ବ୍ରହ୍ମପୁର: ‘ସମ୍ବାଦ ଡିଜିଟାଲ୍‌’ ତରଫରୁ ଆଜି ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ‘ଲେଟ୍‌ସ୍ ସଟଲ୍’ ଗୋପାଳପୁରସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ଦୁଇଦିନବ୍ୟାପି ହେବାକୁ ଥିବା ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ‌ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ସୁଶୀଲ ପ୍ରଧାନ, ସମ୍ବାଦ-ଡିଜିଟାଲ୍‌ର ଆଞ୍ଚଳିକ ପ୍ରବନ୍ଧକ ଏସ୍‌. ରବି ଶଙ୍କର, ବିଶ୍ବଜିତ ଉଦ୍ୟୋଗ-ମହିନ୍ଦ୍ରା ସୋ’ରୁମ୍‌ ପକ୍ଷରୁ ସୌମ୍ୟରଞ୍ଜନ ପଟ୍ଟନାୟକ, ଜିଏକେଏସ୍‌ ଫ୍ରାଗ୍ରାନ୍ସସେସ୍‌ କମ୍ପାନି ପକ୍ଷରୁ ସତ୍ୟନାରାୟଣ ସାହୁ ଯୋଗ ଦେଇଥିଲେ। ଅତିଥିମାନେ ‘ସମ୍ବାଦ’ ଗ୍ରୁପ୍‌ର କ୍ରୀଡ଼ା ପ୍ରତି ଥିବା ନିଷ୍ଠା ଓ ଦାୟିତ୍ୱବୋଧକୁ ବେଶ ପ୍ରଶଂସା କରିଥିଲେ। ଭୁବନେଶ୍ବରରେ ସଫଳତାର ସହିତ ଆୟୋଜନ ପରେ ‘ସମ୍ବାଦ ଓ କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ‘ଲେଟସ୍ ସଟଲ୍’ର ତୃତୀୟ ସଂସ୍କରଣକୁ ଆଞ୍ଚଳିକସ୍ତରକୁ ନିଆଯାଇଛି। ପ୍ରତିଯୋଗିତାରେ ସମସ୍ତ ମ୍ୟାଚ୍‌ ଡବଲସ୍ ଖେଳା ଯାଉଥିବା ବେଳେ ସମୁଦାୟ ୫୨ଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ତିନିଟି ବର୍ଗ ଯଥା କର୍ପୋରେଟ୍‌ (୨୫ ବର୍ଷରୁ ଊର୍ଦ୍ଧ୍ବ), ବରିଷ୍ଠ (୧୫ ବର୍ଷରୁ ଊର୍ଦ୍ଧ୍ବ) ଓ ଜମ୍ବଲଡ୍‌ (ଜଣେ ୫୦ ବର୍ଷରୁ ଊର୍ଦ୍ଧ୍ବ ଓ ଅନ୍ୟଜଣେ ୩୦ ବର୍ଷରୁ ଊର୍ଦ୍ଧ୍ବ)ରେ ଖେଳା ଯାଇଥିଲା। ବରିଷ୍ଠରେ ୨୬ଟି ମ୍ୟାଚ୍‌, କର୍ପୋରେଟ୍‌ରେ ୧୩ ଓ ଜମ୍ବଲଡ୍‌ରେ ୬ଟି ‌ମ୍ୟାଚ୍‌ ଖେଳା ଯାଇଥିଲା। 

Advertisment

ପ୍ରଥମ ଦିନରେ‌ ଖେଳାଯାଇଥିବା ବରିଷ୍ଠରେ ଅବିନାଶ ମୁନି ଓ ବି.ସ‌ରୋଜ ଦୋରା, ବିକ୍ରମ କେଶରୀ ପଣ୍ଡା, ରୁଦ୍ର ପ୍ରତାପ ସାମନ୍ତ, ଗୌରବଜିତ ପ୍ରଧାନ, ପ୍ରତିକ ଦଳାଇ, କେ.ବୈଷ୍ଣବ, ସମୀର ଘଣ୍ଟ, କର୍ପୋରେଟ୍‌ ମ୍ୟାଚରେ ଶିବପ୍ରସାଦ ପାଢ଼ୀ, ମୁରଲୀଧର ପତି, ସନ୍ତୋଷ କୁମାର ସାହୁ, ଲକ୍ଷ୍ମୀକାନ୍ତ ମଣ୍ଡଳ, କ୍ରିଷ୍ଣାଚନ୍ଦ୍ର ମହାକୁଡ଼, ଅମ୍ବିକା ପ୍ରସାଦ ପାତ୍ର, କେଶବ ଚନ୍ଦ୍ର ବେହେରା, ବି.ସରୋଜ ଦୋରା, ଜମ୍ବଲଡ୍‌ରେ ପ୍ରଦୀପ କୁମାର ଚୌଧୁରୀ, ମୁରଲୀଧର ପତି, ଅରୁଣ କୁମାର ପାଢ଼ୀ, ନରହରି ପାତ୍ର, ଯୁଧିଷ୍ଠିର ବେହେରା, ମନୋରଞ୍ଜନ ସେଠୀ, ମାନସ ରଞ୍ଜନ ରାଉଳ, ଏସ୍‌. ବିଶ୍ବମୋହନ ଆଚାର୍ଯ୍ୟ ପ୍ରମୁଖ ପ୍ରିକ୍ବାର୍ଟର୍‌ ଓ କ୍ବାର୍ଟରଫାଇନାଲ୍‌ରେ ବିଜୟୀ ‌ହୋଇଛନ୍ତି। ଆସନ୍ତାକାଲି ସେମିଫାଇନାଲ୍‌ ଓ ଫାଇନାଲ୍‌ ‌ମ୍ୟାଚ ଖେଳାଯିବ। ଆଞ୍ଚଳିକସ୍ତରରେ ପ୍ରତି ବିଭାଗର ବିଜେତାଙ୍କୁ ୫ ହଜାର ଟଙ୍କା, ଉପବିଜେତାଙ୍କୁ ୩ ହଜାର ଟଙ୍କା ଏବଂ ସେମିଫାଇନାଲ୍‌ ଖେଳିଥିବା ପ୍ରତିଯୋଗୀଙ୍କୁ ୨ ହଜାର ଟଙ୍କାର ପୁରସ୍କାର ସହିତ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ‘ସମ୍ବାଦ’ ପ୍ରତିନିଧି ଅନୀଲ ପଟ୍ଟନାୟକ, ଅମିତ କୁମାର ସାହୁ, ବାପୁନି ପରିଚ୍ଛା, କେଶବ ‌ବେହେରା, ବାବୁ ପଟ୍ଟନାୟକଙ୍କ ସମତେ ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ସଂଘର ସଦସ୍ୟ ଓ ସ୍ଥାନୀୟ କ୍ରୀଡ଼ାବିତ୍‌ ଉପସ୍ଥିତ ଥିଲେ।