ଭୁବନେଶ୍ୱର: ଚେନ୍ନାଇରେ ଶୁକ୍ରବାର ରାତିରେ ଶେଷ ହୋଇଥିବା ଦକ୍ଷିଣ ଏସୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତ ମୋଟ ୪୮ ପଦକ ଜିତି ଦଳଗତ ବିଜେତା ହୋଇଛି। ଓଡ଼ିଶା ଖେଳାଳିମାନେ ଏହି ପ୍ରତିଯୋଗିତାରେ ୪ ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ୫ ପଦକ ଜିତି ଉଲ୍ଲେଖନୀୟ ଛାପ ଛାଡ଼ିଛନ୍ତି। ଓଡ଼ିଶାର ପ୍ରତୀକ ମହାରଣା, ଦଣ୍ଡପତି ଏମ ଜୟରାମ, ମହେନ୍ଦ୍ର ସାନ୍ତା, ସବିତା ଟୋପ୍ପୋ ଓ ଲକ୍ଷ୍ମୀପ୍ରିୟା କିସାନ ଏହି ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିଲେ। ଏମାନେ ୪ଟି ବ୍ୟକ୍ତିଗତ ଓ ‌ଗୋଟିଏ ଦଳଗତ ପଦକ ଜିତିଛନ୍ତି। ଅନ୍ତର୍ଜାତୀୟ ମଞ୍ଚରେ ଏହି ସଫଳତା ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ପ୍ରତିଫଳିତ କରୁଛି।

Advertisment

ବରଗଡ଼ର ଧୂଳି ମାଟି ଗଳିରେ ଡେଲିଭରି ଏକ୍‌ଜେକ୍ୟୁଟିଭ୍ ଭାବେ କାମ କରୁଥିବା ପ୍ରତୀକ ମହାରଣା କୋଭିଡ୍ ମହାମାରୀ ସମୟରେ ଜୀବନ ଓ ଭାଗ୍ୟ ସହ କଠିନ ପରିଶ୍ରମ କରିଥିଲେ। ଜଣେ ଦୌଡ଼କୁଦ ପ୍ରତିଭା ଭାବେ ବଡ଼ ହୋଇ ଦେଶ ପାଇଁ ଗୌରବ ଅର୍ଜନ କରିବାର ସ୍ୱପ୍ନ ଦେଖିଥିଲେ ମଧ୍ୟ ଜୀବନର କଠୋର ବାସ୍ତବତା ତାଙ୍କ ସ୍ୱପ୍ନକୁ ପଛକୁ ଠେଲି ଦେଇଥିଲା। ତେବେ ଓଡ଼ିଶା ସରକାରଙ୍କ ସହାୟତା ଓ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନରେ ଏହି ବାଳକ ପୁଣି ଟ୍ରାକକୁ ଫେରି ଆସି  ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ କଠିନ ଅଭ୍ୟାସ କରିଥିଲେ। ସେ ଗୋଟିଏ ଦିନରେ ପୁରୁଷ ୨୦୦ ମିଟର ଓ ୧୦୦ ମିଟର୍‌ ରିଲେରେ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ। ସରକାରଙ୍କ ସମର୍ଥନରେ ସେ ଟ୍ରାକ୍‌ରେ ପରିଶ୍ରମ ଜାରି ରଖିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଓଡ଼ିଶା ସରକାରଙ୍କ ନିରନ୍ତର ସହଯୋଗ ପାଇଁ ମୁଁ ଧନ୍ୟବାଦ ଜଣାଉଛି ଏବଂ ଏହା ଦ୍ୱାରା ଭବିଷ୍ୟତରେ ଆହୁରି ପଦକ ଜିତିପାରିବି ବୋଲି ପ୍ରତୀକ କହିଛନ୍ତି। ୧୯ ବର୍ଷୀୟ ଜୟରାମଙ୍କ ଜୀବନ ଯାତ୍ରା ମଧ୍ୟ ସହଜ ନଥିଲା। କଳାହାଣ୍ଡିର ବାସିନ୍ଦା, କ୍ରୀଡ଼ା ପ୍ରତି ଆଗ୍ରହ ଥିଲେ ମଧ୍ୟ ଉପଯୁକ୍ତ ପ୍ରଶିକ୍ଷଣ ଅଭାବରୁ ଜୟରାମ କ୍ରିକେଟ୍ ସମେତ ବିଭିନ୍ନ କ୍ରୀଡ଼ାକୁ ଆପଣେଇଥିଲେ। କିନ୍ତୁ ଓଡ଼ିଶା ସରକାରଙ୍କ ଏକ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ସେ ଯେତେବେଳେ ଜିଲ୍ଲା ସ୍ତରୀୟ ଟ୍ରାକ୍‌ରେ ଦୌଡ଼ିବା ଆରମ୍ଭ କରିଥିଲେ, ଏହା ପରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗରେ ସେ ଜଣେ ପଦକ ବିଜେତା ଓ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ଭାବେ ପରିଚିତ ହେବା ସହ ପ୍ରଥମ ‘ସାଫ୍’ ପ୍ରତିଯୋଗିତାରେ ଦେଶ ପାଇଁ ୨ଟି ପଦକ, ଗୋଟିଏ ରୌପ୍ୟ ଓ ଅନ୍ୟ ଏକ କାଂସ୍ୟ ପଦକ ଜିତିଛନ୍ତି।

ଓଡ଼ିଶାକୁ ମିଳିଥିବା ୫ଟି ପଦକ ମଧ୍ୟରୁ ୨ଟି ମହିଳା କ୍ରୀଡ଼ାବିତ୍ ଆଣିଛନ୍ତି। ଭାରତୀୟ ଦଳରେ ଶେଷ ମୁହୂର୍ତ୍ତରେ ସାମିଲ ହୋଇଥିବା ଓଡ଼ିଶାର ସବିତା ଟପ୍ପୋ ଓ ଲକ୍ଷ୍ମୀପ୍ରିୟା କିଶାନ ଯଥାକ୍ରମେ ୧୦୦ ମିଟର୍ ବାଧା‌ଦୌଡ଼ ଓ ୮୦୦ ମିଟର ଦୌଡ଼ରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି। ଉଭୟ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ତୃଣମୂଳସ୍ତରରୁ ଆଥଲେଟଙ୍କୁ ଖୋଜିବା ଓ ବିକଶିତ କରିବା ପାଇଁ ଓଡ଼ିଶା ସରକାର ନେଇଥିବା ପଦକ୍ଷେପ ମାଧ୍ୟମରେ ଭାରତର ପ୍ରତିନିଧିତ୍ୱ କରିବା ସହ ପଦକ ଜିତିଛନ୍ତି। ପ୍ରତିଯୋଗିତାରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ସହ ଦୌଡ଼ିଥିବା ସବିତା ଟପ୍ପୋ କହନ୍ତି, ‘ଜଣେ ଆଥଲେଟ୍ ଭାବେ ମୋର ଏପର୍ଯ୍ୟନ୍ତ ଯାତ୍ରାରେ ଓଡ଼ିଶା ସରକାର ସବୁବେଳେ ସାହାଯ୍ୟ ଯୋଗାଇ ଆସିଛନ୍ତି। କ୍ରୀଡ଼ା ଛାତ୍ରାବାସରୁ ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଯାତ୍ରା ଅତିକ୍ରମ କରି ଆସିଥିବା ସବିତା ବିଶ୍ୱାସ କରନ୍ତି ଯେ ସରକାରଙ୍କ ସମର୍ଥନ ତାଙ୍କୁ ଟ୍ରାକ୍ ଆଣ୍ଡ ଫିଲ୍ଡ କିଂବଦନ୍ତୀ ଭାବେ ଗଢ଼ି ତୋଳିବ। ପ୍ରଶିକ୍ଷକ ମାର୍ଟିନ୍ ଓଭେନ୍ସଙ୍କ ଦକ୍ଷ ତତ୍ତ୍ୱାବଧାନରେ ଦଣ୍ଡପତି ଜୟରାମ, ମହେନ୍ଦ୍ର ସାନ୍ତା, ସବିତା ଟୋପ୍ପୋ ଓ ଲକ୍ଷ୍ମୀପ୍ରିୟା କିଶାନ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର, ପ୍ରତୀକ ମହାରଣା ରାଉରକେଲା ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମରେ ନିଜ ପ୍ରଶିକ୍ଷକ ଶିବ ମିଶ୍ରଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଛନ୍ତି।