ଭାରତ ଗସ୍ତରେ ଆସିବେନି ସକିବ!

ଢାକା: ‌‌ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ଖେଳାଳିମାନେ ପାଉଣାକୁ ନେଇ ବିଦ୍ରୋହ କରିଥିଲେ। ଏହାକୁ ନେଇ ପାଞ୍ଚ ଦିନ ତଳେ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଓ ଖେଳାଳିଙ୍କ ମଧ୍ୟରେ ସମାଧାନ ହୋଇଥିଲା। ଏହା ପରେ ଦଳର ଅଭ୍ୟାସ ଶିବିର ଆୟୋଜିତ ହୋଇଥିଲା। ହେଲେ ୩ ଦିନ ହେଲା ‌ଏହି ଅଭ୍ୟାସ ଶିବିର ‌ଆରମ୍ଭ ହୋଇଥିଲେ ମଧ୍ୟ ବିଦ୍ରୋହର ନେତୃତ୍ବ ନେଉଥିବା ସକିବ ୨ ଦିନ ଅନୁପସ୍ଥିତ ରହିଛନ୍ତି। ତାଙ୍କ ଅନୁପସ୍ଥିତ ନେଇ ବିସିବି କୌଣସି ସ୍ପଷ୍ଟ କରି ନାହିଁ। ବୁଧବାର ଦଳ ଭାରତ ଗସ୍ତ କରିବାକୁ ଥିବା ବେଳେ କିଛି ଖେଳାଳି ଯାଇପାରନ୍ତିନି। ବିଶେଷ କରି ସକିବ ଏହି ଗସ୍ତରୁ ଓହରି ପାରନ୍ତି ବୋଲି ବୋର୍ଡର ସଭାପତି ନଜିମୁଲ ହାସନ ସଂକେତ ଦେଇଛନ୍ତି। ମୁଁ ଆଜି ସକିବଙ୍କୁ ଡାକିଛି। ସେ କ’ଣ କହୁଛନ୍ତି ଦେଖିବାର ଅଛି। ‌ଅନ୍ୟମାନଙ୍କୁ ମଧ୍ୟ। କିନ୍ତୁ ସୂଚନା ପାଇଛି ଯେ ‌ସକିବ ଭାରତ ଗସ୍ତରେ ଯାଇ ନପାରନ୍ତି। ମିରପୁରରେ ସୋମବାର ‌ଅଭ୍ୟାସ ଶିବିରର ଶେଷ ଦିନ ହୋଇଥିଲା ବେଳେ ଖେଳାଳିମାନେ ନିଜ ନିଜ ମଧ୍ୟରେ ମ୍ୟାଚ୍‌ ଖେଳିବେ। ସକିବ ଯଦି ଉପସ୍ଥିତ ନ ରୁହନ୍ତି ତେବେ ତାଙ୍କ ଉପରେ ଆଲୋଚନା ହେବ ବୋଲି ହାସନ କହିଛନ୍ତି। ପୂର୍ବରୁ ଆହତ ଯୋଗୁଁ ମହମ୍ମଦ ସାଇଫୁଦ୍ଦିନ୍‌ ଏବଂ ପତ୍ନୀ ଗର୍ଭବତୀ ଥିବାରୁ ତାମିମ ଇକ୍‌ବାଲ୍‌ ଦଳରୁ ଓହରି ଯାଇଥିଲେ। ସୂଚନାଯୋଗ୍ୟ ଯେ ସକିବ ଜାତୀୟ ଚୁକ୍ତିରେ ରହି ମଧ୍ୟ ବେଆଇନ ଭାବେ ଏକ ମୋବାଇଲ କମ୍ପାନି ସହ ଚୁକ୍ତି କରିଥିଲେ। ଏଥିପାଇଁ ବୋର୍ଡ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ସେ ଏହାର ଜବାବ ରଖିଲେ ତାଙ୍କ ପ୍ରତି କୌଣସି କାର୍ଯ୍ୟନୁଷ୍ଠାନ ହେବନି ବୋଲି ନିକଟରେ କହିଛନ୍ତି ବିସିବିର ସିଇଓ ନିଜାମୁଦ୍ଦିନ୍‌ ଚୌଧୁରୀ।

ସମ୍ବନ୍ଧିତ ଖବର