ଭୁବନେଶ୍ବର: ଭୁବନେଶ୍ବର ଓ କଟକରେ ଚାଲିଥିବା ଅନ୍ତଃଜିଲ୍ଲା ବରିଷ୍ଠ ଫୁଟ୍ବଲ ପ୍ରତିଯୋଗିତା ସାହାଣୀ କପ୍ କ୍ବାର୍ଟରଫାଇନାଲ୍ ପର୍ଯ୍ୟାୟରେ ମଙ୍ଗଳବାର ଗ୍ରୁପ୍-ଏକ୍ସ ଅନ୍ତର୍ଗତ ଶେଷ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା। ଭୁବନେଶ୍ବର କ୍ୟାପିଟାଲ୍ ଫୁଟ୍ବଲ୍ ଏରେନାରେ ଏକ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଝାରସୁଗୁଡ଼ା ୩-୨ ଗୋଲ୍ରେ ବୌଦ୍ଧକୁ ପରାସ୍ତ କରିଥିଲା। ଘାସୀରାମ ମାଝୀ (୧୪ ମିନିଟ୍) ଏବଂ ରୋମୀ ଓରାମ (୪୫+୧ ମିନିଟ୍)ଙ୍କ ଗୋଲ୍ ବଳରେ ଝାରସୁଗୁଡ଼ା ମଧ୍ୟାନ୍ତର ସୁଦ୍ଧା ୨-୦ର ଅଗ୍ରଣୀ ପାଇଥିଲା। ତେବେ ଦ୍ବିତୀୟାର୍ଦ୍ଧରେ ବୌଦ୍ଧ ପକ୍ଷରୁ ଜିତେନ୍ଦ୍ର ଦେହୁରୀ (୫୨ ମିନିଟ୍) ଓ ସମୀର ପ୍ରଧାନ (୮୫ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ସ୍ଥିତି ବରାବର କରିଦେଇଥିଲେ। ମ୍ୟାଚ୍ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ଥିଲା ବେଳେ ୮୬ତମ ମିନିଟ୍ରେ ରୋମୀ ଓରାମଙ୍କ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ହିଁ ଝାରସୁଗୁଡ଼ାକୁ ବିଜୟୀ କରାଇଥିଲା।
ଅନ୍ୟପକ୍ଷରେ ଚୌଦ୍ବାରସ୍ଥିତ ଓଟିଏମ୍ ଗ୍ରାଉଣ୍ଡରେ ସୁନ୍ଦରଗଡ଼ ଓ ବରଗଡ଼ ମ୍ୟାଚ୍ ଗୋଲ୍ଶୂନ୍ୟ ଭାବେ ଶେଷ ହୋଇଥିଲା। କେହି କାହାରିକୁ ଗୋଲ୍ ଦେଇନପାରିବାରୁ ଉଭୟ ଦଳ ପଏଣ୍ଟ ବାଣ୍ଟିଥିଲେ। ମ୍ୟାଚ୍ ଦୁଇଟିକୁ ଦୁର୍ଗାମାଧବ ଆଚାର୍ଯ୍ୟ, ବିପୁଲ କୁମାର ବିଦ୍ୟାଧର, ସାକାୱତ୍ ଖାନ୍, ପ୍ରଶାନ୍ତ ବେହେରା, ଜ୍ୟୋତିରଞ୍ଜନ ସ୍ବାଇଁ, ଦିଲିପ ରାଉତ, ଶଶିକାନ୍ତ ଦାସିଆ, ଜିତେନ୍ଦ୍ରୀୟ ଥାନାପତି ପରିଚାଳନା କରିଥିଲା ବେଳେ ସୁଦୀପ୍ତା ଦାଶ ଓ ଯୁଗଳ କିଶୋର ଦାସ ମ୍ୟାଚ୍ କମିଶନର ରହିଥିଲେ।