ଭୁବନେଶ୍ବର : ଅନ୍ତଃଜିଲ୍ଲା ଫୁଟ୍ବଲ ସାହାଣୀ କପ୍ରେ ଶନିବାର ଖେଳାଯାଇଥିବା ୪ ମ୍ୟାଚ୍ରେ କନ୍ଧମାଳ, ଭଦ୍ରକ, ସମ୍ବଲପୁର ଓ ଖୋର୍ଦ୍ଧା ବିଜୟ ହାସଲ କରିଛନ୍ତି।
ଚୌଦ୍ବାରର ଓଟିଏମ୍ ଗ୍ରାଉଣ୍ଡରେ କନ୍ଧମାଳ ୫-୧ ଗୋଲ୍ରେ ଢେଙ୍କାନାଳକୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ରମେଶ ଓରାମ (୨୯ ଓ ୫୦ ମିନିଟ୍) ଦୁଇଟି ଗୋଲ୍ କରିଥିଲା ବେଳେ, ବିଜୟ ମୁଖୀ (୧୨), ରାହୁଲ ମୁଖୀ (୬୯) ଓ ମାନସ ସାମଲ (୭୧) ଗୋଟିଏ ଲେଖାଏଁ ଗୋଲ୍ ଯୋଡ଼ିଥିଲେ। ଢେଙ୍କାନାଳ ପକ୍ଷରୁ ଏକମାତ୍ର ଗୋଲ୍ଟି ସଚିନ ମଲ୍ଲିକ (୪୦ ମିନିଟ୍) ଶୁଝିଥିଲେ। କଟକର ବିଡ଼ାନାସୀ ଗ୍ରାଉଣ୍ଡରେ ସମ୍ବଲପୁର ଦଳ ୧୦-୦ ଗୋଲ୍ରେ ନୂଆପଡ଼ାକୁ ପରାସ୍ତ କରିଥିଲା। ବିଜୁ ଓରାମ ଏକାକୀ (୨୭, ୪୫+୧, ୫୬, ୭୦ ଓ ୭୬ ମିନିଟ୍) ୫ ଗୋଲ୍ କରିଥିଲା ବେଳେ ପିତ୍ର ମୁଣ୍ଡା (୧୭), ରଞ୍ଜନ ମୁଣ୍ଡା (୫୨), ଗୋପାଳ ଓରାମ (୮୧) ଏବଂ ସୁମିତ ଓରାମ (୮୨) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ।
ଭୁବନେଶ୍ବରର କ୍ୟାପିଟାଲ ଗ୍ରାଉଣ୍ଡରେ ଭଦ୍ରକ ୨-୦ ଗୋଲ୍ରେ କେନ୍ଦ୍ରାପଡ଼ାକୁ ପରାସ୍ତ କରିଥିଲା। ରମାକାନ୍ତ ହେମ୍ବ୍ରମ୍ (୫୮ ଓ ୮୯ ମିନିଟ୍) ଦୁଇଟିଯାକ ଗୋଲ୍ କରିଥିଲେ। ସେହିପରି ଭୁବନେଶ୍ବରର ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଖୋର୍ଦ୍ଧା ୨-୧ ଗୋଲ୍ରେ କଳାହାଣ୍ଡିକୁ ପରାସ୍ତ କରିଥିଲା ଖୋର୍ଦ୍ଧା ପାଇଁ ସୌମ୍ୟରଞ୍ଜନ ସ୍ବାଇଁ (୩୮ ମିନିଟ୍) ଗୋଟିଏ ଗୋଲ୍ କରିଥିଲା ବେଳେ କଳାହାଣ୍ଡିର ନିର୍ମଳ ଓରାମଙ୍କ ଆତ୍ମଘାତୀ ଗୋଲ୍ ବଳରେ ମ୍ୟାଚ୍ ଜିତି ନେଇଥିଲା। କଳାହାଣ୍ଡି ପକ୍ଷରୁ ସମୀର ମାଝୀ ଗୋଟିଏ ଗୋଲ୍ କରିଥିଲେ।