ସିନ୍ଧୁ, ଲକ୍ଷ୍ୟ ଆଗେଇଲେ; ଅଧାରୁ ଓହରିଲେ ସାଇନା

ପ୍ୟାରିସ: ଯୁଗଳ ଅଲିମ୍ପିକ୍‌ ପଦକ ବିଜେତା ପିଭି ସିନ୍ଧୁଙ୍କ ସହ ଲକ୍ଷ୍ୟ ସେନ୍‌ ଓ ସୌରଭ ବର୍ମା ଚଳିତ ଫ୍ରେଞ୍ଚ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ହେଲେ ପୂର୍ବତନ ଏକ ନମ୍ବର କିଦାମ୍ବି ଶ୍ରୀକାନ୍ତ କଡ଼ା ସଂଘର୍ଷ କରି ହାରିଥିଲା ବେଳେ ରିଓ କାଂସ୍ୟ ବିଜୟିନୀ ସାଇନା ନେହୱାଲା ଅଧାରୁ ଓହରି ଯାଇଛନ୍ତି। ମହିଳା ଏକକରେ ତୃତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୫, ୨୧-୧୮ରେ ଡେନ୍‌ମାର୍କର ଜୁଲି ଦୱାଲଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ସାଇନା ଜାପାନ୍‌ର ସାୟାକା ତାକାହାସିଙ୍କ ବିପକ୍ଷ ମ୍ୟାଚ୍‌ରେ ୨୧-୧୧, ୯-୨ରେ ପଛୁଆ ଥିଲା ବେଳେ ଆହତ ଯୋଗୁଁ ଓହରି ଯାଇଥିଲେ।

ପୁରୁଷ ଏକକରେ ଲକ୍ଷ୍ୟ ୨୧-୧୦, ୨୧-୧୬ରେ ଆୟର୍ଲାଣ୍ଡର ଏନ୍‌ହାଟ ଏନ୍‌ଗୁଏଙ୍କୁ ଓ ସୌରଭ ୨୨-୨୦, ୨୧-୧୯ରେ ବ୍ରାଜିଲର ଇଗର କୋଲୋଙ୍କୁ ପରାସ୍ତ କରିଥିଲେ। ତେବେ ରିଓ କ୍ବାର୍ଟର ଫାଇନାଲିଷ୍ଟ୍‌ ଶ୍ରୀକାନ୍ତ ୭୯ ମିନିଟ୍‌ର ସଂଘର୍ଷ ପରେ ୨୧-୧୮, ୨୦-୨୨, ୧୯-୨୧ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଜାପାନ୍‌ର କେଣ୍ଟୋ ମୋମୋତାଙ୍କଠାରୁ ପରାଜୟ ବରଣ କରିଥିଲେ। ସେହିପରି ପରୁପଲ୍ଲୀ କଶ୍ୟପ, ଏଚ୍‌ଏସ୍‌ ପ୍ରଣୟଙ୍କ ଅଭିଯାନ ମଧ୍ୟ ଦ୍ବିତୀୟ ରାଉଣ୍ଡରେ ଶେଷ ‌ହୋଇଛି। କଶ୍ୟପ ୧୭-୨୧, ୨୧-୧୭, ୧୧-୨୧ରେ ଫ୍ରାନ୍ସର ବ୍ରିସ୍‌ ଲଭରଦେଜ୍‌ଙ୍କଠୁ ଏବଂ ପ୍ରଣୟ ୧୧-୨୧, ୧୪-୨୧ରେ ଚାଇନିଜ୍‌ ତାଇପେର ଚୋଉ ତିଏନ ଚେନ୍‌ଙ୍କଠୁ ହାରି ଯାଇଥିଲେ। ତେବେ ଭାରତର ପୁରୁଷ ଯୁଗଳ ଯୋଡ଼ି ଏମ୍‌ଆର୍‌ ଅର୍ଜୁନ ଓ ଧ୍ରୁବ କପିଳ ଏବଂ ମିଶ୍ରିତ ‌ଯୁଗଳ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ବିନ ପୋନ୍ନ‌ାପ୍ପ‌ା ପ୍ରିକ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଅର୍ଜୁନ ଓ କପିଳ ୨୧-୧୩, ୨୧-୭ରେ ଆୟର୍ଲାଣ୍ଡର ଜୋସୁଆ ମାଘି ଓ ପଲ୍‌ ରେନଲର୍ଡ୍ସଙ୍କୁ ଏବଂ ସାତ୍ତ୍ବିକ ଓ ଅଶ୍ବିନ ୨୧-୧୯, ୨୧-୧୫ରେ ଡେନ୍‌ମାର୍କର ମାଥିଆସ ଥିରି ଓ ମାଇ ସୁରୋଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର