ସାଇ ପ୍ରଶିକ୍ଷଣ କେନ୍ଦ୍ର ଛାଡ଼ିବେ ଭଲିବଲ୍‌ ଖେଳାଳି, ଅନୁରୋଧ ଶୁଣିଲେନି କର୍ତ୍ତୃପକ୍ଷ

ଖେଳାଳିଙ୍କ ଭବିଷ୍ୟତ ପାଇଁ ଆଗକୁ ଆସିଲେ ଭଲିବଲ ଓ ଅଲିମ୍ପିକ ସ˚ଘ

କଟକ: କଟକ ସାଇ ପ୍ରଶିକ୍ଷଣ କେନ୍ଦ୍ରରୁ ଶୁକ୍ରବାରଠୁ ବିଦା ହେବେ ଭଲିବଲ୍‌ ଖେଳାଳି। କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ସମସ୍ତ ଖେଳାଳି ଓ ପ୍ରଶିକ୍ଷକଙ୍କୁ ହଷ୍ଟେଲ ଛାଡ଼ିବାକୁ ପଡ଼ିବ। ଶେଷ ଥର ପାଇଁ ଗୁରୁବାର ସମସ୍ତ ଖେଳାଳିମାନେ ଅଭ୍ୟାସ ଶେଷ କରି ନିରାଶା ଭାବ ସହ ଫେରିଥିଲେ। ସ˚ଧୢାବେଳେ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ ବି କାର୍ଯ୍ୟାଳୟ ବନ୍ଦ ଥିବାରୁ ସମସ୍ତେ ହତାଶ ହୋଇଛନ୍ତି। ଯାହାଫଳରେ ଶୁକ୍ରବାରଠୁ ସମସ୍ତେ ନିଜନିଜ ଘରକୁ ଫେରିବାକୁ ବାଧ୍ୟ ହେବେ ବୋଲି ସୂଚନା ଦେଇଛନ୍ତି।

ତେବେ କଟକରୁ ଖେଳାଳିମାନେ ବାହାରକୁ ଚାଲିଗଲେ, କେବଳ ରାଜ୍ୟର କ୍ଷତି ହେବ ନୁହେଁ, ବର˚ ବ୍ୟକ୍ତିଗତ ଭାବେ ଖେଳାଳିମାନେ ଅନେକ ସମସ୍ୟାରେ ପଡିବେ। ଏଠାରେ ଥିବା ଖେଳାଳିଙ୍କ ମଧ୍ୟରୁ ଯାଜପୁର, କେନ୍ଦ୍ରାପଡା, ଝାରସୁଗୁଡା ଇତ୍ୟାଦି ଜିଲ୍ଲାମାନଙ୍କରୁ ଅଧିକା˚ଶ ପ୍ରଶିକ୍ଷଣ ନେଉଥିଲେ। କଟକରେ ରହିବା ପରଠୁ ଏଠାରେ ଥିବା ସ୍କୁଲ୍‌ ଓ କଲେଜମାନଙ୍କରେ ନାମ ଲେଖାଇଥିଲେ। ଏବେ ପୁଣି ଥରେ ସେମାନଙ୍କୁ ଟିସି ନେଇ ନିଜନିଜ ଜିଲ୍ଲାକୁ ଫେରିଯିବାକୁ ପଡିବ। ଏହାବ୍ୟତୀତ ଯଦି ଓଡ଼ିଶାର ଖେଳାଳିମାନେ ବିହାର କିମ୍ବା ଝାଡ଼ଖଣ୍ତ ପାଇଁ ଖେଳିବାକୁ ଯାଅନ୍ତି, ତାହାଲେ ସେମାନେ ଜାତୀୟ ସ୍ତରରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିପାରିବେନି। ଯେଉଁମାନେ ରାଜ୍ୟ ଛାଡ଼ିବେନି, ସେମାନଙ୍କ କ୍ରୀଡ଼ା ଜୀବନ ସମାପ୍ତ ହୋଇଯିବା ଭଳି ଅବସ୍ଥା ହେବ। ତେଣୁ ସେମାନଙ୍କ ବିଷୟରେ ବିଚାର କରିବାକୁ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଓ ସଚିବଙ୍କୁ ଲିଖିତ ଭାବେ ଅନୁରୋଧ କରାଯାଇଥିବା ରାଜ୍ୟ ଭଲିବଲ ସ˚ଘ ସମ୍ପାଦକ ଗଗନେନ୍ଦୁ ଦାଶ କହିଛନ୍ତି।

ଅନ୍ୟପକ୍ଷରେ ଭଲିବଲ୍‌ ସ୍ଥାନାନ୍ତର ନିର୍ଦ୍ଦେଶ ଉପରେ ରୋକ ଲଗାଇବା ପାଇଁ ଅଲିମ୍ପିକ ସ˚ଘ ପକ୍ଷରୁ ସାଇ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯାଇଛି। ଏ ସ˚କ୍ରାନ୍ତରେ ଆଜି ରାଜ୍ୟର ଏହି ସର୍ବୋଚ୍ଚ ସ˚ଘ ପକ୍ଷରୁ ସାଇ ମହାନିର୍ଦ୍ଦେଶକଙ୍କୁ ଚିଠି ଯୋଗେ ଭଲିବଲ୍‌ ୟୁନିଟ୍‌କୁ କଟକରେ ସ୍ଥାନ ଦେବାକୁ କୁହାଯାଇଥିବା ଅଲିମ୍ପିକ ସ˚ଘର ଭାରପ୍ରାପ୍ତ ସମ୍ପାଦକ ଅଭିଜିତ ପାଲ କହିଛନ୍ତି। ପୂର୍ବରୁ ୨୦୧୩ ଅଗଷ୍ଟ ୮ ତାରିଖରେ ଅଲିମ୍ପିକ ସ˚ଘ ସହିତ କ୍ରୀଡ଼ା ନିର୍ଦ୍ଦେଶକ ଚୁକ୍ତି ସ୍ବାକ୍ଷର କରିଥିଲେ। ଚୁକ୍ତି ଅନୁଯାୟୀ, ସାଇ ପ୍ରଶିକ୍ଷଣ କେନ୍ଦ୍ରର ଅନ୍ତେବାସୀଙ୍କୁ ମାଗଣାରେ ରହିବାକୁ ଯୋଗାଇ ଦିଆଯିବ। କେବଳ ବିଦ୍ୟୁତ ଭଡ଼ା ସାଇ ପକ୍ଷରୁ ପ୍ରଦାନ କରାଯିବ। ଭବିଷ୍ୟତରେ ଏଠାରେ ପାଖାପାଖି ୧୫୦ ଖେଳାଳିଙ୍କୁ ରଖାଯିବା ଭଳି ବ୍ୟବସ୍ଥା କରାଯାଇଥିଲା। କ୍ରୀଡ଼ାର ବିକାଶ ପାଇଁ ଅଲିମ୍ପିକ୍‌ ସ˚ଘ ପକ୍ଷରୁ ଯେଉଁ ଦୂରଦୃଷ୍ଟିର ରଚନା କରାଯାଇଥିଲା, ସେଥିରେ ବର୍ତ୍ତମାନର ସାଇ କତ୍ତୃର୍ପକ୍ଷ ବାଧା ସୃଷ୍ଟି କରିଛନ୍ତି। ଖେଳାଳିମାନଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି, ଏହା ସତ୍ତ୍ବେ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ବଦଳରେ ସେମାନଙ୍କୁ ବିହାର ଓ ଝାଡ଼ଖଣ୍ତ ପଠାଇ ଦେବାକୁ ଚକ୍ରାନ୍ତ କରାଯାଉଛି। କଟକ କେନ୍ଦ୍ରରେ ଅନ୍ତେବାସୀଙ୍କ ସ˚ଖ୍ୟା ବୃଦ୍ଧି କରିବା ପରିବର୍ତ୍ତେ ଏଠାରୁ ଖେଳାଳିଙ୍କୁ ବାହାର କରିଦେବାରେ କତ୍ତୃପକ୍ଷ କ’ଣ ଲାଭ ପାଉଛନ୍ତି, ତାହା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି।

କିଟ୍‌ ଏକାଡେମିରେ ମାଗଣା ପ୍ରଶିକ୍ଷଣ ନେବେ
କଟକ ସାଇ ପ୍ରଶିକ୍ଷଣ କେନ୍ଦ୍ରରେ ଭଲିବଲ୍‌ ଖେଳାଳିଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଇଛି। ଏବେ ସେମାନେ ଆଗକୁ କ’ଣ କରିବେ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଏଭଳି ସମୟରେ ପୁଣି ଥରେ ମହାନତାର ପରିଚୟ ଦେଇଛି କିଟ୍‌। କିଟ୍‌ରେ ଥିବା ଭଲିବଲ୍‌ ଏକାଡେମିରେ ଉକ୍ତ ଖେଳାଳିଙ୍କୁ ମାଗଣାରେ ରହିବା, ଖାଇବା ବ୍ୟବସ୍ଥା ଯୋଗାଇ ଦେବାକୁ ପ୍ରସ୍ତାବ ଦିଆଯାଇଛି। ଏଥିସହିତ ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କ ସହିତ ସାଇ ପ୍ରଶିକ୍ଷକମାନେ ଚାହିଁଲେ ଏଠାରେ ପ୍ରଶିକ୍ଷଣ ଦେଇପାରିବେ। କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଘଟଣାକୁ ଗୁରୁତର ସହ ନେଇଥିଲାବେଳେ କୌଣସି ଖେଳାଳିଙ୍କ ଭବିଷ୍ୟତକୁ ନଷ୍ଟ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି। କିଟ୍‌ କ୍ରୀଡ଼ା ନିର୍ଦ୍ଦେଶକ ତଥା ରାଜ୍ୟ ଭଲିବଲ୍‌ ସ˚ଘର ସମ୍ପାଦକ ଗଗନେନ୍ଦୁ ଦାଶଙ୍କ କହିବାନୁଯାୟୀ, କିଟ୍‌ରେ ସାଇ ଏକ୍ସଟେନସନ ସେଣ୍ଟରରେ ତୀରନ୍ଦାଜୀ ଓ ଦୌଡ଼କୁଦ ଏବ˚ ଖେଲୋ ଇଣ୍ତିଆ ଯୋଜନାରେ ଭାତ୍ତୋତ୍ତୋଳନ ଓ ଦୌଡ଼କୁଦ ପ୍ରଶିକ୍ଷଣ ଦିଆଯାଉଛି। ପ୍ରଥମ କେନ୍ଦ୍ରରେ ସାଇ କେବଳ ଡ୍ରେସ୍‌ ଦେଉଛି ଏବ˚ ଖେଲୋ ଇଣ୍ତିଆରେ କ୍ରୀଡ଼ାବିତ୍‌ଙ୍କ ପିଛା ୫ହଜାର ଟଙ୍କା ପ୍ରଦାନ କରାଯାଉଛି। ଏହା ବ୍ୟତୀତ ସବୁ ଖର୍ଚ୍ଚ କିଟ୍‌ ବହନ କରୁଛି। ତେଣୁ ୧୦ଜଣ ଭଲିବଲ୍‌ ଖେଳାଳିଙ୍କୁ ଏଠାରେ ରଖାଯାଇ ପ୍ରଶିକ୍ଷଣ ଦେଲେ ରାଜ୍ୟର ପ୍ରତିଭା ବିକଶିତ ହେବାରେ ସମସ୍ୟା ହେବ ନାହିଁ ବୋଲି ଡକ୍ଟର ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର