ସଚିନଙ୍କ କ୍ଲବ୍‌ରେ ସକିବ

ଲଣ୍ଡନ୍: ସୋମବାର ରାତିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୨୪ ରନ୍‌ର ମ୍ୟାଚ୍‌ ବିଜୟୀ ପାଳି ଖେଳିଥିବା ବାଂଲାଦେଶ ଅଲରାଉଣ୍ଡର୍ ସକିବ୍ ଅଲ୍ ହାସନ୍ ଏହି ଅବସରରେ ଦୁଇଟି ବ୍ୟାଟିଂ କୃତିତ୍ବ ଅର୍ଜନ କରିଛନ୍ତି। ସକିବଙ୍କ ପାଳି ବଳରେ ବାଂଲାଦେଶ ମଧ୍ୟ ବିଶ୍ବକପ୍‌ରେ ଦ୍ବିତୀୟ ସର୍ବୋଚ୍ଚ ପଶ୍ଚାତଧାବନ (୩୨୨/୩) ବିଜୟରେ ସଫଳ ହୋଇଛି। ଲଗାତାର ୫ ଦିନିକିଆ ପାଳିରେ ୫୦ରୁ ଊର୍ଧ୍ବ ରନ୍‌ କରିଥିଲେ ସକିବ୍‌। ଏଭଳି ସଫଳତା ଅର୍ଜନ କରିଥିବା ୧୨ ଜଣ ଖେଳାଳିଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ରହିଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ବର ଏକମାତ୍ର ଖେଳାଳିଭାବେ ଦୁଇ ଥର ଏଭଳି ସଫଳତା ପାଇଛନ୍ତି। ସକିବ୍ କିନ୍ତୁ ଏକମାତ୍ର ବାଂଲଦେଶ ନୁହଁନ୍ତି। ୨୦୧୨ ମସିହାରେ ତମିମ୍ ଇକବାଲ୍‌ ମଧ୍ୟ ଏଭଳି କରିଥିଲେ। ଅନ୍ୟ କୀର୍ତ୍ତିମାନ ହେଉଛି ବିଶ୍ବକପ୍‌ରେ। ଲଗାତାର ୪ ପାଳିରେ ୫୦ରୁ ଊର୍ଧ୍ବ ରନ୍ କରିବାରେ ସେ ମଧ୍ୟ ସଚିନଙ୍କ ସମକକ୍ଷ ହୋଇଛନ୍ତି। ସଚିନ ଏହାକୁ ୧୯୯୬ରେ ହାସଲ କରିଥିଲେ। କିନ୍ତୁ ଏ‌ଭଳି ସଫଳତା ପାଇଥିବା ପ୍ରଥମ ଖେଳାଳି ଜଣଙ୍କ ହେଉଛନ୍ତି ନଭଜୋତ ସିଂହ ସିଦ୍ଧୁ (୧୯୮୭ ବିଶ୍ବକପ୍‌)। ଏହି ତାଲିକାରେ ଥିବା ଅନ୍ୟ ଦୁଇ ଜଣ ହେଲେ ଗ୍ରେମ୍ ସ୍ମିଥ୍ (୨୦୦୭) ଏବଂ ଷ୍ଟିଭେନ୍ ସ୍ମିଥ୍ (୨୦୧୫)। ବିଶ୍ବକପ୍‌ ପ୍ରାରମ୍ଭରୁ ଲଗାତାର ୫ ପାଳିରେ ୫୦+ ସ୍କୋର୍ କରିବାରେ ସ୍ମିଥ୍ କିନ୍ତୁ ଏ ପର୍ଯ୍ୟନ୍ତ ଏକମାତ୍ର ଖେଳାଳି। ସକିବ୍ ଚଳିତ ବିଶ୍ବକପ୍‌ରେ ୪ ପାଳିରୁ ୩୮୪ ରନ୍ ସଂଗ୍ରହ କରି ସାରିଛନ୍ତି ୨ ଶତକ ସହିତ। ୫ ୱିକେଟ୍‌ ମଧ୍ୟ ନେଇ ସାରିଛନ୍ତି ଏହି ଏକ ନମ୍ବର ଅଲରାଉଣ୍ଡର୍‌। ସୋମବାର ପାଳି ଅବସରରେ ସକିବ ଦ୍ବିତୀୟ ବାଂଲାଦେଶୀ ଭା‌ବେ ୬,୦୦୦ ରନ୍ ପୂର୍ଣ୍ଣ କରିଥିଲେ। ୬୦୦୦ + ରନ୍ ଏବଂ ୨୫୦+ ୱିକେଟ୍ ନେଇ ଡବଲ୍ ଅର୍ଜନରେ ସେ ଚତୁର୍ଥ ଖେଳାଳି ହୋଇଛନ୍ତି। ରବିବାର ସକିବ୍ ଏବଂ ଲିଟନ୍ ଦାସ ଚତୁର୍ଥ ୱିକେଟ୍‌ ପାଇଁ ସଂଗ୍ରହ କରିଥିବା ୧୮୯* ରନ୍‌ ବାଂଲାଦେଶ ପାଇଁ ବିଶ୍ବକପ୍‌ରେ ସର୍ବୋଚ୍ଚ ଏବଂ ଚଳିତ ବିଶ୍ବକପ୍‌ରେ ‌‌ଯେ କୌଣସି ୱିକେଟ୍‌ ପାଇଁ ସର୍ବୋଚ୍ଚ।

ସମ୍ବନ୍ଧିତ ଖବର