ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନଲକ୍-୪ ନିର୍ଦେଶାବଳୀ ଅନୁଯାୟୀ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ତା’ର ସମସ୍ତ କେନ୍ଦ୍ରରେ କ୍ରୀଡ଼ା କାର୍ଯ୍ୟକଳାପ ପାଇଁ ପରିବର୍ତ୍ତିତ ସାଧାରଣ ପରିଚାଳନା ପ୍ରଣାଳୀ (ଏସ୍‌ଓପି) ଜାରି କରିଛି। ପୂର୍ବରୁ ଜାରି ହୋଇଥିବା ଏସ୍‌ଓପି ଅନୁଯାୟୀ କ୍ରୀଡ଼ା କାର୍ଯ୍ୟକ୍ରମ ଚାଲିବ। କିନ୍ତୁ ନୂଆ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଶିବିରରେ ଯୋଗ ଦେବା ଲାଗି ଏହି ଏସ୍‌ଓପି‌ରେ କିଛିଟା ପରିବର୍ତ୍ତନ କରାଯାଇଛି।

Advertisment

ପରିବର୍ତ୍ତିତ ଏସ୍‌ଓପି‌ର କିଛି ଗୁରୁତ୍ବପୂର୍ଣ୍ଣ ପଏଣ୍ଟ ଗୁଡ଼ିକ ମଧ୍ୟରେ ରହିଛି ତାଲିମ ଶିବିରରେ ଯୋଗଦେବା ପୂର୍ବରୁ ଖେଳାଳି, ପ୍ରଶିକ୍ଷକ, ସପୋର୍ଟ ଷ୍ଟାପ୍‌ଙ୍କ କରୋନା ପରୀକ୍ଷା କରାଯିବ। ସମସ୍ତ ଖର୍ଚ୍ଚ ‘ସାଇ’ ବହନ କରିବ। ତାଲିମରେ ଯୋଗ ଦେବା ପୂର୍ବରୁ ଖେଳାଳିମାନେ ୧୫ ଦିନିଆ ଏକାନ୍ତବାସରେ ରହିବାକୁ ପଡ଼ିବ। ଏଥିଲାଗି ସେମାନେ ଏକ ସତ୍ୟପାଠ ଦାଖଲ କରିବେ। କେନ୍ଦ୍ରକୁ ଆସିବାର ୯୬ ଘଣ୍ଟା ପୂର୍ବରୁ ‌ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ ବାଧ୍ୟତାମୂଳକ ଭାବେ ‌କରୋନା ଆର୍‌ଟି-ପିସିଆର୍‌ ପରୀକ୍ଷା କରାଇବେ।‌ ନେଗେଟିଭ ଆସିଲେ ହିଁ ସେମାନଙ୍କୁ କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ। ଯଦି ଗସ୍ତ ପୂର୍ବରୁ କୌଣସି କାରଣରୁ ପରୀକ୍ଷା କରାଇନଥିବେ ତେବେ ପହଞ୍ଚିବାମାତ୍ରେ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯିବ। କେନ୍ଦ୍ରରେ ପହଞ୍ଚିବାର ୬ ଦିନ ପରେ ପୁଣି ଥରେ ‌‌ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କର ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯିବ। ନେଗେଟିଭ୍‌ ଆସିଲେ ୭ ଦିନର ସଂଗରୋଧ ପରେ ତାଲିମ ପାଇଁ ଅନୁମତି ମିଳିବ। ଯେଉଁମାନେ ଜୈବ ବଳୟ କିମ୍ବା ସୁରକ୍ଷିତ ପ୍ରଶିକ୍ଷଣ ପରିବେଶରୁ ଆସିଥିବେ ସେମାନଙ୍କ ପାଇଁ ଏହି ନିୟମ ରହିବ। ଅନ୍ୟମାନେ ଆଉ ୭ ଦିନ ସଂଗରୋଧରେ ରହିବେ। ଯଦି କୌଣସି ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପଜେଟିଭ୍‌ ଆସେ ତେ‌ବେ ସେମାନେ କେନ୍ଦ୍ର, ରାଜ୍ୟ, ସ୍ଥାନୀୟ ପ୍ରଶାସନ ଦ୍ବାରା ଜାରି କରୋନା ନିୟମାବଳୀ ଏବଂ ‘ସାଇ’ର ଏସ୍‌ଓପିକୁ ଅନୁକରଣ କରିବାକୁ ପଡ଼ିବ।