ସିଲି ପଏଣ୍ଟ୍‌:ପିତାଙ୍କ ପାଇଁ ଦୁଇ ଦିନ ଶୋଇ ପାରିନଥିଲେ ସାଇନା

ହାଇଦ୍ରାବାଦ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅବସରରେ ପ୍ରବଳ ଚାପରେ ଥିଲେ ବ୍ୟାଡ୍‌ମିଣ୍ଟନ୍‌ ବ୍ୟକ୍ତିତ୍ୱ ସାଇନା ନେହ୍ଵାଲ। କ୍ରୀଡ଼ା ଗ୍ରାମରେ ନିଜ ପିତା ହରବୀର ସିଂହ ନେହ୍ଵାଲଙ୍କ ପ୍ରବେଶକୁ ମନା କରାଯିବା ପରେ ସେ ଏହି ସମ୍ମାନଜନକ ପ୍ରତିଯୋଗିତାରୁ ଓହରିଯିବାକୁ ଧମକ ଦେବାରୁ ସମାଲୋଚିତ ହୋଇଥିଲେ। ଏହାକୁ ନେଇ ବିବାଦ ଉଠିଥିଲା। ଦୁଇ ରାତି ସେ ଶୋଇ ପାରିନଥିଲେ। ଶେଷ ଦିନରେ ସ୍ୱର୍ଣ୍ଣ ପଦକ ବିଜୟ ହାସଲ ପରେ ଏଭଳି ଭାବନାର ପ୍ରକାଶ କରିଛନ୍ତି ସାଇନା। କିନ୍ତୁ ମହିଳା ଏକକ ଫାଇନାଲ୍‌ରେ ଅନ୍ୟତମ ଭାରତୀୟ ପିଭି ସିନ୍ଧୁଙ୍କଠାରୁ କଡ଼ା ଟକ୍କର ପାଇଥିଲେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ରତିଯୋଗିତାକୁ ପଛରେ ପକାଇ ବାପାଙ୍କୁ ଆଗରେ ରଖିବା ପ୍ରସଙ୍ଗରେ ତାଙ୍କୁ କେତେକ ସମାଲୋଚନା କରିଥିଲେ ମଧ୍ୟ ସାଇନା କହିଥିଲେ ମୁଁ ଏଥି ପାଇଁ ଆଦୌ ଅନୁତପ୍ତ ନୁହେଁ। ଡାଡ୍‌ ଆସି ନ ଥିଲେ ମୋ ସ୍ୱର୍ଣ୍ଣ ପଦକ ବିଜୟ ସମ୍ଭବ ହୋଇନଥାନ୍ତା। ତାଙ୍କୁ ମୋ ବ୍ୟକ୍ତିଗତ ପ୍ରଶିକ୍ଷକ ଭାବେ ସ୍ୱୀକୃତିପତ୍ର ମିଳିଥିଲା। କିନ୍ତୁ କ୍ରୀଡ଼ା ଗ୍ରାମରେ ତାଙ୍କୁ ପ୍ରବେଶ କରାଇ ଦିଆଯାଇନଥିଲା। ମୁଁ ଦୁଇ ଦିନ ଧରି ବସି ପାରିନଥିଲି କି ଶୋଇ ପାରିନଥିଲି।

ମୁଁ ଜଣେ ଖେଳାଳି, ମୋତେ ପ୍ରଦର୍ଶନ ଦେବାର ଅଛି। ମୋତେ ବିଶ୍ରାମ ବି ଆବଶ୍ୟକ ଥିଲା। ରୋଜର ଫେଡେରର୍‌ କୁହନ୍ତି ସେ ଦୈନିକ ୧୦/୧୨ ଘଣ୍ଟା ଶୁଅନ୍ତି। କିନ୍ତୁ ମୋ ବାପାଙ୍କୁ ବାହାରେ ବସାଯାଇଥିବାରୁ ମୁଁ ଦୁଇ ଦିନ ଧରି ଅଧ ଘଣ୍ଟା ମଧ୍ୟ ଶୋଇ ପାରିନଥିଲି ବୋଲି ଭାବବିହ୍ଵଳ ସାଇନା କହିଥିଲେ। ମୁଁ କାହିଁକି ମୋ ପିତାଙ୍କ ପାଇଁ ଲଢ଼େଇ କରିନଥାନ୍ତି ବୋଲି ସାଇନା ମଧ୍ୟ ପ୍ରଶ୍ନ କରିଥିଲେ। ଖରାପ ପ୍ରଦର୍ଶନ ପାଇଁ ସମାଲୋଚନା କରାଯିବାକୁ ମଧ୍ୟ ସାଇନା ଏହି ଅବସରରେ ନାପସନ୍ଦ କରିଥିଲେ। ଭାରତରେ ଶହେ କଥା ଘଟୁଛି। ଏଭଳି କଥା ଚୀନରେ ଉଠୁଥିଲେ ମୁଁ କିଛି କୁହନ୍ତି ନାହିଁ। କିନ୍ତୁ ମୁଁ ହାରିଗଲେ ଭାରତରେ ଲୋକମାନେ ଆଲୋଚନା କରନ୍ତି; ସାଇନାଙ୍କ ବୟସ ହେଇଗଲାଣି, ସେ ଅବସର ନେଇଯିବା ଉଚିତ୍‌। ପିଭି ସିନ୍ଧୁଙ୍କ କ୍ଷେତ୍ରରେ ଏହା ହୁଏ ନାହିଁ ବୋଲି ମଧ୍ୟ ସାଇନା ଶେଷରେ କହିଥିଲେ।

ସମ୍ବନ୍ଧିତ ଖବର