ପ୍ରମୋଦଙ୍କ ପ୍ରସ୍ତାବକୁ ‘ସାଇ’ର ସ୍ବୀକୃତି

ଭୁବନେଶ୍ବର: ବିଶ୍ବର ଏକ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି ତଥା ଓଡ଼ିଶା ତାରକା ପ୍ରମୋଦ ଭଗତ ଏବେ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ରହିଛନ୍ତି। ଏହି କ୍ରମରେ ସେ ଜାପାନରେ ପ୍ରଶିକ୍ଷଣ ନେବା ସହ ସେଠାରେ ମଧ୍ୟ ଏକ ପ୍ରତିଯୋଗିତା ଖେଳିବେ। ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ)ର ମିସନ ଅଲିମ୍ପିକ୍ସ ସମିତି ଏଥିଲାଗି ଆର୍ଥିକ ଅନୁଦାନ ମଞ୍ଜୁରି କରିଛି। ପ୍ରମୋଦଙ୍କ ସହ ପାରାବ୍ୟାଡମିଣ୍ଟନ୍ ତାରକା ସୁହାସ ୟତିରାଜ, ସୁକାନ୍ତ କଦମ, ମନୋଜ ସରକାର ଏବଂ ତରୁଣ ଦେଇଥିବା ପ୍ରସ୍ତାବକୁ ମଧ୍ୟ ଅଲିମ୍ପିକ୍ସ ସମିତି ଗ୍ରହଣ କରିଛି। ଜାପାନ ପ୍ରଶିକ୍ଷଣ ଶିବିର ଏବଂ ପ୍ରତିଯୋଗିତା ବୁଧବାର ଆରମ୍ଭ ହୋଇଥିଲା ବେଳେ ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରଶିକ୍ଷଣ ଶିବିରରେ ଜାପାନ, ଇଣ୍ଡେ‌ାନେସିଆ, ପେରୁ, ବ୍ରାଜିଲ ଓ ଭାରତୀୟ ଖେଳାଳିମାନେ ଯୋଗ ଦେଇଛନ୍ତି। ପ୍ରମୋଦଙ୍କ ସହ ରାଜ୍ୟର ଅନ୍ୟତମ ପାରା ବ୍ୟାଡମିଣ୍ଟନ୍ ତାରକା ସୁନୀଲ ପ୍ରଧାନ ମଧ୍ୟ ଜାପାନ ଯାଇଛନ୍ତି। ସେହିଭଳି ଅନ୍ୟତମ ଓଡ଼ିଆ ପାରାଆଥଲେଟ୍ ଜୟନ୍ତୀ ବେହେରାଙ୍କ ପାରା ଆଥଲେଟ୍ ବିଶ୍ବ ପ୍ରତିଯୋଗିତା ଅଂଶଗ୍ରହଣକୁ ମଧ୍ୟ ମଞ୍ଜୁରି ମିଳିଛି। ଜୟନ୍ତୀ ଏଥିଲାଗି ଦୁବାଇ ଗସ୍ତ କରି ସାରିଥିଲା ବେଳେ ଶନିବାର ମଇଦାନକୁ ଓହ୍ଲାଇବାର ଅଛି। ଏହି ପ୍ରତିଯୋଗିତା ଦୁବାଇରେ ଗୁରୁବାର ଆରମ୍ଭ ‌ହୋଇ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଶୁକ୍ରବାର ସମିତି ମୋଟ ୭୦ ଲକ୍ଷ ଟଙ୍କାର ଅନୁଦାନକୁ ମଞ୍ଜୁରି ଦେଇଛି। ସାଇ ମହାନିର୍ଦେଶକ ସନ୍ଦୀପ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ତିନିଟି ଜାତୀୟ ମହାସଂଘ ଯଥା ସର୍ବଭାରତୀୟ ଦୌଡ଼କୁଦ ମହାସଂଘ, ମୁଷ୍ଟିଯୁଦ୍ଧ ମହାସଂଘ ଓ କୁସ୍ତି ମହାସଂଘ ୨୦୨୦, ୨୦୨୪ ଏବଂ ୨୦୨୮ ଲାଗି ନିଜ ନିଜର ଯୋଜନା, ରଣନୀତି ଏବଂ ପ୍ରତିଭା ଚିହ୍ନଟ ବିଷୟରେ ଚିଠା ପୈଠ କରିଥିଲେ। ସମିତି ମଧ୍ୟ ଏହି ଅବସରରେ ତିନି ଜଣ ଟେବୁଲ ଟେନିସ୍ ଖେଳାଳି ଜି ସାଥୀଆନ୍, ଅଚନ୍ତ ଶରଥ କମଲ ଓ ମନିକା ବାତ୍ରାଙ୍କୁ ଭାରତ ଏବଂ ଭାରତ ବାହାରେ ପ୍ରଶିକ୍ଷଣ ନେବା ଏବଂ ବିଭିନ୍ନ ବିଦେଶୀ ପ୍ରତିଯୋଗିତାରେ ଖେଳିବାକୁ ଅନୁମତି ପ୍ରଦାନ କରିଥିଲା। ପୁରୁଷ ବ୍ୟାଡମିଣ୍ଟନ୍ ତାରକା କିଦାମ୍ବି ଶ୍ରୀକାନ୍ତ, ସମୀର ବର୍ମା, ଏଚ୍ ଏସ୍ ପ୍ରଣୟ ଏବଂ ସାଇ ପ୍ରଣୀତଙ୍କ ପ୍ରଶିକ୍ଷକ ସିୟାଦ ଉଲ୍ଲା ଏବଂ ଟ୍ରେନର ଗଣେଶଙ୍କ ଦରମା ସାଇ ଦେବ ବୋଲି ଘୋଷଣା କରିଥିଲା। ମହିଳା ବ୍ୟାଡମିଣ୍ଟନ ‌ଖେଳାଳି ଅଶ୍ବିନୀ ପୋନାପ୍ପା, ଏନ୍ ସିକି ରେଡ୍ଡୀଙ୍କ ସହ ଚିରାଗ ସେଟ୍ଟୀ, ପ୍ରଣବ ଜେରି ଚୋପ୍ରା, ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଶ୍ରୀକାନ୍ତଙ୍କ ଖେଳ ସରଞ୍ଜାମ, ଫିଟନେସ୍ ଏବଂ ପ୍ରଶିକ୍ଷଣ ଆବଶ୍ୟକତାକୁ ପୂରଣ କରିବାକୁ ସମ୍ମତି ଦେଇଥିଲା। ନ୍ୟୁଜିଲାଣ୍ଡରେ ଡିସେମ୍ବର ୬ରୁ ୮ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ସାଇକ୍ଲିଂ ବିଶ୍ବକପ୍‌ରେ ଅଂଶଗ୍ରହଣ କରିବା ଲାଗି ଚାରି ଜଣ ଭାରତୀୟ ଖେଳାଳି ଦେଇଥିବା ପ୍ରସ୍ତାବକୁ ବି ସମିତି ଗ୍ରହଣ କରିଥିଲା। ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ବୁଲଗେରିଆରେ ଦୁଇ ସପ୍ତାହ ପ୍ରଶିକ୍ଷଣ ନେବା ଲାଗି ଅନୁମତି ମିଳିବା ଓ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଜଣେ ‌ଷ୍ଟ୍ରେନ୍ଥ ଏବଂ କଣ୍ଡିଂସନିଂ ପ୍ରଶିକ୍ଷକ ନିଯୁକ୍ତ କରିବାକୁ ପୁରୁଷ କିସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଅନୁମତି ଦେଇଥିଲା।

ସମ୍ବନ୍ଧିତ ଖବର