କ୍ବାର୍ଟରରେ ସାଇନା, ଶ୍ରୀକାନ୍ତ

ଲଣ୍ଡନ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଜଗତର ଦୁଇ ଲୋକପ୍ରିୟ ତାରକା ସାଇନା ନେହୱାଲ ଓ କିଦାମ୍ବି ଶ୍ରୀକାନ୍ତ ସମ୍ମାନଜନକ ଅଲ୍‌ ଇଂଲଣ୍ଡ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅଷ୍ଟମ ମାନ୍ୟତା ସାଇନା ଗୁରୁବାରର ପ୍ରି-କ୍ବାର୍ଟରରେ ଡେନମାର୍କର ଲିନ୍ ହୋଜମାର୍କ ଜାଏର୍ସଫିଲ୍ଡଙ୍କୁ ୮-୨୧, ୨୧-୧୬, ୨୧-୧୩ ପଏଣ୍ଟରେ ହରାଇ ନିଜ ପଦକ ଅଭିଯାନ ଜାରି ରଖିଛନ୍ତି। ବିଶ୍ବ ମାନ୍ୟତାର ଊନ୍ନବିଂଶ ସ୍ଥାନରେ ଥିବା ଲିନ୍ ପ୍ରଥମ ସେଟ୍‌ରେ ସାଇନାଙ୍କୁ ସହଜରେ ହରାଇ ଦେଇଥିଲେ। ହେଲେ ପରବର୍ତୀ ଦୁଇଟି ସେଟ୍‌କୁ ଜିତି ସାଇନା ୫୧ ମିନିଟ୍ ଭିତରେ କ୍ବାର୍ଟର ଫାଇନାଲ୍ ଟିକଟ୍‌ ହାସଲ କରି ନେଇଥିଲେ। ମହିଳା ଏକକ ଭଳି ପୁରୁଷ ଏକକରେ ମଧ୍ୟ ଆଜି ଭାରତକୁ ଖୁସି ଖବର ମିଳିଥିଲା। ଶ୍ରୀକାନ୍ତ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ରୋମାଞ୍ଚକର ମୁକାବିଲାରେ ୨୧-୧୭, ୧୧-୨୧, ୨୧-୧୨ରେ ପରାସ୍ତ କରି କ୍ବାର୍ଟରରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ପୂର୍ବରୁ ବୁଧବାର ବିଳମ୍ବିତ ରାତିରେ ଖେଳିଥିବା ନିଜ ନିଜ ପ୍ରଥମ ରାଉଣ୍ଡ ମୁକାବିଲାରେ ପୂର୍ବତନ ଫାଇନାଲିଷ୍ଟ (୨୦୧୫) ସାଇନା ୨୧-୧୭, ୨୧-୧୮ ସିଧାସଳଖ ସେଟ୍‌ରେ ସ୍କଟ୍‌ଲାଣ୍ଡର କ୍ରିଷ୍ଟି ଗିଲମୋରଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡ ବା ପ୍ରି-କ୍ବାର୍ଟରରେ ପ୍ରବେଶ କରିଥିଲେ। ଏହି ମ୍ୟାଚ୍ ଜିତିବାକୁ ସେ ମାତ୍ର ୩୫ ମିନିଟ୍ ସମୟ ନେଇଥିଲେ। ଅନ୍ୟପକ୍ଷରେ ଶ୍ରୀକାନ୍ତ ଅଧ ଘଣ୍ଟାଏରୁ ବି କମ୍ ସମୟ ନେଇ ଫ୍ରାନ୍ସର ବ୍ରିସ୍ ଲେଭରିଜଙ୍କୁ ୨୧-୧୩, ୨୧-୧୩ ଅନୁରୂପ ଭାବେ ସିଧାସଳଖ ଗେମ୍‌ରେ ପରାସ୍ତ କରି ବିଦାୟର ପଥ ଦେଖାଇ ଦେଇଥିଲେ। ମୁଁ ଏହି ମ୍ୟାଚ୍‌କୁ ମନଭରି ଉପଭୋଗ କରିଥିଲି। ସୁପର ସିରିଜ୍ ପ୍ରତିଯୋଗିତାଠାରୁ ଅଲ୍‌ ଇଂଲଣ୍ଡ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିବାରୁ ଏହି ବିଜୟ ମୋ ପାଇଁ ସ୍ବତନ୍ତ୍ର ଓ ସ୍ମରଣୀୟ ଥିଲା ବୋଲି ସାଇନା ମ୍ୟାଚ୍ ପରେ କହିଥିଲେ। ଶ୍ରୀକାନ୍ତ ମଧ୍ୟ ନିଜ ବିଜୟକୁ ନେଇ ବେଶ୍ ଉତ୍ସାହିତ ଥିବା ପ୍ରକାଶ କରିଥିଲେ। ବୁଧବାର ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ଅନ୍ୟତମ ପଦକ ଦାବିଦାର ତଥା ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନର ଅନ୍ୟତମ ଚର୍ଚିତ ଚେହେରା ପିଭି ସିନ୍ଧୁ ଅପ୍ରତ୍ୟାଶିତ ଭାବେ ନିଜ ପ୍ରଥମ ରାଉଣ୍ଡ ଲଢ଼େଇକୁ ହାରି ଯାଇଥିଲେ। ଯାହା ଭାରତୀୟ ଅଭିଯାନ ଲାଗି ଏକ ଶକ୍ତ ଧକ୍କା ହୋଇଥିଲା। ପୁରୁଷ ଏକକରେ ସାଇ ପ୍ରଣୀତ ନିଜ ଦେଶର ଏଚ୍‌ଏସ୍ ପ୍ରଣୟଙ୍କୁ ପରାସ୍ତ କରି ଆଗକୁ ବଢ଼ିଥିଲେ। ହେଲେ ଆଜି ଦ୍ବିତୀୟ ରାଉଣ୍ଡରେ ହଂକଂର ଏନଜି କା ଲଙ୍ଗ ଆଙ୍ଗୁସଙ୍କଠାରୁ ୧୨-୨୧, ୧୭-୨୧ରେ ହାରିଯାଇଛନ୍ତି। ଫଳରେ ତାଙ୍କ ଅଭିଯାନ ଶେଷ ହୋଇ ଯାଇଛି। ସମୀର ବର୍ମା ମଧ୍ୟ ଆରମ୍ଭରୁ ବିଦା ହୋଇଥିଲେ। ସେହିଭଳି ମହିଳା ଯୁଗଳ ଯୋଡ଼ି ଅଶ୍ବିନୀ ପୋନାପ୍ପା ଓ ଏନ୍ ସିକି ରେଡ୍ଡୀ ଓ ମିଶ୍ରିତ ଯୁଗଳରେ ସିକି ଓ ପ୍ରଣବ ଚୋପ୍ରା ମଧ୍ୟ ପରାଜୟର ସମ୍ମୁଖୀନ ହୋଇଥିଲେ। ପୁରୁଷ ଯୁଗଳ ଯୋଡ଼ି ମନୁ ଆତ୍ରି ଓ ବି ସୁମିତ ମଧ୍ୟ ଚୀନ୍‌ର ଓ ଜୁଆନଇ-ରେନ୍ ଜିଆଗୁଙ୍କ ଆଗରେ ଆତ୍ମ ସମର୍ପଣ କରିଥିଲେ। ଜାପାନର କାଣ୍ଟା ସୁନେୟାମା ଗୁରୁବାର ପୁରୁଷ ଏକକରେ ଏକ ବୃହତ୍ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ୬ ଥର ବିଜେତା ତଥା‌ ଚୀନର ତାରକା ଖେଳାଳି ଲିନ୍ ଡାନ୍‌ଙ୍କୁ ୧୯-୨୧, ୨୧-୧୪, ୨୧-୭ରେ ହରାଇ କାଣ୍ଟା ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ସୂଚନା‌ଯୋଗ୍ୟ ଯେ ଗତ ୧୮ ବର୍ଷ ହେବ କୌଣସି ଭାରତୀୟ ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌ର ଗ୍ରାଣ୍ଡସ୍ଲାମ୍ ଭାବେ ପରିଚିତ ଅଲ୍‌ ଇଂଲଣ୍ଡ ପ୍ରତିଯୋଗିତା ଜିତି ନାହାନ୍ତି। ଶେଷ ଥର ପାଇଁ ୨୦୦୧ରେ ପୁଲେଲା ଗୋପୀଚାନ୍ଦ ଏଠାରେ ପୁରୁଷ ଏକକ ବିଜେତା ହୋଇଥିଲେ। ତାଙ୍କ ପୂର୍ବରୁ କେବଳ ପ୍ରକାଶ ପାଦୁକୋନ (୧୯୮୦) ପ୍ରଥମ ଓ ଏକମାତ୍ର ଭାରତୀୟ ଭାବେ ଏହି ସଫଳତା ହାସଲ କରିଥିଲେ। ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ମହିଳା କିନ୍ତୁ ଅଲ୍‌ ଇଂଲଣ୍ଡରେ ବିଜୟ ମୁକୁଟ ପିନ୍ଧି ନାହାନ୍ତି।

ସମ୍ବନ୍ଧିତ ଖବର