ଓଡ଼ିଶା ଏଫ୍‌ସି ସହ ଯୋଡ଼ି‌ହେଲେ ସାହିଲ, ସେବାସ୍ତିଆନ୍‌

ଭୁ‌ବନେଶ୍ବର : ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଆଗାମୀ ଅଷ୍ଟମ ସଂସ୍କରଣ ପୂର୍ବରୁ ଓଡ଼ିଶା ଏଫ୍‌ସି ଡିଫେଣ୍ଡର ସାହିଲ ପନ୍‌ୱାର ଏବଂ ସେବାସ୍ତିଆନ୍‌ ଥାଙ୍ଗମୁଆଁସାଙ୍ଗଙ୍କ ସହ ଚୁକ୍ତି କରିଛି। ୨୧ ବର୍ଷୀୟ ସାହିଲଙ୍କୁ ହାଇଦ୍ରାବାଦ ଏଫ୍‌ସିରୁ ଆଣିଥିଲା ବେଳେ ତାଙ୍କ ସହ ଦୁଇ ବର୍ଷର ଚୁକ୍ତି ହୋଇଛି। ଚୁକ୍ତି ୩ ବର୍ଷ ପାଇଁ ବଢ଼ା ଯିବାର ବିକଳ୍ପ ମଧ୍ୟ ରଖାଯାଇଛି। ଡେରାଡୁନ ଜନ୍ମିତ ସାହିଲ ପୁଣେ ସିଟି ପକ୍ଷରୁ ଖେଳି ନିଜର ପେସାଗତ ଜୀବନ ଆରମ୍ଭ କରିଥିଲେ। ପୁଣେ ସିଟି ଏବଂ ହାଇଦ୍ରାବାଦ ଏଫ୍‌ସି ପକ୍ଷରୁ ୩୭ ମ୍ୟାଚ୍‌ ଖେଳିଥିଲେ। ଏଥିସହ ଭାରତର ବିଭିନ୍ନ ବୟସ ବର୍ଗରେ ସେ ପ୍ରତିନିଧିତ୍ବ କରିଛନ୍ତି। ସେ ୧୮ ବର୍ଷରୁ କମ୍‌ ୨୦୧୭ ସାଫ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ।

ଅନ୍ୟପକ୍ଷରେ ମଣିପୁରର ୨୨ ବର୍ଷୀୟ ରାଇଟ୍‌ ବ୍ୟାକ୍‌ ସେବାସ୍ତିଆନ୍‌ ଆଇ-ଲିଗ୍‌ ବିଜେତା ଗୋକୁଲମ କେରଳ ଏଫ୍‌ସିର ସଦସ୍ୟ ଥିଲେ। ସେ ମଧ୍ୟ ଓଡ଼ିଶା ଏଫ୍‌ସି ସହ ୨ ବର୍ଷ ଲାଗି ଚୁକ୍ତି କରିଛନ୍ତି। ପୁଣେରେ ଖେଳ ଜୀବନ ଆରମ୍ଭ କରିବା ପରେ ସେ ନେରୋକା ଏଫ୍‌ସି ଏବଂ ଚେନ୍ନାଇ ସିଟି ଏଫ୍‌ସି ପକ୍ଷରୁ ଆଇ-ଲିଗ୍‌ ଖେଳିଥିଲେ।

‘‘ସାହିଲ ଓ ସେବାସ୍ତିଆନଙ୍କୁ ଆମେ ସ୍ବାଗତ କରୁଛୁ। ଏମାନଙ୍କ ସାମିଲ ନେଇ ଆମେ ବହୁତ ଖୁସି। ସାହିଲ କମ୍‌ ବୟସ୍କ ହୋଇଥିଲେ ମଧ୍ୟ ଆମେ ତାଙ୍କ ସହ ୨ ବର୍ଷ ଲାଗି ଚୁକ୍ତି କରିଛୁ। ଆମେ ଦୁଇ ବର୍ଷ ହେବ ସେବାସ୍ତିଆନ୍‌ଙ୍କ ଖେଳ ଉପରେ ନଜର ରଖିଥିଲୁ। ଏବେ ସେ ଦଳରେ ଯୋଗ ଦେଇଥିବାରୁ ଆମେ ଖୁସି’’ ବୋଲି ଓଏଫ୍‌ସି ସିଇଇ ରୋହନ ଶର୍ମା ପ୍ରକାଶ କରିଛନ୍ତି। ‘‘ସାହିଲ ଓ ସେବସ୍ତିଆନ୍‌ ଓଡ଼ିଶା ଏଫ୍‌ସିରେ ଯୋଗ ଦେଇଛନ୍ତି। ଉଭୟ ଦେଶର ଭଲ ରକ୍ଷଣଭାଗ ଖେଳାଳି। ‌ଏମାନେ ଦଳକୁ ଆଗକୁ ବଢ଼ାଇବାରେ ସହଯୋଗ କରିବେ’’ ବୋଲି କ୍ଲବ୍‌ର ସଭାପତି ରାଜ ଅଠୱାଲା କହିଛନ୍ତି। ‘‘ଓଡ଼ିଶା ଏଫ୍‌ସି ସର୍ବଦା ଯୁବ ‌ଫୁଟ୍‌ବଲର୍‌ଙ୍କୁ ପ୍ରୋତ୍ସାହିତ କରେ। ମୁଁ ଏହି ଦଳ ସହ ଚୁକ୍ତି କରିଥିବାରୁ ଅତ୍ୟନ୍ତ ଆନନ୍ଦିତ ଏବଂ ଖେଳିବାକୁ ଅପେକ୍ଷା କରିଛି। ଭାରତରୁ ପ୍ରତିନିଧିତ୍ବ କରିବା ମୋର ଲକ୍ଷ୍ୟ। ଆଶା ରଖିଛି ଆଇଏସ୍‌ଏଲ୍‌ର ଆଗାମୀ ଋତୁରେ କ୍ଲବ୍‌ ମୋତେ ସୁଯୋଗ ପ୍ରଦାନ କରିବ ଏବଂ ମୋ ଲକ୍ଷ୍ୟ ହାସଲ କରିବାରେ ଏହା ସହଯୋଗ କରିବ।’’ ବୋଲି ସାହିଲ କହିଛନ୍ତି। ‘‘ଓଡ଼ିଶା ଏଫ୍‌ସି ସହ ଯୋଡ଼ି ହୋଇଥିବାରୁ ମୁଁ ବହୁତ ଖୁସି। ଅଧିକାରୀମାନେ ମୋ ଉପରେ ରଖିଥିବା ଅଶା ନିଶ୍ଚିତ ପୂରଣ କରି ପ୍ରଶଂସକମାନକୁ ଖୁସି ଦେବି। ମୋ ନୂଆ ଦଳୀୟ ସାଥୀମାନଙ୍କ ସହ ଦେଖା କରିବା ଲାଗି ଆଉ ଅପେକ୍ଷା ନକରି ସେମାନଙ୍କ ସହ ଅଭ୍ୟାସ ଆରମ୍ଭ କରିଦେବି’’ ବୋଲି ସେବାସ୍ତିଆନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର