ଡେନ୍‌ମାର୍କ ଓପନ୍‌ ସେମିରେ ସାଇନା, ଶ୍ରୀକାନ୍ତ

ଓଡେନ୍ସି: ଭାରତୀୟ ତାରକା ସାଇନା ନେହ୍ବାଲ ଓ କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଡେନ୍‌ମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜୟିନୀ ସାଇନା ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ଅଷ୍ଟମ ମାନ୍ୟତା ଜାପାନ ଲଳନା ନାଜୋମି ଓକୁହରାଙ୍କୁ ୧୭-୨୧, ୨୧-୧୬ ଓ ୨୧-୧୨ରେ ପରାସ୍ତ କରି ଫାଇନାଲ୍‌ ଦିଗରେ ଆଉ ଏକ ପାଦ ବଢ଼ାଇଛନ୍ତି। ସେମିଫାଇନାଲ୍‌ରେ ସାଇନାଙ୍କ ମୁକାବିଲା ଇଣ୍ଡୋନେସିଆର ଗ୍ରିଗୋରିଆ ମାରିସ୍କା ତନ୍‌ଜଙ୍ଗ୍‌ଙ୍କ ସହ ହେବ। ଗ୍ରିଗୋରିଆ ଅନ୍ୟ କ୍ବାର୍ଟର ଫାଇନାଲ୍‌ରେ ଡେନ୍‌ମାର୍କର ଲିନେ ହୋଜ୍‌ମାର୍କ, କାର୍ସଫେଲ୍‌ଡଙ୍କୁ ୨୦-୨୨, ୨୧-୧୯ ଓ ୨୧-୧୩ରେ ପରାସ୍ତ କରିଦେଇଛନ୍ତି। ମହିଳା ଏକକରେ ଶୀର୍ଷ ମାନ୍ୟତା ଚାଇନିଜ୍‌ ତାଇପେର ତାଇ ଜୁ ୟିଙ୍ଗ୍‌ ମଧ୍ୟ ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି। ସେ ଷଷ୍ଠ ମାନ୍ୟତା ଚୀନ୍‌ର ଚେନ୍‌ ୟୁଫେଇଙ୍କୁ ୨୧-୧୩, ୧୨-୨୧ ଓ ୨୧-୯ରେ ପରାସ୍ତ କରିଛନ୍ତି। ସେମିଫାଇନାଲ୍‌ରେ ତାଙ୍କର ମୁକାବିଲା ସପ୍ତମ ମାନ୍ୟତା ଚୀନ୍‌ ଖେଳାଳି ହି ବିଙ୍ଗ୍‌ଜିଆଓଙ୍କ ସହ ହେବ। ବିଙ୍ଗ୍‌ଜିଆଓ ଅନ୍ୟ ଏକ କ୍ବାର୍ଟରରେ ନିଜ ‌େଦଶର କାଇ ୟାନ୍‌ୟାନ୍‌ଙ୍କୁ ସିଧାସଳଖ ୨୧-୧୩ ଓ ୨୧-୧୬ରେ ପରାସ୍ତ କରିଛନ୍ତି। ପୂର୍ବ ବିଜେତା ଶ୍ରୀକାନ୍ତ ସଂଘର୍ଷପୁର୍ଣ୍ଣ ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ନିଜ ଦେଶର ସମୀର ବର୍ମାଙ୍କୁ ୨୨-୨୦, ୧୯-୨୧ ଓ ୨୩-୨୧ରେ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ସେମିରେ ତାଙ୍କର ମୁହାଁମୁହିଁ ବିଶ୍ବ ମାନ୍ୟତାର ଶୀର୍ଷ ଖେଳାଳି ଜାପାନର କେଣ୍ଟୋ ମୋମୋଟୋଙ୍କ ସହ ହେବ। ପୁରୁଷ ଏକକ ଅନ୍ୟ ସେମିଫାଇନାଲ୍‌ରେ ଚାଇନିଜ୍‌ ତାଇପେର ଚୋଉ ଟିନ୍‌ ଚେନ୍‌ ଓ ଡେନ୍‌ମାର୍କର ଆଣ୍ଡର୍ସ ଆଣ୍ଟୋନ୍‌ସେନ୍‌ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର