ନୂଆଦିଲ୍ଲୀ: ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହୱାଲ ଚଳିତ ବର୍ଷ ଶେଷ ସୁଦ୍ଧା ଅବସର ବିଷୟରେ ଘୋଷଣା କରିପାରନ୍ତି। ଏବେ ସେ ଆର୍ଥ୍ରାଇଟିସ୍‌ ରୋଗରେ ପୀଡ଼ିତ ଥିବାରୁ ଭବିଷ୍ୟତ ସଂକ୍ରାନ୍ତରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଅଲିମ୍ପିଆନ୍‌ ଗଗନ ନାରଙ୍ଗଙ୍କ ସହିତ ହୋଇଥିବା ଏକ ପଡ୍‌କାଷ୍ଟରେ କହିଛନ୍ତି। ସାଇନା ପ୍ରଥମ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଭାବେ ଲଣ୍ଡନ୍‌ ଅଲିମ୍ପିକ୍ସରେ ପଦକ ଜିତିଥିଲେ। ଅଲିମ୍ପିକ୍ସର ତିନୋଟି ସଂସ୍କରଣରେ ଭାଗ ନେଇସାରିଥିବା ସାଇନା ଗତ କିଛି ବର୍ଷ ହେବ ଆହତ ଜନିତ ସମସ୍ୟାରେ ପଡ଼ିଛନ୍ତି। ସେ କହିଛନ୍ତି, ତାଙ୍କ ଆଣ୍ଠୁ ଭଲ ନାହିଁ। ମୋତେ ଆର୍ଥ୍ରାଇଟିସ୍ ହୋଇଛି। ତେଣୁ ଦିନକୁ ୮ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଅଭ୍ୟାସ କରିବା ଆଉ ସମ୍ଭବ ହେଉନି। ଏଭଳି ସ୍ଥିତିରେ ବିଶ୍ବର ଶ୍ରେଷ୍ଠ ଖେଳାଳିଙ୍କୁ ଚ୍ୟାଲେଞ୍ଜ ଦେବା ସମ୍ଭବ ହେବନି। ଏବେ ପାଖାପାଖି ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅଭ୍ୟାସ କରିବା କଷ୍ଟକର ହୋଇଯାଉଛି। ତେଣୁ ମୁଁ ଆଉ ମ୍ୟାଚ୍‌ ଫିଟ୍‌ ନାହିଁ ବୋଲି ଗ୍ରହଣ କରିବାକୁ ପଡ଼ିବ ବୋଲି ସାଇନା ପ୍ରକାଶ କରିଛନ୍ତି।

Advertisment

ସାଇନା ଶେଷ ଥର ପାଇଁ ଗତବର୍ଷ ସିଙ୍ଗାପୁର ଓପନ୍‌ରେ ଖେଳିଥିଲେ। ଯେଉଁଥିରେ ପ୍ରଥମ ରାଉଣ୍ଡରେ ସେ ପରାସ୍ତ ହୋଇ ବିଦାୟ ନେଇଥିଲେ। ଏଭଳି ସମୟରେ ଅବସର ନେଲେ ଦୁଃଖ ଲାଗିବ ବୋଲି ସେ କହିଛନ୍ତି। ତାଙ୍କ ମତରେ, କ୍ରୀଡ଼ାବିତ୍‌ଙ୍କ କ୍ୟାରିୟର ବହୁତ୍‌ କମ୍‌ ସମୟ ରହିଥାଏ। ୯ ବର୍ଷ ବୟସରୁ ଖେଳିବା ଆରମ୍ଭ କରିଥିଲି, ଆସନ୍ତା ବର୍ଷ ୩୫ ବର୍ଷ ବୟସ ହୋଇଯିବ। ବହୁତ ଲମ୍ବା ସମୟ ଧରି ଖେଳିଥିବାରୁ ମୁଁ ଏଥିପାଇଁ ଗର୍ବିତ। ଚଳିତ ବର୍ଷ ଶେଷ ଆଡ଼କୁ ନିଜ ଶରୀରର ସ୍ଥିତିକୁ ନେଇ ସମୀକ୍ଷା କରିବି ବୋଲି ସେ କହିଛନ୍ତି। ସାଇନା ଏବେ ବିଜେପିର ଜଣେ ସଦସ୍ୟ ଥିବା ବେଳେ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି। ଅନ୍ୟତମ ବ୍ୟାଡ୍‌ମିଣ୍ଟନ୍ ତାରକା ପୁରୁପାଲି କାଶ୍ୟପଙ୍କୁ ସେ ବିବାହ କରିଛନ୍ତି।