ସାଇନା ଓ ପ୍ରଣୟ ଜିତିଲେ ଟ୍ରଫି

ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା

ନାଗପୁର: ଜାତୀୟ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିବା ପିଭି ସିନ୍ଧୁ ଓ ସାଇନା ନେହ୍ଵାଲଙ୍କ ମଧ୍ୟରେ ମହିଳା ଏକକ ଫାଇନାଲ୍‌ ବେଶ୍‌ ଉତ୍କଣ୍ଠାପୁର୍ଣ୍ଣ ହୋଇଥିଲା। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସିନ୍ଧୁ ଓ ଏକାଦଶ ମାନ୍ୟତା ସାଇନା ଟ୍ରଫି ହାସଲ ପାଇଁ ବେଶ୍‌ ଲଢ଼େଇ କରିଥିଲେ। କଡ଼ା ଟକ୍କର ମଧ୍ୟରେ ଶେଷ ହୋଇଥିବା ମୁକାବିଲାରେ ସାଇନା ବାଜି ମାରିନେଲେ। ବୁଧବାର ଫାଇନାଲ୍‌ରେ ସିନ୍ଧୁଙ୍କୁ ୨୧-୧୭ ଓ ୨୭-୨୫ ପଏଣ୍ଟ୍‌ରେ ପରାସ୍ତ କରି ସାଇନା ମଧ୍ୟ ତୃତୀୟ ଥର ପାଇଁ ଜାତୀୟ ବିଜୟିନୀ ହେଲେ।

ଅନ୍ୟପକ୍ଷରେ ପୁରୁଷ ଏକକ ଫାଇନାଲ୍‌ ଲଢ଼େଇ ମଧ୍ୟ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ଗୋଟିଏ ସପ୍ତାହ ପୂର୍ବରୁ ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲ୍‌ରେ ଉଭୟେ ମୁହାଁମୁହିଁ ହୋଇଥିଲେ। ସେହି ମୁକାବିଲାରେ ପ୍ରଣୟଙ୍କୁ ପରାସ୍ତ କରି ଶ୍ରୀକାନ୍ତ ଆଗକୁ ବଢ଼ିଥିଲେ। ହେଲେ ପୁଣି ଥରେ ଦୁହେଁ ଏଠାରେ ଚାଲିଥିବା ୮୨ତମ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଟ୍ରଫି ପାଇଁ ଲଢ଼ିଲେ। ଏଠାରେ ଦ୍ୱିତୀୟ ମାନ୍ୟତା ପାଇଥିବା ପ୍ରଣୟ କିନ୍ତୁ ଶୀର୍ଷ ମାନ୍ୟତା ଶ୍ରୀକାନ୍ତଙ୍କଠୁ ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ଜାତୀୟ ପ୍ରତିଯୋଗିତାର ଫାଇନାଲ୍‌ରେ ନେଇଗଲେ। ପ୍ରଣୟ ବୁଧବାର ପୁରୁଷ ଏକକ ଫାଇନାଲ୍‌ରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ତଥା ଟ୍ରଫି ହାସଲର ଦାବିଦାର ଥିବା ଶ୍ରୀକାନ୍ତଙ୍କୁ ୪୯ ମିନିଟ୍‌ ଲଢ଼େଇ ମଧ୍ୟରେ ୨୧-୧୫, ୧୬-୨୧ ଓ ୨୧-୧୭ରେ ପରାସ୍ତ କରି ପ୍ରଥମ ଥର ଲାଗି ଜାତୀୟ ବିଜେତା ହୋଇଗଲେ। ଉଭୟେ ପ୍ରଣୟ ଓ ଶ୍ରୀକାନ୍ତ ଏହା ପୂର୍ବରୁ ସେମାନଙ୍କ ଆନ୍ତର୍ଜାତିକ ଜୀବନ ମଧ୍ୟରେ ୪ ଥର ଭେଟାଭେଟି ହୋଇଥିଲେ। ସେଥିରେ ୩ ଥର ଶ୍ରୀକାନ୍ତ ବିଜୟୀ ହୋଇଥିଲା ବେଳେ କେବଳ ୨୦୧୧ ଟାଟା ଓପନ୍‌ରେ ହିଁ ପ୍ରଣୟ ବାଜି ମାରିଥିଲେ। ତେବେ ପଞ୍ଚମ ଥର ଉଭୟଙ୍କ ମୁହାଁମୁହିଁରେ ଏହା ପ୍ରଣୟଙ୍କ ଦ୍ୱିତୀୟ ବିଜୟ।

ଅନ୍ୟପକ୍ଷରେ ସାତ୍ତ୍ୱିକ୍‌ ସାଇରାଜ ଓ ଅଶ୍ୱିନୀ ପୋନାପ୍ପା ଯୋଡ଼ି ମିଶ୍ରିତ ଯୁଗଳ ଟ୍ରଫି କରାୟତ କରିଛନ୍ତି। ସାତ୍ତ୍ୱିକ୍‌-ଅଶ୍ୱିନ୍‌ ଯୋଡ଼ି ବୁଧବାର ଫାଇନାଲ୍‌ରେ ଏଠାରେ ଶୀର୍ଷ ମାନ୍ୟତା ତଥା ବିଶ୍ୱ ମାନ୍ୟତାର ଷୋଡ଼ଶ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ଏନ୍‌ ସିକ୍କି ରେଡ୍ଡୀଙ୍କୁ ୨୧-୯, ୨୦-୨୨ ଓ ୨୧-୧୭ରେ ପରାସ୍ତ କରି ଟ୍ରଫି ଉପରେ କବ୍‌ଜା କରିଛନ୍ତି।

ସମ୍ବନ୍ଧିତ ଖବର