ଜାତୀୟ ରୌପ୍ୟ ପଦକ ଜିତିଲେ ସାଇନା, ବିଶ୍ବ ଯୁବ ଚେସ୍‌ ପାଇଁ ଯୋଗ୍ୟତା

ଭୁବନେଶ୍ବର: ଗତ ମାସରେ ନିଜର ପ୍ରଥମ ଡବଲ୍ୟୁଆଇଏମ୍ ନର୍ମ ଅର୍ଜନ କରିଥିବା ସାଇନା ସଲୋନିକା ରବିବାର ଜାତୀୟ ୧୭ ବର୍ଷରୁ କମ୍ ବାଳିକା ବର୍ଗରେ ଉପବିଜୟିନୀ ହୋଇ ରୌପ୍ୟ ପଦକ ହାସଲ କରିଛନ୍ତି।‌ କେରଳର କୋଚିଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପଶ୍ଚିମବଙ୍ଗର ସମୃଦ୍ଧା ଘୋଷ ୮.୫ ପଏଣ୍ଟ ସହିତ ବିଜୟିନୀ ହୋଇଥିଲେ। ଆନ୍ଧ୍ରପ୍ରଦେଶର ବି କଲ୍ୟାଣୀ କାଂସ୍ୟ ପଦକ ହାସଲ କରି ନେଇଥିଲେ। ସାଇନା ୧୧ ରାଉଣ୍ଡରୁ ୫ ବିଜୟ ଏବଂ ୬ ଅମୀମାଂସିତ ଗେମ୍ ସହିତ ୮ ପଏଣ୍ଟ୍ ପାଇଥିଲେ। ୬ ଅମୀମାଂସିତରୁ ଗୋଟିଏକୁ ବିଜୟରେ ରୂପାନ୍ତରିତ କରିପାରିଥିଲେ ସାଇନା ମଧ୍ୟ ସ୍ବର୍ଣ୍ଣ ପଦକ ଜିତିନେଇଥାନ୍ତେ। ତଥାପି ନିଜ ପ୍ରଦର୍ଶନରେ ସନ୍ତୋଷ ପ୍ରକାଶ କରିଛନ୍ତି ଏହି କିଟ୍ ଛାତ୍ରୀ। ଏଥି ସହିତ ସାଇନା ରୋମାନିଆରେ ଖେଳାଯିବାକୁ ଥିବା ବିଶ୍ବ ଯୁବ ଚେସ୍‌ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସାଇନାଙ୍କୁ ଏସ୍ ଆର୍ ଚେସ୍ କେନ୍ଦ୍ର ତଥା ତାଙ୍କ ଗୁରୁ ସତ୍ୟରଂଜନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

ଜୁନ୍‌ ଶେଷ ସପ୍ତାହରେ ଗୋଆରେ ଶେଷ ହୋଇଥିବା ଅନ୍ତର୍ଜାତୀୟ ଓପନ୍ ପ୍ରତିଯୋଗିତା ଅବସରରେ ସାଇନା ନିଜ ଡବଲ୍ୟୁଆଇଏମ୍ ନର୍ମ ପାଇଥିଲେ। ୨୦୧୦ ମସିହାରେ ଜାତୀୟ ୧୦ ବର୍ଷରୁ କମ୍ ବିଜୟନୀ ହେବା ସହିତ ସେହି ବର୍ଗରେ ବିଶ୍ବ ବିଜୟିନୀ ହୋଇଥିବା ସାଇନା ଅଦ୍ୟାବଧି ୧୫ ଅନ୍ତର୍ଜାତୀୟ ପଦକ ହାସଲ କରି ସାରିଛନ୍ତି। ୨୦୧୨ରେ ଜାତୀୟ ୯ ବର୍ଷରୁ କମ୍‌ ଟ୍ରଫି ଜିତିଥିଲେ। ପରବର୍ତୀ ସମୟରେ ୧୧, ୧୩, ୧୫, ୧୭ ବର୍ଷରୁ କମ୍ ବର୍ଗରେ ରୌପ୍ୟ କିମ୍ବା କାଂସ୍ୟ ପଦକ ଜିତିବାର ଗୌରବ ପାଇ ଆସୁଛନ୍ତି। କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ୍‌ ସୁଲଣ ଗାଁର ମୂଳ ନିବାସୀ ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଣେଶ୍ବର ଜେନା ଏବଂ ବବିତା ଜେନାଙ୍କ ସାନ ଝିଅ ସାଇନା ଗତ ୮ ମାସ ହେବ ସିବିଏସଇ ଦଶମ ପରୀକ୍ଷା ପାଇଁ ଚେସ୍‌ ବୋର୍ଡରୁ ଦୂରେଇ ରହିଥିଲେ ମଧ୍ୟ ୯୭.୪ ପ୍ରତିଶତ ସହିତ ଉତ୍ତୀର୍ଣ୍ଣ ହୋଇ ଅନ୍ୟ ଏକ ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର