ସାଇନା, ଶ୍ରୀକାନ୍ତ ଟୋକିଓ ଅଲିମ୍ପିକ୍ସରୁ ବଞ୍ଚିତ

ହାଇଦ୍ରାବାଦ : ଆନୁଷ୍ଠାନିକ ଭାବେ ସ୍ପଷ୍ଟ ‌ହୋଇଛି ଦେଶର ଦୁଇ ପ୍ରମୁଖ ବ୍ୟାଡମିଣ୍ଟନ୍ ତାରକା ସାଇନା ‌ନେହ୍ବାଲ ଏବଂ କିଦାମ୍ବି ଶ୍ରୀକାନ୍ତ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇ ପାରିବେ ନାହିଁ। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଜୁନ୍‌ ୧୫ ତାରିଖରେ ‌ଶେଷ ହୋଇଯିବ ବୋଲି ବିଶ୍ବ ବ୍ୟାଡମିଣ୍ଟନ୍ ସଂଘ (ବିଡବ୍ଲ୍ୟୁଏଫ୍‌) ‌ଘୋଷଣା କରିବା ପରେ ଉଭୟ ଭାରତୀୟ ଏଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ବାଟ ବନ୍ଦ ହୋଇଯାଇଛି।

ବିଡବ୍ଲ୍ୟୁଏଫ୍‌ କହିଛି ଯେ ଜୁନ୍‌ ୧୫ ତାରିଖ ପରେ କେବଳ ଟୋକିଓ ଅଲିମ୍ପିକ୍ସ ଗେମ୍‌ସ ଯୋଗ୍ୟତା ଖେଳାଯିବ। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ତାଲିକା ଖୁବ୍ ଶୀଘ୍ର ପ୍ରକାଶ ପାଇବ ଏବଂ ତଦନୁଯାୟୀ ନିମନ୍ତ୍ରଣ ପ୍ରେରଣ କରାଯିବ। ରୋଡ୍‌ ଟୁ ଟୋକିଓ ଅଲିମ୍ପିକ୍ସ ରୢାଙ୍କିଙ୍ଗରେ ଜୁନ୍‌ ୧୫ ସୁଦ୍ଧା ଥିବା ଶୀର୍ଷ ୧୬ ଜଣ ଭାଗନେଇ ପାରିବେ। ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ସାଇନା‌ ନେହ୍ବାଲ ଏବେ ୨୨ତମ ସ୍ଥାନରେ ଥିବାରୁ ଏଥିରେ କୌଣସି ପରିବର୍ତନ ହେବାର ସୁଗୋଗ ନାହିଁ। ଭାରତରୁ ବ୍ୟାଡମିଣ୍ଟନ୍‌ରେ କେବଳ ୪ ଜଣ ଭାଗନେବେ। ପିଭି ସିନ୍ଧୁ ଏବଂ ସାଇ ପ୍ରଣୀତ ଯଥାକ୍ରମେ ପୁରୁଷ ଓ ମହିଳା ଏକକ ବର୍ଗରେ ଭାଗନେବେ। ପୁରୁଷ ଯୁଗଳରେ ସାତ୍ତ୍ବିକ ସାଇରେଡ୍ଡୀ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ଅଲିମ୍ପିକ୍ସର ବ୍ୟାଡ୍‌ମିଣ୍ଟନ୍ ପାଇଁ ଜୁଲାଇ ୫ ତାରିଖ ଶେଷ ଦିନ ରହିଥିଲେ ମଧ୍ୟ ଏହା ପୂର୍ବରୁ ଆଉ କୌଣସି ପ୍ରତିଯୋଗିତା ନଥିବାରୁ ସାଇନା ଓ ଶ୍ରୀକାନ୍ତଙ୍କ ସୁଯୋଗ ସୀମିତ ହୋଇଯାଇଛି।

ସମ୍ବନ୍ଧିତ ଖବର