ନୂଆଦିଲ୍ଲୀ: ରବିବାର ଦେଶସାରା ଗୁରୁପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିବା ବେଳେ ଅଧିକାଂଶ ନିଜ ଗୁରୁମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଆଶୀର୍ବାଦ ନେଇଛନ୍ତି। କ୍ରିକେଟ୍ କିଂବଦନ୍ତି ସଚିନ ତେନ୍ଦୁଲକର କିନ୍ତୁ ପ୍ୟାରିସ୍ ଅଲିମ୍ପିକ୍ସ ପ୍ରସ୍ତତିରେ ଥିବା ପ୍ରଶିକ୍ଷକ ତଥା ଗୁରୁମାନଙ୍କ ମନୋବଳ ବଢ଼ାଇବାକୁ ସେମାନଙ୍କୁ ନିଜ ଶୁଭେଚ୍ଛା ବର୍ତ୍ତା ପଠାଇଛନ୍ତି। ନିଜ ଗୁରୁ ରମାକାନ୍ତ ଆଚରେକରଙ୍କୁ ମନେ ପକାଇ ସଚିନ ଲେଖିଛନ୍ତି ‘ଗୁରୁମାନଙ୍କୁ ସେମାନଙ୍କ ଗଭୀର ସଙ୍କଳ୍ପ ପାଇଁ ଗୁରୁ ପୂର୍ଣ୍ଣିମାରେ ମନେ ପକାଇଥାଉ। ରମାକାନ୍ତ ସାର୍ ମୋ ଜୀବନରେ ବଡ଼ ଫରକ ପକାଇଥିଲେ’। ପ୍ୟାରିସ୍ ପ୍ରସ୍ତୁତିରେ ଥିବା ପ୍ରଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ସଚିନ ଲେଖିଛନ୍ତି ‘ଅଲିମ୍ପିକ୍ସ ପାଖେଇ ଆସିଥିବାରୁ ଅଲିମ୍ପିକ୍ ଖେଳର ପ୍ରଶିକ୍ଷକମାନଙ୍କୁ ସେମାନଙ୍କ ତ୍ୟାଗ ଓ ପ୍ରେରଣା ପାଇଁ ଧନ୍ୟବାଦ ଜଣାଉଛି। ସେମାନଙ୍କ ଅବଦାନ ପାଇଁ ଦେଶବାସୀ କୃତଜ୍ଞତା ଜଣାଉଛନ୍ତି। ପ୍ୟାରିସ୍ ଯାଉଥିବା ସମସ୍ତ ପ୍ରଶିକ୍ଷକ ଓ ଖେଳାଳିଙ୍କୁ ମୋ ଶୁଭେଚ୍ଛା ଜଣାଉଛି’। ଗୁରୁ ପୂର୍ଣ୍ଣିମା ଭାରତୀୟ ସଂସ୍କୃତିରେ ଅନେକ ମହତ୍ବ ରଖୁଥିବା ବେଳେ ଏହୋ କେବଳ ହିନ୍ଦୁ ଧର୍ମ ନୁହେଁ ଜୈନ, ବୌଦ୍ଧ, ଶିଖ୍ ସମ୍ପ୍ରଦାୟ ମଧ୍ୟ ପାଳନ କରିଥାନ୍ତି।
ବିସିସିଆଇ ଦେଲା ୮.୫ କୋଟି
ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗନେବାକୁ ଯାଉଥିବା ଭାରତୀୟ ଖେଳାଳିଙ୍କୁ ୮.୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)। ରବିବାର ବିସିସିଆଇ ସଂପାଦକ ଜୟ ଶାହ ନିଜ ‘ଏକ୍ସ’ ଆକାଉଣ୍ଟ୍ରେ ଏହି ଘୋଷଣା କରିଛନ୍ତି। ଆମ ଅତୁଳନୀୟ ଖେଳାଳିଙ୍କୁ ବିସିସିଆଇ ୮.୫ କୋଟି ଟଙ୍କା ସହାୟତା ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ମାଧ୍ୟମରେ ଦେବ ବୋଲି ସେ ଲେଖିଛନ୍ତି। ବିସିସିଆଇର ଏହି ଉଦାରତା ଲାଗି ଆଇଓଏ ମଧ୍ୟ ଶ୍ରୀ ଶାହଙ୍କୁ ଧନ୍ୟବାଦ ଅର୍ପଣ କରିଛି।