ବେତନଭୋଗୀଙ୍କ ଭରସା ପିଏଫ୍‌ ଖାତା: ୩.୫ କୋଟି ଶ୍ରମିକ ଉଠାଇଲେଣି ୧.୨୫ ଲକ୍ଷ କୋଟି

ମୁଣ୍ଡପିଛା ଉଠାଣ ୨୫,୦୦୦ ଟଙ୍କା

ନୂଆଦିଲ୍ଲୀ: ‌କରୋନା ମହାମାରୀ ଦେଶର ବେତନଭୋଗୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ତଥ୍ୟକୁ ଅନୁଶୀଳନ କରିବା ପରେ ଏହା ଜଣାପଡ଼ିଛି। ଗତବର୍ଷ କରୋନା ମହାମାରୀ ଆରମ୍ଭ ହେବା ପରେ ବେତନଭୋଗୀମାନଙ୍କ କଷ୍ଟ ଦୂର କରିବା ଲାଗି ଇପିଏଫ୍‌ ଖାତାରେ ଥିବା ରାଶିରୁ ଆଂଶିକ ଉଠାଣ ପାଇଁ ସରକାର ଅନୁମତି ଦେଇଥିଲେ। ସେବେଠାରୁ ଚଳିତ ବର୍ଷର ମେ’ ୧୨ ତାରିଖ ମଧ୍ୟରେ ପ୍ରାୟ ସାଢ଼େ ତିନି କୋଟି ସଦସ୍ୟ ନିଜ ପିଏଫ୍‌ ଖାତାରୁ ଟଙ୍କା ଉଠାଇଛନ୍ତି।

ବେତନଭୋଗୀ ବର୍ଗ କେତେ କଷ୍ଟ‌ରେ ଜୀବନଯାପନ କରୁଛନ୍ତି ତାହା ଏଥିରୁ ଜଣାପଡ଼ିଛି। ୨୦୨୦ ଏପ୍ରିଲ୍‌ ୧ରୁ ୨୦୨୧ ମେ’ ୧୨ ତାରିଖ ମଧ୍ୟରେ ପ୍ରାୟ ୭.୨ କୋଟି ଶ୍ରମିକ ନିଜ ପିଏଫ୍ ଖାତାରୁ ୧୮,୫୦୦ କୋଟି ଟଙ୍କାର ଅଗ୍ରୀମ ନେଇଛନ୍ତି। ଇପିଏଫ୍ଓରେ ୬ କୋଟିରୁ ଅଧିକ ସଦସ୍ୟ ରହିଛନ୍ତି। ‌ଏହି ସଦସ୍ୟମାନଙ୍କୁ ମିଶାଇ ପ୍ରାୟ ସାଢ଼େ ତିନି କୋଟି ସଦସ୍ୟ ନିଜ ପିଏଫ୍ ଖାତାରୁ ପାଣ୍ଠି ହାସଲ କରିଛନ୍ତି। ମିଳିତ ଭାବେ ସମସ୍ତ ସଦସ୍ୟ ୧.୨୫ ଲକ୍ଷ କୋଟି ଟଙ୍କା ଉଠାଇଛନ୍ତି। କୋଭିଡ୍‌ ଅଗ୍ରୀମ, ଫଇସଲା, ପେନ୍‌ସନ୍, ମୃତ୍ୟୁକାଳୀନ ବୀମା ଏବଂ ହସ୍ତାନ୍ତର ଭଳି ବିଭିନ୍ନ ମାମଲାରେ ଏହି ସବୁ ଟଙ୍କା ଉଠାଯାଇଛି। ୨୦୧୮-୧୯ରେ ଇପିଏଫ୍‌ଓ ତରଫରୁ ୧୬.୩୭ ନିୟୁତ ସଦସ୍ୟଙ୍କ ୮୧,୨୦୦ କୋଟି ଟଙ୍କାର ଦାବି ସମାଧାନ କରାଯାଇଥିଲା। ୨୦୧୯-୨୦ର ତଥ୍ୟ ଜାରି କରାଯାଇନାହିଁ।

ମହାମାରୀ ପ୍ରଭାବରେ ଅନେକ କର୍ମଚାରୀ ଜୀବିକା ହରାଇଛନ୍ତି। ସେମାନେ ନିଜର ଗୁଜରାଣ ମେଣ୍ଟାଇବା ଲାଗି ପିଏଫ୍‌ ଖାତାରୁ ଟଙ୍କା ଉଠାଇବାକୁ ବାଧ୍ୟ ହେଉଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ମୁମ୍ବାଇ, ପୁନେ, ଦିଲ୍ଲୀ ଓ ବେଙ୍ଗାଲୁରୁରୁ ସର୍ବାଧିକ ଦାବି ଆସିଛି। ଏହା ବ୍ୟତୀତ ଯେଉଁ ସବୁ ସ୍ଥାନରେ ଶିଳ୍ପ କାରଖାନା ଏବଂ ସେବା ପେଣ୍ଠସ୍ଥଳ ରହିଛି ସେଠାରୁ ମଧ୍ୟ ଅଧିକ ଦାବି ଆସିଛି। ଇପିଏଫ୍‌ଓ ପକ୍ଷରୁ ସ୍ବୟଂକ୍ରିୟ ପ୍ରକ୍ରିୟାରେ ୭୨ ଘଣ୍ଟା ଭିତରେ ଦାବି ସମାଧାନ କରାଯାଉଛି। ଇପିଏଫ୍‌ଓ ସଦସ୍ୟମାନଙ୍କୁ ତିନି ମାସର ମୂଳ ବେତନ ସମାନ ଟଙ୍କା ଉଠାଇବା ଲାଗି ଅନୁମତି ଦିଆଯାଇଛି। ସଦସ୍ୟମାନେ ହାରାହାରି ଭାବେ ୨୫ ହଜାର ଟଙ୍କା ଉଠାଇଛନ୍ତି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଯେଉଁମାନଙ୍କ ମୂଳ ‌ବେତନ ୮୦୦୦-୯୦୦୦ ଟଙ୍କା ମଧ୍ୟରେ ଥିଲା ସେଭଳି କର୍ମଚାରୀମାନେ ନିଜ ପିଏଫ୍‌ ଖାତାରୁ ଟଙ୍କା ଉଠାଇବାକୁ ବାଧ୍ୟ ହୋଇଛନ୍ତି।

ଇପିଏଫ୍‌ଓ ତଥ୍ୟରୁ ଗୋଟିଏ ବିଷୟ ସ୍ପଷ୍ଟ ହେଉଛି ଯେ ସ୍ବଳ୍ପ ବେତନ ପାଉଥିବା କର୍ମଚାରୀମାନେ ପିଏଫ୍‌ ଖାତାରୁ ଟଙ୍କା ଉଠାଇବା ଲାଗି ଦାବି ଉପସ୍ଥାପନ କରୁଛନ୍ତି। ମହାମାରୀ ପ୍ରଭାବରେ ଅନେକ କ୍ଷେତ୍ର ଘୋର ସଙ୍କଟ ଦେଇ ଗତି କରୁଥିବାରୁ ସେହି ସବୁ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀମାନଙ୍କ ଆୟ ପ୍ରଭାବିତ ହୋଇଛି। କିଛି କର୍ମଚାରୀ ସବୁଦିନ ପାଇଁ ଚାକିରି ହରାଇଛନ୍ତି। ଯେଉଁମାନେ ଏବେବି ଚାକିରିରେ ଅଛନ୍ତି ସେମାନଙ୍କୁ କମ୍ ବେତନ ମିଳୁଥିବାରୁ ମାସିକ ଖର୍ଚ୍ଚ ବହନ କରିବା କଷ୍ଟକର ହେଉଛି। ଯେଉଁ କର୍ମଚାରୀମାନେ ନିଜ ବେତନକୁ ଋଣ ପରିଶୋଧ ପାଇଁ ଇଏମ୍‌ଆଇ ଦେବାରେ ବ୍ୟବହାର କରୁଥିଲେ ଦରମା କାଟ ହେବା ପରେ ସେମାନେ ଅଧିକ ସମସ୍ୟା ଦେଇ ଗତି କରୁଛନ୍ତି। ଇପିଏଫ୍‌ଓ ଏକ ଅବସରକାଳୀନ ପାଣ୍ଠି ହୋଇଥିବା ବେଳେ ସେଥିରୁ ସଦସ୍ୟମାନେ ଏତେ ପରିମାଣର ଟଙ୍କା ଉଠାଇବା ଏକ ଶୁଭ ସଙ୍କେତ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ନିୟମିତ ବ୍ୟବଧାନରେ ଉଠାଣ ସେମାନଙ୍କ ଅବସରକାଳୀନ ପାଣ୍ଠିକୁ ପ୍ରଭାବିତ କରିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର