କଟକ/ବ୍ରହ୍ମପୁର: ଓଡ଼ିଶା ଫୁଟ୍ବଲ୍ ସଂଘ (ଫାଓ) ଏବଂ ରାଜ୍ୟ କ୍ରୀଡ଼ା ବିଭାଗ ମିଳିତ ଆନୁକୂଲ୍ୟରେ ୬୪ତମ ବରିଷ୍ଠ ପୁରୁଷ ଫୁଟବଲ୍ ପ୍ରତିଯୋଗିତା ‘ସାହାଣୀ କପ୍’ ବୁଧବାରଠୁ ଓଡ଼ିଶାର ୪ଟି ଜୋନ୍ରେ ଉଦ୍ଘାଟିତ ହୋଇଛି। ବୌଦ୍ଧ ଜୋନ୍ରେ ସମ୍ବଲପୁର ୩-୦ ଗୋଲ୍ରେ କନ୍ଧମାଳକୁ ଏବଂ ବୌଦ୍ଧ ୧-୦ରେ ନୂଆପଡ଼ାକୁ ପରାସ୍ତ କରିଛି। ସେହିପରି କେନ୍ଦ୍ରାପଡ଼ା ଜୋନ୍ରେ ଝାରସୁଗୁଡ଼ା ୨-୧ ଗୋଲ୍ରେ ଜଗତସିଂହପୁରକୁ ଏବଂ ଭଦ୍ରକ ୨-୦ରେ କେନ୍ଦ୍ରାପଡ଼ାକୁ ହରାଇଛି। କେନ୍ଦୁଝର ଜୋନ୍ରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ୪-୧ ଗୋଲ୍ରେ ଯାଜପୁରକୁ ଏବଂ କେନ୍ଦୁଝର ୧-୦ ଗୋଲ୍ରେ ଅନୁଗୁଳକୁ ପରାସ୍ତ କରିଛି। ବ୍ରହ୍ମପୁର ଜୋନ୍ରେ ଭୁବନେଶ୍ବର ୩-୦ ଗୋଲ୍ରେ ନବରଙ୍ଗପୁରକୁ ପରାସ୍ତ କରିଥିବା ବେଳେ ଗଞ୍ଜାମ-ଗଜପତି ମ୍ୟାଚ୍ଟି ଗୋଲଶୂନ୍ୟ ଅମୀମାଂସିତ ରହିଛି।
ଫାଓ ପକ୍ଷରୁ ୪ଟି ଜୋନ୍ରେ ଭିନ୍ନଭିନ୍ନ ଭାବେ ଉଦ୍ଘାଟନୀ ସମାରୋହ ଆୟୋଜିତ ହୋଇଥିଲା। କେନ୍ଦୁଝର ଜୋନ୍ରେ କେନ୍ଦୁଝର ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ସଂଘ ସଭାପତି ବିଶାଲ ସିଂହ, ସାହାଣୀ କପ୍ ଆବାହକ ଗଣେଶ୍ବର ମହତ, କେନ୍ଦୁଝର ଏସ୍ପି ନୀତିନ୍ କୌଶଳ କର, ଡିଏଫ୍ଓ ଏଚ୍ଡି. ଧନକର, ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ କୁମାର ମଲ୍ଲିକ, ‘ଫାଓ’ ଉପସଭାପତି ଦିଲୀପ ସାହୁ, ଯୁଗ୍ମସଂପାଦକ ବିଶ୍ବରଞ୍ଜନ ଘଡ଼େଇ, କେନ୍ଦୁଝର ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ଜନାର୍ଦ୍ଦନ ଦାସ, ଉପସଭାପତି ସୁରେଶ କୁମାର ପଟ୍ଟନାୟକ, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ମହାନ୍ତ, କେନ୍ଦ୍ରାପଡ଼ା ଜୋନ୍ରେ ଅତିଥି ଭାବେ ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ାର ଅତିରିକ୍ତ ଏସ୍ପି ଦେବାଶିଷ ଧଳ, ରାଜକନିକା ତହସିଲଦାର ଭାନୁମତି ମାଝି, ‘ଫାଓ’ ଉପସଭାପତି ବିଜୟ ଦାସ, ସହଦେବ ରାଉତ, କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ଏସ୍ଡି ଆକ୍ମଲ ଅଲୀ, କୃଷ୍ଣଚନ୍ଦ୍ର ପଣ୍ଡା, ବ୍ରହ୍ମପୁର ଜୋନ୍ରେ ବ୍ରହ୍ମପୁର ଏସ୍ପି ସୁବର୍ଣ୍ଣ ବିବେକ, ‘ଫାଓ’ କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ସଦସ୍ୟ ନବକିଶୋର ମିଶ୍ର, ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ଜେ. କାମେଶ୍ବର ରାଓ, ସହସଂପାଦକ ଜି. ମନ୍ମଥ ବାବୁ, ବୌଦ୍ଧ ଜୋନ୍ରେ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ବୌଦ୍ଧ ଏଡିଏମ୍ ଅନିରୁଦ୍ଧ ପ୍ରଧାନ, ବୌଦ୍ଧ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ପ୍ରବୀଣ କୁମାର ବାନ୍ନା, ବ୍ଲକ୍ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ବୌଦ୍ଧ ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ଯୁଗଳ କିଶୋର ସାମଲ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।