ସାମ୍ବାଦିକଙ୍କ ନାଁ ଉଜାଗର କଲେ ସାହା: ‌ବୋରିଆ ଦେଲେ ମାନହାନୀ ମୋକଦ୍ଦମା ଧମକ

କୋଲକାତା: ହ୍ବାଟ୍ସଆପ୍‌ରେ ଧମକଭରା ବାର୍ତ୍ତା ପଠାଇଥିବା ସାମ୍ବାଦିକଙ୍କ ନାଁ ଉପରୁ ପରଦା ଉଠାଇଛନ୍ତି ଭାରତୀୟ ୱିକେଟ୍‌ରକ୍ଷକ ଋଦ୍ଧିମାନ ସାହା। ଏହି ମାମଲାର ତଦନ୍ତ କରୁଥିବା ୩ ଜଣିଆ ବିସିସିଆଇ ସମିତି ଆଗରେ କିଭଳି ଏବଂ କେଉଁ ପରିସ୍ଥିତିରେ ତାଙ୍କୁ ସଂପୃକ୍ତ ସାମ୍ବାଦିକ ଜଣକ ଧମକ ଚମକ ଦେଇଥିଲେ ସେ କଥା ଖୋଲି କହିଛନ୍ତି ସେ। ରବିବାର ଏହି ବିଷୟରେ ସୂଚନା ଦେବାକୁ ଯାଇ ସାହା କହିଥିଲେ ଯେ ମୁଁ ଯାହା ଜାଣିଥିଲି ସବୁକିଛି ତଦନ୍ତ ସମିତିକୁ କହିଛି। ସେମାନଙ୍କ ସହ ସବୁ ତଥ୍ୟ ବାଣ୍ଟିଛି। ଏବେ ମୁଁ ଏହି ବିଷୟରେ ଅଧିକ କିଛି କହିବାକୁ ଚାହୁନି। ଏହି ବୈଠକ ବିଷୟରେ ସର୍ବସାଧାରଣରେ ମୁହଁ ନଖୋଲିବାକୁ ବିସିସିଆଇ ମୋତେ କହିଛି। ଏଥିନେଇ ଯାହା ବି ପ୍ରଶ୍ନ ଆସିବ, ତାର ଉତ୍ତର ସେମାନେ ହିଁ ଦେବେ। ସାହା ଏଭଳି ମନ୍ତବ୍ୟ ଦେବାର ଠିକ୍ ପରେ ପରେ କ୍ରିକେଟ୍ ଐତିହାସିକ, ସାମ୍ବାଦିକ ତଥା ବିଶ୍ଳେଷକ ବୋରିଆ ମଜୁମଦାର ଏକ ଭିଡିଓ ଟ୍ବିଟ୍ କରି ସେ ହିଁ ସେହି ସାମ୍ବାଦିକ ବୋଲି ନିଜ ଆଡ଼ୁ ସମସ୍ତଙ୍କୁ ଜଣାଇ ଦେଇଥିଲେ। ୯ ମିନିଟ୍‌ ଲମ୍ବା ଏହି ଭିଡିଓରେ ସାହା ଓ ତାଙ୍କ ଭିତରେ ୱାଟ୍ସଆପ୍ ବାର୍ତ୍ତାର ଆଦାନପ୍ରଦାନ ହୋଇଛି ବୋଲି ସ୍ବୀକାର କରିଥିଲେ। ତେବେ ସେ (ସାହା) ଯାହା କହିଛନ୍ତି ତାହା ଘଟଣାର ଗୋଟିଏ ପାର୍ଶ୍ବ ମାତ୍ର। ସାହା ପ୍ରକୃତରେ ମୁଁ ପଠାଇଥିବା ବାର୍ତ୍ତାକୁ ଅଦଳବଦଳ କରି ଅନୁକମ୍ପା ସାଉଣ୍ଟିବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ ବୋରିଆ। ତା ସହ ଆଗାମୀ ସମୟରେ ଏଥିଲାଗି ସାହାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା କରିବେ ବୋଲି ଧମକ ଦେଇଥିଲେ।

ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ସାହା ଫେବ୍ରୁଆରି ୨୩ରେ ସିରିଜ୍ ଟ୍ବିଟ୍ କରି ତାଙ୍କୁ କିଭଳି ଜଣେ ସାମ୍ବାଦିକ ଧମକଭରା ବାର୍ତ୍ତା ପଠାଇଛନ୍ତି ସେ ବିଷୟରେ ଜଣାଇଥିଲେ। ଏହା ପରେ ବିସିସିଆଇ ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। ୩ ଜଣିଆ ସମିତି ଗଠନ କରି ମାମଲାର ସତ୍ୟାସତ୍ୟ ଜାଣିବାକୁ ପ୍ରୟାସ କରିଥିଲା। ୩୭ ବର୍ଷୀୟ ସାହାଙ୍କୁ ଚୟନକର୍ତ୍ତାମାନେ ଶ୍ରୀଲଙ୍କା ଶୃଙ୍ଖଳା ପାଇଁ ଅଣଦେଖା କରିବା ପରେ ଭାରତୀୟ ଡ୍ରେସିଂ ରୁମ୍‌ର ଗୁମର କଥାକୁ ପଦାରେ ପକାଇ ବିବାଦ ସୃଷ୍ଟି କରିଥିଲେ। ଦି ୱାଲ ତଥା ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ କିଭଳି ଭାବେ ତାଙ୍କୁ ଏକଦା ଅବସର କଥା ଚିନ୍ତା କରିବାକୁ କହିଥିଲେ ସେ କଥା କହି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ସହ ହୋଇଥିବା କଥୋପକଥନର ବିବରଣୀ ପ୍ରଦାନ କରି ହଇଚଇ ସୃଷ୍ଟି କରିଥିଲେ। ଏହା ପରେ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ତାଙ୍କୁ ‘ସି’ ଗ୍ରେଡ୍‌କୁ ଖସାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର