ଇଣ୍ଡୋନେସିଆ ମାଷ୍ଟର୍ସ ଫାଇନାଲ୍‌ରେ ସାଇନା

ଜାକର୍ତା: ଭାରତୀୟ ଲଳନା ସାଇନା ନେହଓ୍ଵାଲ୍‌ ଏଠାରେ ଚାଲିଥିବା ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ମହିଳା ଏକକ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ ନିଜ ଦେଶର ପିଭି ସିନ୍ଧୁଙ୍କୁ ପରାସ୍ତ କରିଥିବା ସାଇନା ଶନିବାର ସେମିଫାଇନାଲ୍‌ରେ ବିଶ୍ୱ ମାନ୍ୟତାର ଚତୁର୍ଥ ଥାଇଲାଣ୍ଡ୍‌ ଖେଳାଳି ରାଚାନକ୍‌ ଇଣ୍ଟାନନ୍‌ଙ୍କୁ ପରାସ୍ତ କରିଦେଇଛନ୍ତି। ଇଣ୍ଡୋନେସିଆରେ ପୂର୍ବରୁ ତିନି ଥର ଟ୍ରଫି ଜିତି ସାରିଥିବା ବିଶ୍ୱ ମାନ୍ୟତାର ପୂର୍ବତନ ଶୀର୍ଷ ଖେଳାଳି ସାଇନା ଏଥର ସେମିଫାଇନାଲ୍‌ରେ ୪୮ ମିନିଟ୍‌ ସଂଘର୍ଷ କରି ରାଚାନନ୍‌ଙ୍କୁ ସିଧାସଳଖ ୨୧-୧୯ ଓ ୨୧-୧୯ରେ ପରାସ୍ତ କରିଦେଇଥିଲେ। ଏଥି ସହିତ ୨୦୧୩ ବିଶ୍ୱ ବିଜୟିନୀ ରାଚାନନ୍‌ଙ୍କ ବିପକ୍ଷରେ ସାଇନା ତାଙ୍କ ବିଜୟ ବ୍ୟବଧାନକୁ ୯-୫ରେ ପହଞ୍ଚାଇଛନ୍ତି। ସାଇନା ମଧ୍ୟ ପ୍ରାୟ ଗୋଟିଏ ବର୍ଷ ପରେ ଆନ୍ତର୍ଜାତିକ ପ୍ରତିଯୋଗିତାର ଫାଇନାଲ୍‌ ପହଞ୍ଚିଛନ୍ତି। ଶେଷ ଥର ପାଇଁ ଗତବର୍ଷ ମାଲେସିଆ ମାଷ୍ଟର୍ସ ଜିତିବା ପରେ ଏହା ସାଇନାଙ୍କ ପାଇଁ ପ୍ରଥମ ଫାଇନାଲ୍‌ ପ୍ରବେଶ। ଆସନ୍ତାକାଲି (ରବିବାର) ଫାଇନାଲ୍‌ରେ ସାଇନାଙ୍କ ମୁକାବିଲା ବିଶ୍ୱ ମାନ୍ୟତାର ଶୀର୍ଷ ଚାଇନିଜ୍‌ ତାଇପେ ଖେଳାଳି ତାଇ ଜୁ ୟିଙ୍ଗ୍‌ କିମ୍ବା ଅଷ୍ଟମ ମାନ୍ୟତା ଚୀନ୍‌ ଲଳନା ହି ବିଙ୍ଗ୍‌ଜିଆଓଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର