ସାଇନାଙ୍କୁ ଡବ୍ଲୁଆଇଏମ୍‌ ଟାଇଟଲ

ଭୁବନେଶ୍ବର: ମହିଳା ଫିଡେ ମା‌ଷ୍ଟର ଓଡ଼ିଆ ଝିଅ ସାଇନା ସଲୋନିକା ସର୍ବିଆର ନୋଭିସାଦରେ ଆୟୋଜିତ ଆଇଏମ୍‌ ମିଶ୍ରିତ ପ୍ରତିଯୋଗିତାରେ ମହିଳା ଅନ୍ତର୍ଜାତୀୟ ମାଷ୍ଟର (ଡବ୍ଲୁଆଇଏମ୍‌) ଟାଇଟଲ କରାୟତ୍ତ କରିଛନ୍ତି। ଡବ୍ଲୁଆଇଏମ୍‌ ଟାଇଟଲ୍‌ ପାଇଁ ୩ଟି ବିଭିନ୍ନ ପ୍ରତିଯୋଗିତାରେ ୩ ଡବ୍ଲୁଆଇଏମ୍‌ ନର୍ମ ହାସଲ କରିବା ସହ ୨୨୦୦ରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ରେଟିଂ ଆବଶ୍ୟକ ଥିଲା। ସାଇନା ତାଙ୍କର ପ୍ରଥମ ଡବ୍ଲୁଆଇଏମ୍‌ ନର୍ମ ୨୦୧୯ ଜୁନ୍‌ରେ ଗୋଆରେ ଆୟୋଜିତ ଗୋଆ ଅନ୍ତର୍ଜାତୀୟ ଜିଏମ୍‌ ପ୍ରତିଯୋଗିତାରେ ହାସଲ କରିଥିଲେ। ଏହା ପରେ ୨୦୧୯ ଡିସେମ୍ବରରେ ସର୍ବିଆର ପାରାସିନରେ ଆୟୋଜିତ ଆରର୍ବିସ ଆଇଏମ୍‌ ରାଉଣ୍ଡ ରବିନ ପ୍ରତିଯୋଗିତାରେ ଦ୍ବିତୀୟ ଡବ୍ଲୁଆଇଏମ୍‌ ନର୍ମ ପାଇଥିଲେ। କୋଭିଡ ପାଇଁ ପ୍ରାୟ ଅଢ଼େଇ ବର୍ଷ ସେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିନଥିଲେ। ଏହି ପ୍ରତିଯୋଗିତାରେ ଭାଗ ନେବାପୂର୍ବରୁ ତାଙ୍କ ରେଟିଂ ୨୧୮୪ ଥିଲା। ଏଠାରେ ୨୪ ପଏଣ୍ଟ ପାଇବା‌ରୁ ତାହା ୨୨୦୮ରେ ପହଞ୍ଚିଛି।

ଖେଳ ଜୀବନରେ ଏପର୍ଯ୍ୟନ୍ତ ସାଇନା ୨୦ ଅନ୍ତର୍ଜାତୀୟ ପଦକ ଜିତିଥିଲା ବେଳେ ଏଥିରେ ୧୩ ସ୍ବର୍ଣ୍ଣ ରହିଛି। କେନ୍ଦୁଝରର ହାଟଡିହି ବ୍ଲକସ୍ଥିତ ସୁଲଣ ଗାଁର ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଣେଶ୍ବର ଜେନା ଓ ବବିତା ଜେନାଙ୍କ ସୁକନ୍ୟା ହେଉଛନ୍ତି ସାଇନା। ତାଙ୍କର ଏହି ସଫଳତା ଲାଗି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ମିରାନ୍ଦା ହାଉସ କଲେଜ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ନନ୍ଦ, ନିଖିଳ ଓଡ଼ିଶା ଚେସ୍‌ ସଂଘ ସମ୍ପାଦକ ଦେବବ୍ରତ୍ତ ଭଟ୍ଟ, ଯୁଗ୍ମ ସମ୍ପାଦକ ରଂଜନ ମହାନ୍ତି, ଚେସ୍‌ ପ୍ରଶିକ୍ଷକ ସତ୍ୟ ରଂଜନ ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର