ସଲାମ୍‌ ବାୟୁସେନା

ନୂଆଦିଲ୍ଲୀ: ପୁଲୱାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ୧୧ ଦିନ ପରେ ଭାରତ ଏହାର ଚରମ ପ୍ରତିଶୋଧ ନେଇଛି। ମଙ୍ଗଳବାର ଭୋର ୩.୨୦ରେ ଭାରତୀୟ ବାୟୁସେନାର ୧୨ ମିରାଜ ଯୁଦ୍ଧ ବିମାନ ନିୟନ୍ତ୍ରଣ ‌ରେଖା ପାର ହୋଇ ପାକିସ୍ତାନର ଖାଇବର ପଖତୁନଖସ୍ବା ପ୍ରଦେଶର ବାଲାକୋଟରେ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ସବୁଠାରୁ ବଡ଼ ପ୍ରଶିକ୍ଷଣ ଶିବିରକୁ ଧ୍ବଂସ କରି ଦେଇଛନ୍ତି। ଏଥିରେ ଜୈସର ଅନେକ କମାଣ୍ଡରଙ୍କ ସହ ୩୦୦ରୁ ଅଧିକ ଆତଙ୍କାବାଦୀ ନିହତ ହୋଇଥିବା ଭାରତ ଦାବି କରିଛି। ଭାରତୀୟ ବାୟୁସେନାର ଏହି ସାହସିକ କାର୍ଯ୍ୟାନୁଷ୍ଠାନକୁ ଭାରତୀୟ କ୍ରୀଡ଼ାବିତ୍ ଏକ ସ୍ବରରେ ଭୂୟଶୀ ପ୍ରଶଂସା କରିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ଅଲିମ୍ପିକ୍ସ ପଦକ ବିଜୟିନୀ ସାକ୍ଷୀ ମଲ୍ଲିକଙ୍କ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି। ଭାରତୀୟ ଖେଳ ତାରକାମାନେ ଏଥିନେଇ ଦେଇଥିବା ପ୍ରତିକ୍ରିୟା ଥିଲା ଏମିତି-
ସଚିନ ତେନ୍ଦୁଲକର
ଆମ ଭଦ୍ରତାକୁ କେବେବି ଆମ ଦୁର୍ବଳତା ବୋଲି ଭାବିବାର ଭୁଲ କରନି। ମୁଁ ଭାରତୀୟ ବାୟୁସେନାକୁ ସାଲ୍ୟୁଟ କରୁଛି। ଜୟ ହିନ୍ଦ୍।
ବୀରେନ୍ଦ୍ର ସେହବାଗ
ଭାଇମାନେ ତୁମେ ବହୁତ ଭଲ ଖେଳିଲ। ସୁଧୁରି ଯାଅ ନହେଲେ ସୁଧାରିଦେବୁ ପାକିସ୍ତାନ।
ଗୌତମ ଗମ୍ଭୀର
ଜୟ ହିନ୍ଦ୍, ଭାରତୀୟ ବାୟୁସେନା ଜୟ।
ସାକ୍ଷୀ ମଲ୍ଲିକ
ଆଜି ସକାଳ ସତରେ ବହୁତ ସୁନ୍ଦର ଥିଲା। ନରେନ୍ଦ୍ର ମୋଦି ସାର୍ ଆପଣଙ୍କୁ ଧନ୍ୟବାଦ। ମଜବୁତ ହୃଦୟ ବାଲା ଆମ ସେନାକୁ ଅଶେଷ ଧନ୍ୟବାଦ। ଜୟ ହିନ୍ଦ୍।
ଅଜିଙ୍କ୍ୟ ରାହାଣେ
ସାବାସ୍ ଭାରତୀୟ ବାୟୁସେନା। ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଆପଣମାନେ ଦୃଢ଼ ଜବାବ ଦେଇଛନ୍ତି। ଆପଣଙ୍କ ପାଇଁ ଆମେ ଗର୍ବିତ, ଜୟ ହିନ୍ଦ୍।
ଯୋଗେଶ୍ବର ଦତ୍ତ
ଆମେ ଶାନ୍ତିପ୍ରିୟ, ହେଲେ ଆତଙ୍କବାଦୀଙ୍କୁ ଦୃଢ଼ ଜବାବ ଦେବାର ତାକତ ବି ଆମର ଅଛି। ଜୟ ହିନ୍ଦ୍, ଜୟ ଭାରତ।
ମହମ୍ମଦ କୈଫ
ଚମତ୍କାର। ଭାରତ ପାଲଟା ଜବାବ ଦେଲା। ଭାରତୀୟ ବାୟୁ‌ସେନାକୁ ମୋର ସଲାମ।
ଆକାଶ ଚୋପ୍ରା
ଆର ଥରକୁ କିନ୍ତୁ ଉରି କିମ୍ବା ପୁଲୱାମାକୁ ଅପେକ୍ଷା କରନି। ଯାହା ଦରକାର ତୁରନ୍ତ ତାହା କର। ଆତଙ୍କବାଦକୁ ସମୂଳେ ନିପାତ କର।
ଆର୍‌ପି ସିଂହ
ବର୍ତା ପୂରା ସ୍ପଷ୍ଟ। ଆତଙ୍କବାଦକୁ ଆମେ କୌଣସି ପରିସ୍ଥିତିରେ ବରଦାସ୍ତ କରିବୁ ନାହିଁ। ଭାରତୀୟ ବାୟୁସେନାକୁ ସଲାମ, ଜୟ ହିନ୍ଦ୍।
କେ ଶ୍ରୀକାନ୍ତ
ଭାରତୀୟ ବାୟୁସେନା ସତରେ ପ୍ରଶଂସାର ପାତ୍ର। ସବୁ ଭାରତୀୟ ଆପଣମାନଙ୍କ ପାଇଁ ଗର୍ବିତ। ଜୟ ହିନ୍ଦ୍।
ସାଇନା ନେହୱାଲ
ଭାରତୀୟ ବାୟୁ ସେନାକୁ ହୃଦୟରୁ ସାଲ୍ୟୁଟ୍। ଭାରତ ଜବାବ ଦେଲା।, ଜୟ ହିନ୍ଦ୍।

ସମ୍ବନ୍ଧିତ ଖବର