ପତିଙ୍କ ସହ ଅଭ୍ୟାସ ଆରମ୍ଭ କଲେ ସାଇନା, ଜାତୀୟ ଶିବିରକୁ ଦୁଇ ସପ୍ତାହ ପରେ ଯିବେ

ଗୋପୀଚାନ୍ଦ ଏକାଡେମିରେ ଅଧିକ ଖେଳାଳିଙ୍କୁ ଅନୁମତି ଦେବାକୁ କହିଲେ କାଶ୍ୟପ

ମୁମ୍ବାଇ: କ୍ରୀଡ଼ା ସଂପୂର୍ଣ୍ଣ ବନ୍ଦ ରହିଥିବାରୁ ବିରତି ସମୟ ବିତାଉଥିବା ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ବ୍ୟାଡ୍‌ମିଣ୍ଟନ ଲଳନା ସାଇନା ନେହ୍ବାଲ ଏଠାରେ ଏକ ଭିନ୍ନ ବ୍ୟବସ୍ଥା ମଧ୍ୟରେ ଅଭ୍ୟାସ ଆରମ୍ଭ କରିଛନ୍ତି। ତାଙ୍କ ସହିତ ତାଙ୍କ ପତି ପରୁପଲ୍ଲୀ କାଶ୍ୟପ ମଧ୍ୟ ଅଭ୍ୟାସକୁ ଫେରିଛନ୍ତି। କିଛି ସପ୍ତାହର ଅଭ୍ୟାସ ପରେ ସାଇନା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)-ଗୋପୀଚାନ୍ଦ ଏକାଡେମିରେ ଆୟୋଜିତ ଜାତୀୟ ଶିବିରରେ ଯୋଗଦେବାର ସମ୍ଭବନା ରହିଛି। ଅଲିମ୍ପିକ୍‌ ପଦକ ଆଶାୟୀ ଖେଳାଳିଙ୍କ ମଧ୍ୟରୁ ୮ ଜଣଙ୍କୁ ସାଇ-ଗୋପୀଚାନ୍ଦ ଏକାଡେମିରେ ଅଗଷ୍ଟ ୭ରୁ ପ୍ରସ୍ତୁତି ଆରମ୍ଭ ପାଇଁ ‘ସାଇ’ ଅନୁମତି ଦେଇଛି। ସେମାନଙ୍କ ମଧ୍ୟରୁ ସାଇନା ଅ୍ୟତମ। ଏହି ଜାତୀୟ ଶିବିର ପାଇଁ ମଧ୍ୟ ତେଲେଙ୍ଗାନା ସରକାର ଅଗଷ୍ଟ ୧ ତାରିଖରେ ଅନୁମୋଦନ ଦେଇଛନ୍ତି। ତେବେ ଅଗଷ୍ଟ ୭ ତାରିଖରେ ଶିବିର ଆରମ୍ଭ ହେବାକୁ ଯାଉଥିଲେ ମଧ୍ୟ ପୁର୍ବତନ ଏକ ନମ୍ବର ମହିଳା ତାରକା ସାଇନା ନିଜ ବ୍ୟାଡ୍‌ମିଣ୍ଟନ ପତି କାଶ୍ୟପ ଏବଂ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜେତା ଆର୍‌ଏମ୍‌ଭି ଗୁରୁସାଇଦତ୍ତଙ୍କ ସହ ଗୋପୀଚାନ୍ଦ ଏକାଡେମି ନିକଟସ୍ଥ ଅଲଗା ଅଲଗା କେନ୍ଦ୍ରରେ କିଛି ଦିନ ପ୍ରଶିକ୍ଷଣ ନେବାକୁ ସ୍ଥିର କରିଛନ୍ତି। ଅନ୍ୟ ପକ୍ଷରେ ପ୍ରାୟ ଗୋଟିଏ ସପ୍ତାହ ପାଇଁ ଆମେ ଏକାଡେମି ନିକଟରେ ଅଲଗା କେନ୍ଦ୍ରରେ ଅଭ୍ୟାସ କରିବୁ। ଏହା ଛୋଟ କେନ୍ଦ୍ର ହୋଇଥିଲେ ମଧ୍ୟ ଖେଳର ମୌଳିକତାକୁ ନେଇ ପ୍ରସ୍ତୁତି ଚଳାଇବୁ। ଏତେମାସର ବିରତି ପରେ କୋର୍ଟକୁ ଫେରୁଥିବାରୁ ଆଗ ନିଜକୁ ପ୍ରସ୍ତୁତ କରି ଶିବିରରେ ଯୋଗଦେବୁ ବୋଲି କହିଛନ୍ତି ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା କାଶ୍ୟପ। ତାଙ୍କ କହିବା କଥା ହେଲା ”ସାଇନା ଏବେ ମାତ୍ର ଅଭ୍ୟାସରେ ଯୋଗ ଦେଇଛନ୍ତି। ସେ ସମ୍ଭବତଃ କିଛି ସପ୍ତାହ ପରେ ଗୋପୀଚାନ୍ଦ ଏକାଡେମି‌ରେ ପ୍ରଶିକ୍ଷଣ ଆରମ୍ଭ କରିବେ। ଶିବିରରେ ସାମିଲ ହେବା ପୂର୍ବରୁ ସେ ନିଜକୁ ଫିଟ୍‌ ଦେଖିବାକୁ ଚାହାନ୍ତି। ସେଥିପାଇଁ ସେ ଗୋପୀ ସାର୍‌ଙ୍କଠୁ ଅନୁମତି ଲୋଡ଼ିଛନ୍ତି ଏବଂ ନୂଆ ଇଣ୍ଡୋନେସିଆ ପ୍ରଶିକ୍ଷକ ଅଗୁସ୍‌ ଦ୍ବି ସନ୍ତୋଷୋଙ୍କ ସହ ଆଲୋଚନା କରିଥିଲେ ବୋଲି କହିଛନ୍ତି କାଶ୍ୟପ।

ସାଇ-ଗୋପୀଚାନ୍ଦ ଏକାଡେମିରେ ଅୟୋଜିତ ଶିବିରରେ ଯୋଗଦେବାକୁ ଯେଉଁ ୮ ଖେଳାଳିଙ୍କୁ ଅନୁମତି ମିଳିଛି ସେମାନଙ୍କ ମଧ୍ୟରୁ ଚିରାଗ ସେଟ୍ଟୀ, ସାତ୍ତ୍ବିକ୍‌ସାଇରାଜ ରାଙ୍କିରେଡ୍ଡୀ ଏବଂ ଅଶ୍ବିନୀ ପୋନାପ୍ପା ଏବେ ହାଇଦ୍ରାବାଦରେ ନାହାନ୍ତି। ଚିରାଗ ମୁମ୍ବାଇରେ, ସାତ୍ତ୍ବିକ୍‌ସାଇରାଜ ଆନ୍ଧ୍ର ପ୍ରଦେଶର ଅମଲାପୁରମ୍‌ରେ ଏବଂ ଅଶ୍ବିନ୍‌ ବେଙ୍ଗାଲୁରୁରେ ଅଛନ୍ତି। ସେମାନେ ଆନ୍ତର୍ଜାତିକ କ୍ୟାଲେଣ୍ଡର ଆହୁରି ସ୍ପଷ୍ଟ ହେବା ପରେ ସମ୍ଭବତଃ ହାଇଦ୍ରାବାଦ ଜାତୀୟ ଶିବିରକୁ ଆସିପାରନ୍ତି ବୋଲି କହିଛନ୍ତି। ଅବଶ୍ୟ ସେମାନେ ଏବେ ପ୍ରକାଶ ପାଦୁକୋନ ବ୍ୟାଡ୍‌ମିଣ୍ଟନ ଏକାଡେମିରେ ପ୍ରଶିକ୍ଷଣ ନେଉଛନ୍ତି। ତେଣୁ ହାଇଦ୍ରାବାଦରେ ଏବେ ବିଶେଷକରି ୩/୪ ଜଣ ପ୍ରଶିକ୍ଷଣ ‌ନେଉଛନ୍ତି। ଗୋପୀଚାନ୍ଦ ଏକାଡେମିରେ ୯ କୋର୍ଟ ରହିଛି। ଖେଳାଳିମାନେ ସାଧାରଣତଃ ଗୋଟିଏ କି ଦୁଇ ଘଣ୍ଟା ପ୍ରଶିକ୍ଷଣ ନିଅନ୍ତି। ତେଣୁ ମୁଁ ଭାବୁଛି ସେଠାରେ ଆଉ କିଛି ଅଧିକ ଖେଳାଳିଙ୍କୁ ପ୍ରଶିକ୍ଷଣ ପାଇଁ ଅନୁମତି ଦିଆଯାଉ ବୋଲି କାଶ୍ୟପ ପ୍ରସ୍ତାବ ବାଢ଼ିଛନ୍ତି। ବାଙ୍ଗାଲୋରରେ ପ୍ରତ୍ୟେକଟି ଖେଳର ପ୍ରଶିକ୍ଷଣ ଚାଲୁଛି ଏବଂ ତୁ‌ମେ ଜଣେ ଭଲ ପାର୍ଟନର୍‌ ଆବଶ୍ୟକ କରିବ। ହେଲେ ମାତ୍ର ୮ ଜଣଙ୍କୁ ନେଇ କେତେଦିନ ଶିବିର ଚାଲିବ? ବୋଲି କାଶ୍ୟପ କହିଛନ୍ତି। ବିଶ୍ବ ମାନ୍ୟତାର ପୂର୍ବତନ ୬ ନମ୍ବର କାଶ୍ୟପ ଏବଂ ଯୁଗଳ ବିଶେଷଜ୍ଞ ବି ସୁମିତ ରେଡ୍ଡୀ ମଧ୍ୟ ହାଇଦ୍ରାବାଦରେ ଅଛନ୍ତି। ବି ସାଇ ପ୍ରଣୀତ ଏବଂ ଏନ୍‌ ସିକ୍କି ରେଡ୍ଡୀଙ୍କ ସହିତ ବିଶ୍ବ ବିଜୟିନୀ ପିଭି ସିନ୍ଧୁ ୪ ମାସ ବିରତିର ଅନ୍ତ ଘଟାଇ ଶୁକ୍ରବାରଠାରୁ ହାଇଦ୍ରାବାଦସ୍ଥିତ ଗୋପୀଚାନ୍ଦ ଏକାଡେମିରେ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁଯାୟୀ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ଏମାନଙ୍କ ବ୍ୟତୀତ ବିଶ୍ବ ମାନ୍ୟତାର ପୂର୍ବତନ ଏକ ନମ୍ବର ପୁରୁଷ ତାରକା କିଦାମ୍ବି ଶ୍ରୀକାନ୍ତ ଏବେ ଗୁଣ୍ଟୁରରେ ରହିଥିଲା ବେଳେ ଚଳିତ ସପ୍ତାହରେ ପ୍ରଶିକ୍ଷଣ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି।

ସମ୍ବନ୍ଧିତ ଖବର