ସାଇ ହଷ୍ଟେଲ ଜିତିଲା ମହିଳା ମ୍ୟାଚ୍

ଭୁବନେଶ୍ବର,: ନବଜ୍ୟୋତି କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ମଦନପୁର କପ୍ ଫୁଟବଲ୍ ପ୍ରତିଯୋଗିତା ଅବସରରେ ବୁଧବାର ଖେଳା ଯାଇଥିବା ମହିଳା ପ୍ରଦର୍ଶନୀ ମୁକାବିଲାରେ ସାଇ ହଷ୍ଟେଲ୍ କଟକ ଟାଇବ୍ରେକରରେ ଏନ୍‌ଏଫ୍‌ସି ଏକାଦଶକୁ ପରାସ୍ତ କରି ବିଜେତା ହୋଇଥିଲା। ନିର୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେବା ପରେ ସାଇ ହଷ୍ଟଲ ଟାଇବ୍ରେକରକୁ ୪-୩ରେ ଜିତି ବିଜେତା ଆଖ୍ୟା ଅର୍ଜନ କରିଥିଲା। ନିର୍ଧାରିତ ସମୟ‌ରେ ବର୍ଷା ମହାକୁଡ଼ ( ୨୮ ମିନିଟ୍ ସାଇ) ଏବଂ ସତ୍ୟବତୀ ଖେଡ଼ିଆ (୩୫ ମିନିଟ୍ ଏନ୍‌ଏଫ୍‌ସି) ଗୋଲ୍ ଦେଇଥିଲେ। ଟାଇବ୍ରେକରରେ ସାଇ ପକ୍ଷରୁ ନମିତା ବିଶି, ଦୀପା ନାୟକ, ସୁସ୍ମିତା ଦଳେଇ ଓ ସୋନି ବେହେରା ସଫଳ ହୋଇଥିଲା ବେଳେ ଏନ୍‌ଏଫ୍‌ସି ପକ୍ଷରୁ ସୁନୀତା ସୋରେନ, ସୋନାଲି ବେ‌ହେରା ଓ ସତ୍ୟବତୀ ଖେଡ଼ିଆ ସଫଳ ‌ହୋଇଥିଲେ। ଏହି ଅବସରରେ ଅନ୍ତର୍ଜାତୀୟ ମହିଳା ଫୁଟବଲ୍ ତାରତା ଗୀତାଞ୍ଜଳି ଖୁଣ୍ଟିଆଙ୍କୁ ସମ୍ବର୍ଧିତ କରାଯାଇଥିଲା। ମଦନପୁର ସରପଞ୍ଚ ରଶ୍ମିତା ନାୟକ, ବ୍ରଜବନ୍ଧୁ ଛୁଆଳସିଂହ ଓ ନରେନ୍ଦ୍ର ଚମ୍ପତ୍ତି ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ମନୋରଞ୍ଜନ ଖୁଣ୍ଟିଆ, ରମେଶ ପାଇକରାୟ ଓ ଏମଏସ୍ ବେଗ୍ ଖେଳ ପରିଚାଳନା କରିଥିଲେ। ବର୍ଷା ମହାକୁଡ଼ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର