ସାମାଜିକ ବାଧା ପାଇଁ ସଂପର୍କ ଲୁଚାଇ ଥିଲେ ସାଇନା-କାଶ୍ୟପ

ହାଇଦ୍ରାବାଦ: ଭାରତୀୟ ବ୍ୟାଡମିଣ୍ଟନ୍ ଜଗତର ଦୁଇ ଲୋକପ୍ରିୟ ତାରକା ସାଇନା ନେହୱାଲ ଏବଂ ପରୁପଲ୍ଲୀ କାଶ୍ୟପ ପରସ୍ପରକୁ ଜୀବନ ସାଥୀ ଭାବେ ବାଛିଛନ୍ତି। ଉଭୟ ଗତବର୍ଷ ଡିସେମ୍ବର ମାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସାଇନା-କାଶ୍ୟପ ପିଲାବେଳର ସାଙ୍ଗ ହୋଇଥିଲା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ସଂପର୍କକୁ ସମସ୍ତଙ୍କଠାରୁ ଲୁଚାଇ ରଖିଥିଲେ। ଏହାର କାରଣ ଉପରୁ ସାଇନା ପରଦା ଉଠାଇଛନ୍ତି।

ସେ କହିଛନ୍ତି, ମୁଁ କାଶ୍ୟପଙ୍କୁ ପ୍ରଥମେ ଆମ ବ୍ୟାଡମିଣ୍ଟନ୍ ପ୍ରଶିକ୍ଷଣ ଶିବିରରେ ଦେଖିଥିଲି। ପ୍ରଥମେ ପ୍ରଥମେ ଆମେ ଭଲ ସାଙ୍ଗ ଥିଲୁ। ସମୟକ୍ରମେ ଏହି ସଂପର୍କ ଆଉ ଟିକେ ଆଗକୁ ବଢ଼ି ଯାଇଥିଲା। ଯେତେବେଳେ ଅପଣ ନିଜ ଶ୍ରେଷ୍ଠ ବନ୍ଧୁଙ୍କୁ ପ୍ରେମ କରି ବସନ୍ତି, ତାଠାରୁ ଆଉ ଭଲ କିଛି ନଥାଏ। ମୁଁ ଜାଣିଥିଲି ଯେ ସେ ହିଁ ସେହି ବ୍ୟକ୍ତି ଯାହା ସହ ମୁଁ ସାରା ଜୀବନ କଟାଇବାକୁ ଚାହେଁ। ହେଲେ କିଛି କାରଣ ପାଇଁ ଆମ ସଂପର୍କକୁ ଆମେ ଲୁଚାଇ ରଖିବାକୁ ବାଧ୍ୟ ହୋଇଥିଲୁ। ମୁଁ ହରିଆଣାର ହୋଇଥିଲା ବେଳେ ସେ ହାଇଦ୍ରାବାଦର ଥିଲେ। ଏବେ ବି ଆମ ଦେଶରେ ଭିନ୍ନ ଭିନ୍ନ ଜାତିରେ ବିବାହ କରିବା ବିରଳ କଥା। ଜାତି, ଧର୍ମ, ଲିଙ୍ଗ ଏବଂ ବୟସ ପାଇଁ ଅନେକ ଏବେ ବି ନିଜ ସଂପର୍କକୁ ଲୁଚାଇ ରଖୁଛନ୍ତି। ଏହି ସବୁ କଥା ଦୂର ହେବା ଉଚିତ। ମୁଁ ଏବେ ମୋ ଜୀବନକୁ ନେଇ ବହୁତ ଖୁସି। ସାଇନା ବିଶ୍ବର ପୂର୍ବତନ ଏକ ନମ୍ବର ମହିଳା ବ୍ୟାଡମିଣ୍ଟନ୍ ତାରକା ହୋଇଥିଲା ବେଳେ ସେ ୨୪ ଅନ୍ତର୍ଜାତୀୟ ଟ୍ରଫି ଜିତିଛନ୍ତି। ଅଲିମ୍ପିକ୍ସ କାଂସ୍ୟ ପଦକ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ଏବଂ ବିଶ୍ବ ପ୍ରତିଯୋଗିତାରେ ରୌପ୍ୟ ପାଇଛନ୍ତି ସାଇନା। ଅନ୍ୟପକ୍ଷରେ କାଶ୍ୟପ ୨୦୧୫ରେ ବିଶ୍ବ ମାନ୍ୟତାର ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଥିଲେ। ସେ ମଧ୍ୟ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଜିତିଛନ୍ତି।

ସମ୍ବନ୍ଧିତ ଖବର