ନୂଆଦିଲ୍ଲୀ: ଜୁନ୍ ୨୧ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଯାଉଥିବା ସାଫ୍ (ଦକ୍ଷିଣ ଏସୀୟ ଫୁଟ୍ବଲ ଫେଡେରେସନ୍) ଚାମ୍ପିଅନ୍ସିପ ପାଇଁ ବୁଧବାର ଡ୍ର’ ଉଠାଣ ହୋଇଥିଲା ବେଳେ ଚୂଡାନ୍ତ ସୂଚୀ ପ୍ରକାଶ ପାଇଛି। ଏହା ପ୍ରତିଯୋଗିତାର ଚତୁର୍ଦ୍ଦଶ ସଂସ୍କରଣ ଥିଲା ବେଳେ ଭାରତ ଚତୁର୍ଥ ଥର ପାଇଁ ଆୟୋଜନ କରିବାକୁ ଯାଉଛି। ଏହି ପ୍ରତିଯୋଗିତା ଜରିଆରେ ପାଖାପାଖି ୫ ବର୍ଷ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ସେମାନଙ୍କ ଫୁଟ୍ବଲ ସଂପର୍କର ନବୀକରଣ କରିବେ। ୮ ଦଳୀୟ ପ୍ରତିଯୋଗିତାରେ ଉଭୟ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ସାମିଲ ହୋଇଛନ୍ତି। ଗତ ୧୩ ସଂସ୍କରଣ ମଧ୍ୟରୁ ସର୍ବାଧିକ ୮ ଥର ବିଜେତା ଭାରତ ଓ ଆଦୌ ଟ୍ରଫି ଜିତିପାରିନଥିବା ପାକିସ୍ତାନ ସାଙ୍ଗକୁ କୁଏତ ଓ ନେପାଳ ଗ୍ରୁପ୍-ଏ’ରେ ସ୍ଥାନ ପାଇଥିଲା ବେଳେ ଗ୍ରୁପ୍-ବି’ରେ ରହିଛନ୍ତି ଲେବାନନ, ମାଳଦୀପ, ବାଂଲାଦେଶ ଓ ଭୂଟାନ। ଗ୍ରୁପ୍ ମ୍ୟାଚ୍ଗୁଡ଼ିକ ରାଉଣ୍ଡ ରବିନ ଲିଗ୍ ଫର୍ମାଟ୍ରେ ଖେଳାଯିବ। ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ୨ ଦଳ ସେମିଫାଇନାଲ୍କୁ ଯୋଗ୍ୟତା ହାସଲ କରିବେ। ସମସ୍ତ ମ୍ୟାଚ୍ ବେଙ୍ଗାଲୁରୁର କାନ୍ତୀରଭା ଷ୍ଟାଡିୟମ୍ରେ ଖେଳାଯିବ।
ଏହି ପ୍ରତିଯୋଗିତାରେ ଦକ୍ଷିଣ ଏସିଆ ବାହାରୁ ଦୁଇଟି ଦଳ ଲେବାନନ ଓ କୁଏତ୍ ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତାରେ ଲେବାନନ (୯୯) ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଦଳ ରହିଥିଲା ବେଳେ ପାକିସ୍ତାନ (୧୯୫ତମ) ସର୍ବନିମ୍ନ ମାନ୍ୟତାପ୍ରାପ୍ତ ଦଳ ରହିଛି। ଭାରତ (୧୦୧ତମ) ଦ୍ବିତୀୟ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଦଳ ଭାବେ ରହିଛି। ଉଭୟ ଭାରତ ଓ ପାକିସ୍ତାନ ପ୍ରଥମ ଦିବସରେ ହିଁ ମୁହାଁମୁହିଁ ହେବେ। ଏହା ପୂର୍ବରୁ ସାଫ୍ ପ୍ରତିଯୋଗିତାରେ ଶେଷଥର ପାଇଁ ୨୦୧୮ରେ ଉଭୟ ପଡ଼ୋଶୀ ଦଳ ମୁହାଁମୁହିଁ ହୋଇଥିଲେ। ପ୍ରତିଯୋଗିତାର ସେହି ଦ୍ବାଦଶ ସଂସ୍କରଣ ଢାକାରେ ଖେଳାଯାଇଥିଲା ବେଳେ ସେମିଫାଇନାଲ୍ରେ ପାକିସ୍ତାନକୁ ୩-୧ ଗୋଲ୍ରେ ଭାରତ ପରାସ୍ତ କରିଥିଲା। ହେଲେ ଫାଇନାଲ୍ରେ ମାଳଦୀପ ନିକଟରୁ ୧-୨ ଗୋଲ୍ରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଫଳରେ ଭାରତ ରେକର୍ଡ ୮ ଥର ସାଫ୍ ବିଜେତା ହୋଇଥିଲା ବେଳେ ୪ ଥର ଉପବିଜେତା ରହିଛି। ଏକମାତ୍ର ଥର ଭାବେ ପଞ୍ଚମ ସଂସ୍କରଣ (୨୦୦୩)ରେ ଭାରତ ଫାଇନାଲ୍କୁ ଯାଇପାରିନଥିଲା। ଢାକାରେ ଆୟୋଜିତ ସେହି ସଂସ୍କରଣରେ ଭାରତ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ମୋଟ ଉପରେ ଭାରତ ଓ ପାକିସ୍ତାନ ୨୦ରୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ସେଥିରୁ ଏକ ଡଜନରୁ ଅଧିକ ମ୍ୟାଚ୍ ଜିତି ପରସ୍ପର ମୁକାବିଲାରେ ଭାରତ ଆଧିପତ୍ୟ ଜାହିର କରିଛି।