‘ସମ୍ବାଦ’ ପ୍ରଭାବ: ଫୁଟ୍‌ବଲର୍‌ ରଶ୍ମିତାଙ୍କ ସମସ୍ତ ଦାୟିତ୍ବ ନେଲା ‘କିସ୍‌ ଫାଉଣ୍ଡେସନ’

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଉଦୀୟମାନ ମହିଳା ଫୁଟ୍‌ବଲ୍‌ ଖେଳାଳି ତଥା ଜଣେ ଗରିବ କନ୍ଧ ଆଦିବାସୀ ଝିଅ ରଶ୍ମିତା କହଁରଙ୍କ ସମ୍ପର୍କରେ ‘ସମ୍ବାଦ’ରେ ଏକ ବିଶେଷ ଖବର ପ୍ରକାଶ ପାଇଥିଲା। ଏହା ପରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ରଶ୍ମିତାଙ୍କ ଭବିଷ୍ୟତ ଗଢ଼ିବାକୁ ସହାୟତାର ହାତ ବଢ଼ାଇଛନ୍ତି। ଗରିବ ଆଦିବାସୀ ଝିଅ ରଶ୍ମିତାର ପଢ଼ା ଓ କ୍ରୀଡ଼ା ସଂକ୍ରାନ୍ତ ସମସ୍ତ ଖର୍ଚ୍ଚ ‘କିସ୍‌ ଫାଉଣ୍ଡେସନ୍’ ବହନ କରିବ ବୋଲି ଡକ୍ଟର ସାମନ୍ତ ଘୋଷଣା କରିଛନ୍ତି। ଅର୍ଥାଭାବ ଓ ଦାରିଦ୍ର୍ୟ କାରଣରୁ କୌଣସି କ୍ରୀଡ଼ା ପ୍ରତିଭା ଖେଳରୁ ବଞ୍ଚିତ ରହିବେ ନାହିଁ । ରଶ୍ମିତା ସମ୍ପର୍କରେ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଖବର ଦୃଷ୍ଟିକୁ ଆସିଲା, ତତ୍‌କ୍ଷଣାତ ‘କିସ୍‌ ଫାଉଣ୍ଡେସନ’ ତାଙ୍କୁ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସାଂସଦ ସୂଚନା ଦେଇଛନ୍ତି। ଫାଉଣ୍ଡେସନ ମାଗଣାରେ ରଶ୍ମିତାର ସମସ୍ତ ପଢ଼ା ଓ କ୍ରୀଡ଼ା ସଂକ୍ରାନ୍ତ ଖର୍ଚ୍ଚ ବହନ କରିବ ଏବଂ ରଶ୍ମିତା ଖୁବ୍‌ ଶୀଘ୍ର ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ବେନୁଡ଼ି ଗ୍ରାମର କନ୍ଧ ସମ୍ପ୍ରଦାୟର ଝିଅ ରଶ୍ମିତା କହଁର ଏବଂ ତାଙ୍କର କ୍ରୀଡ଼ା ପ୍ରତିଭାକୁ ନେଇ ଗତ ଫେବ୍ରୁଆରି ୧୭ ତାରିଖରେ ‘ସମ୍ବାଦ’ରେ ଏକ ବିଶେଷ ରିପୋର୍ଟ ପ୍ରକାଶ ପାଇଥିଲା। ରଶ୍ମିତା ନିଜର ପ୍ରତିଭା ବଳରେ ରାଜ୍ୟସ୍ତରରେ ଫୁଟ୍‌ବଲ୍ ଖେଳି ସୁନାମ ଅର୍ଜନ କରିଛନ୍ତି। ମାତ୍ର ଘୋର ଆର୍ଥିକ ଅନଟନ ପାଇଁ ସେ ଆଉ ଫୁଟ୍‌ବଲ୍‌ ଖେଳିପାରିବେ କି ନାହିଁ ସନ୍ଦେହ ସୃଷ୍ଟି ହୋଇଥିଲା। ତାଙ୍କ ବାପା ପରମେଶ୍ବର ଜଣେ ଭୂମିହୀନ ଦରିଦ୍ର କନ୍ଧ ଆଦିବାସୀ ସମ୍ପ୍ରଦାୟର ହୋଇ ଥିବାରୁ ଝିଅ ରଶ୍ମିତାଙ୍କ କ୍ରୀଡ଼ା ପ୍ରତିଭାର ବିକାଶ ତାଙ୍କ ପାଇଁ ବଡ଼ ଆହ୍ବାନ ପାଲଟିଥିଲା। ରଶ୍ମିତା‌ ଭଲ ଫୁଟ୍‌ବଲ୍ ଖେଳୁଥିବା ସତ୍ତ୍ବେ ଏବେ ବି ନିକଟସ୍ଥ ଜଙ୍ଗଲରୁ ଜାଳେଣୀ କାଠ ସଂଗ୍ରହ କରିଥାନ୍ତି ଏବଂ ବାପା, ମା’ଙ୍କୁ ଘର କାମରେ ସହଯୋଗ କରିଥାନ୍ତି। ଏଭଳି ସ୍ଥିତିରେ ପ୍ରଶାସନ କିମ୍ବା ଅନ୍ୟ କୌଣସି ବଦାନ୍ୟ ସଂସ୍ଥା ତାଙ୍କୁ ସହାୟତାର ହାତ ବଢ଼ାଇ ପାରିଲେ ରଶ୍ମିତାଙ୍କ କ୍ରୀଡ଼ା ପ୍ରତିଭା ଅଧିକ ବିକଶିତ ହୋଇପାରନ୍ତା ବୋଲି ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର