ଭୁବନେଶ୍ୱର: ଗୁଜରାଟର ଅହମ୍ମଦାବାଦରେ ସୋମବାର ଶେଷ ହୋଇଥିବା ୧୫ ବର୍ଷରୁ କମ୍ ଜାତୀୟ ଉପ କନିଷ୍ଠ ଚେସ୍ ପ୍ରତିଯୋଗିତାର ବାଳିକା ବର୍ଗରେ ଓଡ଼ିଶାର ଡବଲ୍ୟୁଏଫ୍ଏମ୍ ସାଇନା ସଲୋନିକା କାଂସ୍ୟ ପଦକ ଜିତିନେଇଛନ୍ତି। ୧୧ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ସାଇନା ୮.୫ ପଏଣ୍ଟ୍ ପାଇ ତୃତୀୟରେ ରହିଥିଲେ। ୮ ଗେମ୍ ଜିତିଥିବାବେଳେ ଗୋଟିଏ ଅମୀମାଂସିତ ଏବଂ ୨ଟି ପରାଜୟ ବରଣ କରିଥିଲେ। ମହାରାଷ୍ଟ୍ରର ଦିବ୍ୟା ଦେଶମୁଖ (୯.୫) ଏବଂ ଉତ୍ତରପ୍ରଦେଶର ସଂସ୍କୃତି ଗୋୟଲ (୯) ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରି ନେଇଥିଲେ। ଜାତୀୟ ସ୍ତରରୁ ଏହା ସାଇନାଙ୍କ ପଞ୍ଚମ ପଦକ। ୨୦୧୦ରେ ଜାତୀୟ ୭ ବର୍ଷରୁ କମ୍ ସ୍ୱର୍ଣ୍ଣ ପଦକରୁ ଅଭିଯାନ ଆରମ୍ଭ କରିଥିବା ସାଇନା ୨୦୧୨ରେ ୯ ବର୍ଷରୁ କମ୍ରେ ସ୍ୱର୍ଣ୍ଣ, ୨୦୧୬ରେ ୧୩ ବର୍ଷରୁ କମ୍ରେ ରୌପ୍ୟ, ୨୦୧୪ରେ ୧୧ ବର୍ଷରୁ କମ୍ ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ୨୦୧୩ରେ ୧୨ ବର୍ଷରୁ କମ୍ ବର୍ଗରେ ବିଶ୍ୱ ବିଜୟିନୀ ହୋଇଥିବା ସାଇନା ମୋଟ ୧୨ ପଦକ ଜିତି ଅଧିକ ସଫଳତା ପାଇଛନ୍ତି। ଏହା ମଧ୍ୟରେ ୮ ସ୍ୱର୍ଣ୍ଣ, ୨ ରୌପ୍ୟ, ୨ କାଂସ୍ୟ ପଦକ ସାମିଲ ରହିଛି। କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ୍ ସୁଲଣ ଗ୍ରାମର ଗଶେଶ୍ୱର ଜେନା ଏବଂ ବବିତା ଜେନାଙ୍କ ସାନ ଝିଅ ସାଇନା ସମ୍ପତି ଭୁବନେଶ୍ୱର କିଟ୍ ଅନ୍ତର୍ଜାତୀୟ ସ୍କୁଲ୍ରେ ନବମ ଶ୍ରେଣୀ ଛାତ୍ରୀ। ଜାତୀୟ କାଂସ୍ୟ ପଦକ ଜିତିବା ସହିତ ସାଇନା ମଧ୍ୟ ଆସନ୍ତା ବର୍ଷ ଗ୍ରିସ୍ରେ ହେବାକୁ ଥିବା ବିଶ୍ୱ ଯୁବ ଚେସ୍ ଏବଂ ଥାଇଲାଣ୍ଡ୍ରେ ହେବାକୁ ଥିବା ଏସୀୟ ଯୁବ ଚେସ୍ରେ ଭାଗନେବା ଲାଗି ମନୋନୀତ ହୋଇଛନ୍ତି।
ସାଇନାଙ୍କୁ କାଂସ୍ୟ ପଦକ
ଜାତୀୟ ଉପ କନିଷ୍ଠ ଚେସ୍
/sambad/media/post_attachments/wp-content/uploads/2017/10/saina.jpg)