କଲମ୍ବୋ: ଭାରତ ବିପକ୍ଷ ଏସିଆ କପ୍‌ ସୁପର୍‌-୪ ମ୍ୟାଚ୍‌ ବେଳେ ପାକିସ୍ତାନ ଦ୍ରୁତ ବୋଲର ହାରିସ୍‌ ରୌଫ୍‌ ଏବଂ ବ୍ୟାଟର୍‌ ସାହିବଜାଦ ଫର୍‌ହାନଙ୍କ ବିବାଦୀୟ ଇଙ୍ଗିତ ଦେବାର ଗୋଟିଏ ଦିନ ଯାଇନି ଏହି ଦେଶର ଯୁବ ଫୁଟ୍‌ବଲର୍‌ ବି ବରିଷ୍ଠଙ୍କ ପଦାଙ୍କ ଅନୁସରଣ କରିଛନ୍ତି। କ‌ଲମ୍ବୋ‌ରେ ସୋମବାର ଭାରତ ବିପକ୍ଷ ସାଫ୍‌ ୧୭ ବର୍ଷରୁ କମ୍‌ ମ୍ୟାଚ୍‌ରେ ଏହି ଦେଶର ଯୁବ ଫୁଟ୍‌ବଲର୍‌ ବଡ଼ ଭାଇମାନଙ୍କ ପରି ନଖରାମି କରିଛନ୍ତି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଆରମ୍ଭରୁ ଭାରତ ଅଗ୍ରଣୀ ନେଇଥିଲା। ହେଲେ ବକ୍ସ ମଧ୍ୟରେ ହାମଜା ୟାସିର୍‌ଙ୍କୁ ଫାଉଲ ମାରିବା ଭାରତକୁ ମହଙ୍ଗା ପଡ଼ିଥିଲା। ଏହି ଫାଉଲ୍‌ ପାଇଁ ୪୩ ମିନିଟ୍‌ରେ ପାକିସ୍ତାନକୁ ପେନାଲ୍ଟି ମିଳିଥିଲା। ଏହି ସମୟରେ ପାକ୍‌ ଖେଳାଳି ଚା’ପାନ ଶୈଳୀ ସହ କଟାକ୍ଷ କରିଥିଲେ। ପେନାଲ୍ଟିକୁ ମହମ୍ମଦ ଅବ୍‌ଦୁଲ୍ଲା ଗୋଲ୍‌ରେ ପରିଣତ କରି ମ୍ୟାଚ୍ ୧-୧ ସ୍ତରକୁ ଆଣିଥିଲେ।

Advertisment

ଅବ୍‌ଦୁଲ୍ଲା ଗୋଲ୍‌ ଉତ୍ସବ ପାଳନ ବେଳେ ହାତକୁ ଉଡ଼ାଜାହାଜ ଉଡ଼ାଇବା ଭଳି କରିଥିଲେ। ତାଙ୍କ ସହ ସାଥୀ ଖେଳାଳିମାନେ ଏଥିରେ ତାଳ ଦେଇଥିଲେ। କିନ୍ତୁ ପରେ ଭାରତ ଏହି ମ୍ୟାଚ୍‌କୁ ୩-୨ ଗୋଲ୍‌ରେ ଜିତି ପାକିସ୍ତାନକୁ କଡ଼ା ଜବାବ ଦେବା ସହ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ଏହି ବିଜୟ ସହ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହିଥିଲା। ପାକିସ୍ତାନକୁ ହରାଇବା ପୂର୍ବରୁ ଭାରତ ୬-୦ରେ ମାଳଦ୍ବୀପକୁ ଏବଂ ୧-୦ରେ ଭୁଟାନକୁ ହରାଇଥିଲା। ଭାରତ ୨୫ ତାରିଖ ସେମିଫାଇନାଲ୍‌ରେ ନେପାଳକୁ ଭେଟିବ। ଅନ୍ୟଏକ ସେମିଫାଇନାଲ୍‌ରେ ବାଂଲାଦେଶ-ପାକିସ୍ତାନ ମୁହାଁମୁହିଁ ହେବେ।