୧୦ ଜଣରେ ଖେଳିଥିଲେ। ୯୦+୩ ମିନିଟ୍‌ରେ ଅବଦୁଲ୍ଲା ଅଲ୍‌ବୁସିଙ୍କ ‌କ୍ରସ୍‌ ସଟ୍‌କୁ ଅଟକଉଥିଲା ବେଳେ ରହିମ୍‌ଙ୍କ ଗୋଡ଼ରେ ବଲ୍‌ ବାଜି ସିଧା ଭାରତୀୟ ଗୋଲ୍‌ପୋଷ୍ଟ୍‌ରେ ପ୍ରବେଶ କରିଥିଲା। ଏହି ଆତ୍ମଘାତୀ ଗୋଲ୍‌ ବଳରେ ମ୍ୟାଚ୍‌ ୧-୧ରେ ଶେଷ ହୋଇଥିଲା। ଏହି ଅମୀମାଂସିତ ମ୍ୟାଚ୍‌ ‌ପରେ ଭାରତ ଓ କୁଏତର ପଏଣ୍ଟ (୭) ଓ ଗୋଲ୍‌ ବ୍ୟବଧାନ (୬) ସମାନ ରହିଥିଲା। ହେଲେ କୁଏତ (୮) ଅଧିକ ଗୋଲ୍‌ ଦେଇଥିବାରୁ ଗ୍ରୁପ୍‌ର ଶୀର୍ଷ ସ୍ଥାନ ଅଧିକାର କରିଥିଲା। ଭାରତ ଦ୍ବିତୀୟରେ ରହିଥିଲା।