ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ଖେଳାଳିଙ୍କ ଦରମା ବୃଦ୍ଧି କରିବାକୁ ଚିନ୍ତା କରୁଛି | ଆଉ ଖେଳାଳିମାନଙ୍କୁ ମିଳୁଥିବା ଦରମାକୁ ୧୦ ରୁ ୨୦ ପ୍ରତିଶତ ବୃଦ୍ଧି କରାଯାଇପାରେ | ବିଶେଷ କରି ଆଇପିଏଲ୍ ଏବଂ ମହିଳା ପ୍ରିମିୟର ଲିଗ୍ ର ମିଡିଆ ରାଇଟ୍ସରୁ ବୋର୍ଡର ବମ୍ପର ରୋଜଗାର ପରେ ବିସିସିଆଇ ଭାରତୀୟ ଖେଳାଳିଙ୍କୁ ମଧ୍ୟ ଏହାର ଲାଭ ଦେଇପାରେ | ବାସ୍ତବରେ ଶେଷ ଥର ପାଇଁ ୨୦୧୭ ମସିହାରେ ବୋର୍ଡର ବାର୍ଷିକ ଚୁକ୍ତିନାମା ଅନୁଯାୟୀ ଟିମ୍ ଇଣ୍ଡିଆର ଖେଳାଳିଙ୍କ ବେତନ ବଢିଥିଲା | ଏହାପରଠାରୁ ବେତନ ବୃଦ୍ଧି ହୋଇନାହିଁ। ବର୍ତ୍ତମାନ ୫ ବର୍ଷ ପରେ ବୋର୍ଡ ବେତନ ବୃଦ୍ଧି କରିପାରେ। ଆଉ ଏଥର ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ସହ ଇଶାନ କିଶନ ଏବଂ ସଞ୍ଜୁ ସାମସନଙ୍କ ବେତନ ମଧ୍ୟ ବଢିପାରେ | ଏନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ହଁ, ବେତନ ବୃଦ୍ଧି ନେଇ ଆଲୋଚନା ଚାଲିଛି ଏବଂ ଆମେ ପ୍ରତି ୫ ବର୍ଷରେ ଚୁକ୍ତିଭିତ୍ତିକ ଖେଳାଳିଙ୍କ ଦରମା ବୃଦ୍ଧି କରୁଛୁ। ଯଦି ଆମେ ଇଂଲଣ୍ଡ ଖେଳାଳିଙ୍କ ଦରମା ସହିତ ତୁଳନା କରିବା, ତେବେ ଆମ ଖେଳାଳିମାନେ ତାଙ୍କଠାରୁ ମ୍ୟାଚ ଫି ବାବଦକୁ ଅଧିକ ଟଙ୍କା ପାଉଛନ୍ତି' |
ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ଏଥର ଘୋଷଣାରେ କିଛି ବିଳମ୍ବ ହୋଇଛି। ନିର୍ବାଚନ ସହ ନୂତନ ଚୟନ କମିଟି ଆସିବାରୁ ଏହି ବିଳମ୍ବ ହୋଇଛି | ଏହି ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରାୟ ନିଆଯାଇଛି, ଏହି ମାସ ଶେଷ ଆଡକୁ ଏବାବଦରେ ଘୋଷଣା କରାଯିବ'। ଉଲ୍ଲେଖ ଥାଉ କି ଭାରତୀୟ ଖେଳାଳିଙ୍କ ଚୁକ୍ତିନାମା ବର୍ଗ ବିଷୟରେ କହିବାକୁ ଗଲେ, ସମସ୍ତ ଫର୍ମାଟରେ ଖେଳୁଥିବା କିଛି ଖେଳାଳି ଗ୍ରେଡ୍-ଏ ପ୍ଲସରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଯେଉଁମାନେ ବୋର୍ଡରୁ ବାର୍ଷିକ ୭ କୋଟି ଟଙ୍କା ପାଆନ୍ତି | ଏହା ବ୍ୟତୀତ ଅନ୍ୟ ତିନୋଟି ଗ୍ରେଡ୍ ଅଛି ଯାହା ହେଉଛି ୫ କୋଟି, ୩ କୋଟି ଏବଂ ୧ କୋଟି ଟଙ୍କା | ଆଉ କୁହାଯାଉଛି ଯେ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମନ ଗିଲଙ୍କ ସମେତ କିଛି ନୂତନ ଖେଳାଳି ନୂତନ ବାର୍ଷିକ ଚୁକ୍ତିରେ ଲାଭ ପାଇପାରିବେ। ଏଥି ସହିତ, ବୋର୍ଡ କିଛି ଭେଟେରାନ୍ ଖେଳାଳିଙ୍କୁ ବାର୍ଷିକ ଚୁକ୍ତିନାମାରୁ ହଟାଇପାରେ | ଏହି ତାଲିକାରେ ଅଜିଙ୍କ୍ୟ ରାହାଣେ ଏବଂ ଇଶାନ୍ତ ଶର୍ମାଙ୍କ ନାମ ଆଗରେ ରହିଛି |