ଢାକା: ପ୍ରଥମ ଥର ଲାଗି ଆୟୋଜିତ ୧୫ ବର୍ଷରୁ କମ୍ ସାଫ୍ ବାଳିକା ଫୁଟ୍ବଲ୍ ପ୍ରତିଯୋଗିତାରେ ଭାରତ ଉପବିଜେତାରେ ସନ୍ତୁଷ୍ଟ ହୋଇଛି। ରବିବାର ଫାଇନାଲ୍ରେ ଭାରତକୁ ୧-୦ ଗୋଲ୍ରେ ପରାସ୍ତ କରି ଆୟୋଜକ ବାଂଲାଦେଶ ଟ୍ରଫି କରାୟତ କରିଥିଲା। ବାଂଲାଦେଶ ପକ୍ଷରୁ ଶାମସୁନ୍ ନାହାର (୪୧ ମିନିଟ୍) ମ୍ୟାଚ୍ର ଏକମାତ୍ର ଗୋଲ୍ ଦେଇଥିଲେ। ଫାଇନାଲ୍ ପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟରେ ମଧ୍ୟ ବାଂଲାଦେଶଠୁ ଭାରତ ହାରିଥିଲା। ତେବେ ନେପାଳ ଓ ଭୁଟାନ୍କୁ ହରାଇ ଫାଇନାଲ୍ରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ବାଂଲାଦେଶ ଅପରାଜେୟ ରହି ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଶାନ୍ତି ମୁର୍ମୁ, ଜାନକୀ ମୁର୍ମୁ, ଅଞ୍ଜଳି ବରୁଆ ଏବଂ ବନ୍ୟା କବିରାଜ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।