ସାଇନା ଜିତିଲେ ଶେଷ ସ୍ୱର୍ଣ୍ଣ

ସିନ୍ଧୁ, ଶ୍ରୀକାନ୍ତ ଓ ସାତ୍ତ୍ୱିକ-ଚିରାଗଙ୍କୁ ରୌପ୍ୟ: ଶେଷ ଦିନ ବ୍ୟାଡ୍‌ମିଣ୍ଟନରୁ ୪ ପଦକ

ଗୋଲ୍‌ଡ କୋଷ୍ଟ,: ଗୋଲ୍‌ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳିମାନେ କମାଲ୍‌ ଦେଖାଇଲେ। ଏକା ସାଇନା ନେହ୍ଵାଲଙ୍କ ଯୁଗଳ ସ୍ୱର୍ଣ୍ଣ ବଳରେ ଭାରତ ଏଠାରେ ବ୍ୟାଡ୍‌ମିଣ୍ଟନରୁ ମୋଟ ୬ ପଦକ କରାୟତ କରିନେଲା। ଯାହାକି ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା (୪ ପଦକ)କୁ ଟପି ଯାଇଥିଲା। ସାଇନାଙ୍କ ବ୍ୟତୀତ ପୁରୁଷ ଏକକ ତାରକା କିଦାମ୍ବି ଶ୍ରୀକାନ୍ତ ମଧ୍ୟ ଦୁଇଟି ପଦକ ହାସଲ କଲେ। ରବିବାର ଏକାଦଶ ତଥା ଅନ୍ତିମ ଦିବସରେ ବ୍ୟାଡ୍‌ମିଣ୍ଟନରୁ ତୃତୀୟ ତଥା ଭାରତ ପାଇଁ ୨୬ତମ ସ୍ୱର୍ଣ୍ଣ ଜିତିଲେ ସାଇନା ନେହ୍ଵାଲ। ସାଇନାଙ୍କ ସ୍ୱର୍ଣ୍ଣିମ ସଫଳତା ସାଙ୍ଗକୁ ରବିବାର ମଧ୍ୟ ବ୍ୟାଡ୍‌ମିଣ୍ଟନରୁ ଭାରତ ୪ ପଦକ ହାସଲ କରିନେଲା। ପୁରୁଷ ଓ ମହିଳା ଏକକ ସାଙ୍ଗକୁ ପୁରୁଷ ଯୁଗଳ ସ୍ୱର୍ଣ୍ଣ ପାଇଁ ଭାରତ ମୁକାବିଲା କରିଥିଲା। ଆଉ ସବୁ ମୁକାବିଲାରେ ହିଁ ଭାରତ ପଦକ ଅମଳ କରିନେଲା। ସାଇନା ମଧ୍ୟ ଏଠାରେ ଚଳିତ ସପ୍ତାହରେ ମିଶ୍ରିତ ଦଳ ସ୍ୱର୍ଣ୍ଣ ହାସଲ କରିଥିଲେ। ଶନିବାର ଅଶ୍ୱିନୀ ପୋନାପ୍ପା-ଏନ୍‌ ସିକ୍କି ରେଡୀ ଯୋଡ଼ି ମହିଳା ଯୁଗଳରେ କାଂସ୍ୟ ଜିତିଥିଲେ। ସାଇନାଙ୍କ ବ୍ୟକ୍ତିଗତ ସ୍ୱର୍ଣ୍ଣ ବ୍ୟତୀତ ଦଳଗତ ବର୍ଗରେ ମଧ୍ୟ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଥିଲା।

ମହିଳା ଏକକ ଫାଇନାଲ୍‌ରେ ଦୁଇ ଭାରତୀୟ ଲଳନା ସାଇନା ଓ ପିଭି ସିନ୍ଧୁ ସ୍ୱର୍ଣ୍ଣ ପାଇଁ ମୁହାଁମୁହିଁ ହୋଇଥିଲେ। ଆଉ ଏଥିରେ ବିଶ୍ୱ ମାନ୍ୟତାର ତୃତୀୟ ସିନ୍ଧୁଙ୍କୁ ୨୧-୧୮ ଓ ୨୩-୨୧ରେ ପରାସ୍ତ କରି ବିଶ୍ୱ ମାନ୍ୟତାର ଦ୍ୱାଦଶ ସାଇନା ସ୍ୱର୍ଣ୍ଣ ଜିତିନେଲେ। ଏହି ମ୍ୟାଚ୍‌ରେ ଆରମ୍ଭରୁ ସାଇନା ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳିଥିଲା ବେଳେ ତାଙ୍କ ଅଭିଜ୍ଞତା ନିକଟରେ ମଧ୍ୟ ସିନ୍ଧୁ ହାର୍‌ ମାନିଥିଲେ। ଫଳରେ ସିନ୍ଧୁ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାଇନାଙ୍କ ପାଇଁ ଏହା ବ୍ୟକ୍ତିଗତ ଦ୍ୱିତୀୟ ସ୍ୱର୍ଣ୍ଣ ଥିଲା ବେଳେ ସିନ୍ଧୁଙ୍କ ବିପକ୍ଷରେ ପାଞ୍ଚଥର ମୁହାଁମୁହିଁରୁ ଚତୁର୍ଥ ବିଜୟ ପାଇଲେ। ଶେଷଥର ପାଇଁ ଗତବର୍ଷ ଜାତୀୟ ପ୍ରତିଯୋଗିତା ଫାଇନାଲ୍‌ରେ ପରସ୍ପର ମୁହାଁମୁହିଁ ହୋଇଥିଲା ବେଳେ ସାଇନା ୨୧-୧୭ ଓ ୨୭-୨୫ରେ ଜିତି ତୃତୀୟ ଟ୍ରଫି ହାସଲ କରିଥିଲେ। ଗୋଲ୍‌ଡ କୋଷ୍ଟ ବିଜୟ ସହିତ ସାଇନା ମଧ୍ୟ ମୋଟ ୫ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ନିଜ ନାମରେ କରିନେଲେ। ଏହା ପୂର୍ବରୁ ୨୦୧୦ରେ ସେ ବ୍ୟକ୍ତିଗତ ସ୍ୱର୍ଣ୍ଣ ସାଙ୍ଗକୁ ମିଶ୍ରିତ ଦଳ ରୌପ୍ୟ ଜିତିଥିଲା ବେଳେ ୨୦୦୬ରେ ମିଶ୍ରିତ ଦଳ କାଂସ୍ୟ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ସିନ୍ଧୁ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କ ପଦକ ସଂଖ୍ୟା ୨ରେ ପହଞ୍ଚାଇଛନ୍ତି। ଏହା ପୂର୍ବରୁ ସିନ୍ଧୁ ୪ ବର୍ଷ ତଳେ ତଥା ୨୦୧୪ ଗ୍ଲାସ୍‌ଗୋ କ୍ରୀଡ଼ାରେ ବ୍ୟକ୍ତିଗତ କାଂସ୍ୟ ପଦକ ଜିତିଥିଲେ। ହେଲେ ଦ୍ରୋଣାଚାର୍ଯ୍ୟ ପୁଲେଲା ଗୋପୀଚାନ୍ଦ୍‌ଙ୍କ ଅକ୍ଳାନ୍ତ ପରିଶ୍ରମ ହିଁ ଭାରତକୁ ୬ ପଦକ ଭେଟିଦେବାର ଶ୍ରେୟ ପାଇଲା।

ମହିଳା ଏକକ ଭଳି ପୁରୁଷ ଏକକ ସ୍ୱର୍ଣ୍ଣ ପାଇଁ ମଧ୍ୟ ନିକଟରେ ବିଶ୍ୱ ମାନ୍ୟତାର ଶୀର୍ଷ ସ୍ଥାନ ଅକ୍ତିଆର କରିଥିବା ଭାରତୀୟ ତାରକା କିଦାମ୍ବି ଶ୍ରୀକାନ୍ତ ଲଢ଼ିଥିଲେ। ଏଥି ସହିତ ଦ୍ୱିତୀୟ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ଜିତିବାର ଲକ୍ଷ୍ୟ ରଖିଥିଲେ। ହେଲେ ରବିବାର ଫାଇନାଲ୍‌ରେ ପ୍ରଥମ ଗେମ୍‌ ଜିତିବା ସତ୍ତ୍ୱେ ତିନି ଥର ଅଲିମ୍ପିକ୍‌ ରୌପ୍ୟ ବିଜେତା ମାଲେସିଆର ଲି ଚୋଙ୍ଗ୍‌ ଓ୍ଵି’ଙ୍କ ନିକଟରୁ ହାରିଗଲେ। ବିଶ୍ୱ ମାନ୍ୟତାର ସପ୍ତମ ଲି ଚୋଙ୍ଗ୍‌ ୧୯-୨୧, ୨୧-୧୪, ୨୧-୧୪ରେ ଶ୍ରୀକାନ୍ତଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ନିଜ ନାମକୁ ନେଇଗଲେ। ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଥିଲେ ମଧ୍ୟ ଶ୍ରୀକାନ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟକ୍ତିଗତ ପ୍ରଥମ ପଦକ (ରୌପ୍ୟ) ହାସଲ କରିବା ସହିତ ଭାରତର ମୋଟ ପଦ ସଂଖ୍ୟା ୬୫ରେ ପହଞ୍ଚାଇ ୪ ବର୍ଷ ତଳର ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା (୬୪) ମୋଟ ପଦକ ସଂଖ୍ୟାକୁ ଟପାଇ ଦେଇଥିଲେ। ଗ୍ଲାସ୍‌ଗୋରେ ଶ୍ରୀକାନ୍ତ ନିଜର ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଖେଳିଥିଲା ବେଳେ ପ୍ରଥମ ରାଉଣ୍ଡ୍‌ରୁ ହିଁ ବିଦାୟ ନେଇଥିଲେ। ତେବେ ଏଥର ଦୁଇଟି ପଦକ ହାତେଇ ନେଲେ। ଚଳିତ ସପ୍ତାହରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଥିବା ମିଶ୍ରିତ ଦଳର ସେ ମଧ୍ୟ ସଦସ୍ୟ ଥିଲେ।

ଏକକ ବର୍ଗରେ ରବିବାର ଶେଷ ଦିନ ୩ ପଦକ ଜିତିବା ପରେ ଯୁଗଳ ବର୍ଗରେ ମଧ୍ୟ ଭାରତ ପଦକ ହାତଛଡ଼ା କରିନଥିଲା। ପୁରୁଷ ଯୁଗଳ ଫାଇନାଲ୍‌ରେ ସାତ୍ତ୍ୱିକ୍‌ ରାଙ୍କିରେଡୀ-ଚିରାଗ ସେଟ୍ଟୀ ପ୍ରବଳ ସଂଘର୍ଷ କରିବା ସତ୍ତ୍ୱେ ଇଂଳଣ୍ଡ ଯୋଡ଼ି ମାର୍କସ୍‌ ଇଲିସ୍‌ ଓ କ୍ରିସ୍‌ ଲାଣ୍ଡ୍ରିଜ୍‌ ଯୋଡ଼ି ନିକଟରୁ ୧୩-୨୧ ଓ ୧୬-୨୧ରେ ହାରିଗଲେ। ଫଳରେ ଭାରତକୁ ଏହି ବର୍ଗରୁ ରୌପ୍ୟ ପଦକ ମିଳିଥିଲା। ସ୍ୱର୍ଣ୍ଣ ଜିତିପାରିନଥିଲେ ମଧ୍ୟ ୧୭ ବର୍ଷ ବୟସ୍କ ରାଙ୍କିରେଡ୍ଡୀ ଓ ୨୦ ବର୍ଷ ବୟସ୍କ ଚିରାଗଙ୍କ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିବା କିଛି କମ୍‌ ସଫଳତା ନଥିଲା।

ମନିକାଙ୍କୁ ସର୍ବାଧିକ ୪ ପଦକ
ଗୋଲ୍‌ଡ କୋଷ୍ଟରେ ବ୍ୟାଡ୍‌ମିଣ୍ଟନ ଭଳି ଟେବୁଲ ଟେନିସ୍‌ରେ ମଧ୍ୟ ଭାରତର ପଦକ ଧାରା ଲମ୍ବିଥିଲା। ଟିଟିରୁ ଭାରତ ମୋଟ ୮ ପଦକ ଅମଳ କରିନେଲା। ବିଶେଷକରି ମନିକା ବାତ୍ରା ବ୍ୟକ୍ତିଗତ ଭାବେ ୪ ପଦକ ଜିତି ଗୋଲ୍‌ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଅଧିକ ସ୍ମରଣୀୟ କରିତୋଳିଲେ। ପୂର୍ବରୁ ୩ ପଦକ (ମହିଳା ଏକକ ସ୍ୱର୍ଣ୍ଣ, ମହିଳା ଦଳଗତ ସ୍ୱର୍ଣ୍ଣ ଏବଂ ମହିଳା ଯୁଗଳ ରୌପ୍ୟ) ଜିତିଥିବା ମନିକା ରବିବାର ଅନ୍ତିିମ ଦିବସରେ ବି ସଫଳତା ଦୋହରାଇଥିଲେ। ସାଥୀୟାନ୍‌ ଜ୍ଞାନଶେକରନ୍‌ଙ୍କୁ ସାଥୀ କରି ମନିକା ମିଶ୍ରିତ ଯୁଗଳରେ କାଂସ୍ୟ ଜିତିଲେ। ଏହି ଭାରତୀୟ ଯୋଡ଼ି କାଂସ୍ୟ ମୁକାବିଲାରେ ନିଜ ଦେଶର ଅଚନ୍ତ ଶରତ କମଲ୍‌ ଓ ମୌମା ଦାସ ଯୋଡ଼ିକୁ ୩-୦ (୧୧-୬, ୧୧-୨ ଓ ୧୧-୪)ରେ ପରାସ୍ତ କରିଦେଲେ। ସେହିପରି ରବିବାର ଅନ୍ୟ ଏକ କାଂସ୍ୟ ମୁକାବିଲାରେ ଶରତ କମଲ୍‌ ପୁରୁଷ ଏକକ ବର୍ଗରେ ଇଂଲଣ୍ଡର ସାମ୍‌ ଓ୍ଵାକର୍‌ଙ୍କୁ ୪-୧ (୧୧-୭, ୧୧-୯, ୯-୧୧, ୧୧-୬ ଓ ୧୨-୧୦)ରେ ପରାସ୍ତ କରିଥିଲେ। ଏଥି ସହିତ ୩୫ ବର୍ଷ ବୟସ୍କ ଶରତ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିଜର ତୃତୀୟ ପଦକ କରାୟତ କରିନେଲେ। ସେ ଦଳଗତରେ ସ୍ୱର୍ଣ୍ଣ ଓ ପୁରୁଷ ଯୁଗଳରେ ରୌପ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର