ଭୁବନେଶ୍ବର : ଅନ୍ତଃଜିଲ୍ଲା ଫୁଟ୍ବଲ ସାହାଣୀ କପ୍ରେ ଶନିବାର ୪ଟି ମ୍ୟାଚ୍ ଖେଳାଯାଇଥିଲା। ସେଥିରୁ ଦୁଇଟିରେ କେନ୍ଦୁଝର ଓ କଟକ ଦଳ ବଡ଼ ବିଜୟ ହାସଲ କରିଥିଲା ବେଳେ ଅନ୍ୟ ଦୁଇଟିରେ ଯାଜପୁର ଓ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛନ୍ତି।
ଚୌଦ୍ବାରର ଓଟିଏମ୍ ଗ୍ରାଉଣ୍ଡରେ କେନ୍ଦୁଝର ୧୪-୦ ଗୋଲ୍ରେ ରାୟଗଡ଼ାକୁ ପରାସ୍ତ କରିଥିଲା। ପଙ୍କଜ ସର୍ଦାର (୬୪, ୬୫, ୭୯ ଓ ୮୭ ମିନିଟ୍) ବିଜୟୀ ଦଳ ପକ୍ଷରୁ ସର୍ବାଧିକ ୪ ଗୋଲ୍ କରିଥିଲା ବେଳେ ରାଉତ ମୁଣ୍ଡା (୩୮, ୮୪ ଓ ୯୦+୧ ମିନିଟ୍) ଓ ଅଭିମନ୍ୟୁ ମହାକୁଡ଼ (୪୪, ୬୭, ୬୯ ମିନିଟ୍) ୩ ଲେଖାଏଁ ଏବଂ ଅଜୟ ଟୁଟି (୫୭, ୭୫ ମିନିଟ୍) ୨, ତ୍ରିନାଥ ନାଗ (୪୪ ମିନିଟ୍) ଓ ମଙ୍ଗଳ ମୁଣ୍ଡା (୯୦ ମିନିଟ୍) ଗୋଟିଏ ଲେଖାଁଏ ଗୋଲ୍ ଯୋଡ଼ିଥିଲେ।
କଟକର ବିଡ଼ାନାସୀ ଗ୍ରାଉଣ୍ଡରେ କଟକ ଦଳ ୭-୧ ଗୋଲ୍ରେ ଦେବଗଡ଼କୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ବିଜୟ ବେହେରା (୪୭, ୫୮ ମିନିଟ୍) ଓ ଦୀନବନ୍ଧୁ ଦାସ (୨, ୮୨ ମିନିଟ୍) ୨ ଲେଖାଏଁ ଏବଂ ରାଜେଶ ନାୟକ (୩୧ ମିନିଟ୍), ପ୍ରକାଶ ନାୟକ (୩୩ ମିନିଟ୍), ବାପୁନୀ ବିନ୍ଧାଣୀ (୪୧ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଦେବଗଡ଼ ପକ୍ଷରୁ ମୁକୁନ୍ଦ ଶେଖର ବେହେରା (୬୮ ମିନିଟ୍) ଏକମାତ୍ର ଗୋଲ୍ଟି ଶୁଝି ପାରିଥିଲେ।
ଭୁବନେଶ୍ବରର କ୍ୟାପିଟାଲ ଗ୍ରାଉଣ୍ଡରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆର୍ଏସ୍ପି) ୧-୦ରେ ସୁବର୍ଣ୍ଣପୁରକୁ ମାତ୍ ଦେଇଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଏକମାତ୍ର ଗୋଲ୍ଟି ବିଜୟୀ ଦଳର ସମୀର କେର୍କେଟା (ଚତୁର୍ଥ ମିନିଟ୍) ସ୍କୋର୍ କରିଥିଲେ।
ସେହିପରି ଭୁବନେଶ୍ବରର ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଯାଜପୁର ୨-୧ ଗୋଲ୍ରେ ନବରଙ୍ଗପୁରକୁ ପରାସ୍ତ କରିଥିଲା। ଯାଜପୁର ପକ୍ଷରୁ ସୁନିଲ ସର୍ଦାର (୭୮ ଓ ୮୯ ମିନିଟ୍) ଏକାକୀ ଦୁଇଟିଯାକ ଗୋଲ୍ କରିଥିଲା ବେଳେ ନବରଙ୍ଗପୁର ପକ୍ଷରୁ ନିଉଟ୍ରାଲ ବୋତ୍ରା (୩୫ ମିନିଟ୍) ଗୋଟିଏ ଗୋଲ୍ ଶୁଝି ପାରିଥିଲେ।