କୋଚି : ଅଧିକାଂଶ ପ୍ରମୁଖ ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍ମାନେ ପୂର୍ବରୁ ନିଜ ନିଜ ଦଳରେ ସାମିଲ କରିସାରିଥିଲା ବେଳେ ଶୁକ୍ରବାର ଆଗାମୀ ଆଇପିଏଲ୍ ପାଇଁ ମିନି ନିଲାମ ହୋଇଯାଇଛି। ନିଲାମ ତାଲିକାକୁ ମୋଟ ୪୦୫ ଖେଳାଳି ଯାଇଥିଲା ବେଳେ ସେଥିରୁ ୮୭ ଜଣଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ୍ କିଣିବାକୁ ଭିଡ଼ାଭିଡ଼ି ହୋଇଥିଲେ। ଏଥିରେ ଇଂଲଣ୍ଡ ଅଲ୍ରାଉଣ୍ଡର ସାମ୍ କରନକୁ ପଞ୍ଜାବ କିଙ୍ଗ୍ସ ୧୮.୫ କୋଟି ଟଙ୍କାରେ କିଣିଛି। ଫଳରେ ଆଇପିଏଲ୍ ନିଲାମ ଇତିହାସରେ କରନ୍ ହିଁ ସବୁଠୁ ଦାମୀ ଖେଳାଳି ହୋଇଛନ୍ତି। ପଞ୍ଜାବ କିଙ୍ଗ୍ସ କରନ୍ଙ୍କ ବାବଦରେ ସର୍ବାଧିକ ୧୮.୫ କୋଟି ବ୍ୟୟ କରିଥିଲା ବେଳେ ଏହା ପୂର୍ବରୁ ଗତ ୨୦୨୧ ସଂସ୍କରଣ ନିଲାମରେ ଦକ୍ଷିଣ ଆଫ୍ରିକା ଅଲ୍ରାଉଣ୍ଡର କ୍ରିସ୍ ମୋରିସ୍ଙ୍କୁ ସର୍ବଧିକ ୧୬.୨୫ କୋଟି ଟଙ୍କାରେ କିଣିଥିଲା ରାଜସ୍ଥାନ ରୟାଲ୍ସ।
ଏଥର ନିଲାମରେ କରନ୍ଙ୍କ ପଛକୁ ଦ୍ବିତୀୟ ସର୍ବାଧିକ ଟଙ୍କାରେ କିଣାଯାଇଛନ୍ତି ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର କାମେରନ୍ ଗ୍ରିନ୍। ପ୍ରଥମଥର ଲାଗି ଆଇପିଏଲ୍ ନିଲାମରେ ସାମିଲ ହୋଇଥିବା ଗ୍ରିନ୍ଙ୍କୁ ସର୍ବାଧିକ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୧୭.୫ କୋଟି ଟଙ୍କାରେ କିଣିଛି। ସେହିପରି ଇଂଲଣ୍ଡ ଟେଷ୍ଟ୍ ଅଧିନାୟକ ତଥା ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ତୃତୀୟ ସର୍ବାଧିକ ଦରରେ କିଣିଛି ଆଇପିଏଲ୍ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗ୍ସ। କୋଲ୍କାତା ନାଇଟ୍ ରାଇଡର୍ସ ସହ ପ୍ରତିଦ୍ବନ୍ଦ୍ବିତା କରିବାପରେ ଚେନ୍ନାଇ ଷ୍ଟୋକ୍ସଙ୍କୁ ୧୬.୨୫ କୋଟି ଟଙ୍କାରେ ନିଜ ପାଖକୁ ନେଇଯାଇଛି। ୱେଷ୍ଟ୍ଇଣ୍ଡିଜ୍ ବ୍ୟାଟର୍ ନିକୋଲସ୍ ପୂରନ ମଧ୍ୟ ଦାମୀ ବିଦେଶୀ ଖେଳାଳିଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି। ତାଙ୍କୁ ୧୬ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ କିଣିନେଇଛି। ଇଂଲଣ୍ଡର ଉଦୀୟମାନ ତାରକା ହାରି ବ୍ରୁକ୍ ମଧ୍ୟ କୋଟିପତି ବନିଯାଇଛନ୍ତି। ତାଙ୍କୁ ୧୩.୨୫ କୋଟି ଟଙ୍କାରେ କିଣିଛି ସନ୍ରାଇଜର୍ସ ହାଇଦ୍ରାବାଦ। ପୁଣି ୱେଷ୍ଟ୍ଇଣ୍ଡିଜ୍ ଅଲ୍ରାଉଣ୍ଡର ଜାସନ ହୋଲ୍ଡରଙ୍କୁ ୫.୭୫ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ କିଣିଛି। ଦକ୍ଷିଣ ଆଫ୍ରିକା ୱିକେଟ୍ରକ୍ଷକ ବ୍ୟାଟର୍ ହେନ୍ରିକ୍ କ୍ଲାସେଁ ବି ମାଲେମାଲ ହୋଇଛନ୍ତି। ତାଙ୍କୁ ୫.୨୫ କୋଟି ଟଙ୍କାରେ ସନ୍ରାଇଜର୍ସ ହାଇଦ୍ରାବାଦ କିଣିନେଇଛି। ହେଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମ୍ସନ୍ ତାଙ୍କ ମୂଳ ଦରରେ ବିକ୍ରି ହୋଇଛନ୍ତି। ଗୁଜରାଟ ଟାଇଟନ୍ସ ତାଙ୍କୁ ୨ କୋଟିରେ କିଣିଛି। ଜିମ୍ବାୱେ ଅଲ୍ରାଉଣ୍ଡର ସିକନ୍ଦର ରାଜା ଏବଂ ୱେଷ୍ଟ୍ଇଣ୍ଡିଜ୍ର ଓଡେନ୍ ସ୍ମିଥ୍ ମଧ୍ୟ ସେମାନଙ୍କ ମୂଳ ଦଳ (୫୦ ଲକ୍ଷ)ରେ ଯଥାକ୍ରମେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ଦଳକୁ ଯାଇଛନ୍ତି।
ଭାରତୀୟ ଘରୋଇ କ୍ରିକେଟର୍ଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ ଦାମୀ ଖେଳାଳି ବନି ଯାଇଛନ୍ତି। ଗତ ଋତୁରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଥିବା ମୟଙ୍କଙ୍କୁ ସନ୍ରାଇଜର୍ସ ହାଇଦ୍ରାବାଦ ୮.୨୫ କୋଟି ଟଙ୍କାରେ କିଣିନେଇଛି। ତାଙ୍କ ମୂଳ ଦଳ ଥିଲା ମାତ୍ର ୧ କୋଟି। ଏହା ପଛକୁ ରହିଛନ୍ତି ଶିବମ ମାଭି। ୨୦୧୮ରୁ କୋଲ୍କାତା ନାଇଟ୍ ରାଇଡର୍ସ ସହ ରହିଆସିଥିବା ମାଭିଙ୍କୁ ଏଥର ଗୁଜରାଟ ଟାଇଟନ୍ସ ୬ କୋଟି ଟଙ୍କାରେ କିଣିଛି। ମାଭିଙ୍କ ମୂଳ ଦଳ ମାତ୍ର ଲକ୍ଷ ଥିଲା। ସେହିପରି ଦ୍ରୁତ ବୋଲର ମୁକେଶ କୁମାର ଦ୍ବିତୀୟ ଭାରତୀୟ ଭାବେ ସର୍ବାଧିକ ୫.୫ କୋଟି ଟଙ୍କା ଆୟ କରିଛନ୍ତି। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିଲା ବେଳେ ଜମ୍ମୁର ଭିଭ୍ରାନ୍ତ ଶର୍ମା ୨୦ ଲକ୍ଷ ମୂଳ ଦରରୁ ୨.୬ କୋଟି ଟଙ୍କାରେ ସନ୍ରାଇଜର୍ସ ହାଇଦ୍ରାବାଦ ଦଳରେ ଯୋଡ଼ି ହୋଇଛନ୍ତି। ହେଲେ ଫର୍ମ ହରାଇଥିବା ଆଜିଙ୍କ୍ୟ ରହାଣେ ତାଙ୍କ ମୂଳ ଦର ୫୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ନେବା ପାଇଁ କେବଳ ଚେନ୍ନାଇ ସୁପର କିଙ୍ଗ୍ସ ହିଁ ଆଗ୍ରହ ପ୍ରକାଶ କରିଥିଲା। ଦୁଇ ଭାରତୀୟ ଭେଟେରାନ୍ ଜୟଦେବ ଉନାଦ୍କଟ୍ ଏବଂ ଈଶାନ୍ତ ଶର୍ମା ନିଜ ନିଜ ପୂଳ ଦର (୫୦ ଲକ୍ଷ)ରେ ଯଥାକ୍ରମେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସକୁ ଯାଇଛନ୍ତି।