‘ସମ୍ବାଦ’ ବିଶ୍ବକପ୍‌ କୁଇଜ୍‌-୨୦୧୯ ପୁରସ୍କାର ପ୍ରଦାନ ଉତ୍ସବ, ପାଠକ ‘ସମ୍ବାଦ’ର ଅସଲ ସମ୍ପତ୍ତି: ସୌମ୍ୟରଂଜନ

‘ବଙ୍ଗଳାର ତ୍ରାହି ତ୍ରାହି ଡାକ’ ମନକୁ ଛୁଇଁଥିଲା: ଲଳିତେନ୍ଦୁ

ଭୁବନେଶ୍ବର: ଓଡ଼ିଶାବାସୀ କ୍ରୀଡ଼ାପ୍ରତି ଆକୃଷ୍ଟ ହେବାରେ ‘ସମ୍ବାଦ’ ପ୍ରମୁଖ ଭୂମିକା ତୁଲାଇ ଆସିଛି। ‘ସମ୍ବାଦ’ ହିଁ ରାଜ୍ୟର ପ୍ରଥମ ଖବରକାଗଜ ଭାବେ କ୍ରୀଡ଼ା ପାଇଁ ସ୍ବତନ୍ତ୍ର ଗୋଟିଏ ପୃଷ୍ଠା ଉତ୍ସର୍ଗ କରିଥିଲା। ପୂର୍ବରୁ ଅନ୍ୟ କେହି ଏଭଳି କରି ନଥିଲେ। ଓଡ଼ିଶାର କୋଣ ଅନୁକୋଣରେ ଥିବା ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିବା ଲାଗି ଏହା ମଧ୍ୟ ଏକାନ୍ତ ଅପରିହାର୍ଯ୍ୟ ଥିଲା। ‘ସମ୍ବାଦ ବିଶ୍ବକପ୍ କୁଇଜ୍-୨୦୧୯’ର ଭୁବନେଶ୍ବର ବିଜେତାଙ୍କ ପାଇଁ ଖାରବେଳନଗରସ୍ଥିତ ‘ଆମ ଓଡ଼ିଶା’ କାର୍ଯ୍ୟାଳୟରେ ଶନିବାର ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ରଣଜୀ ତାରକା ତଥା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏହା କହିଛନ୍ତି। ଏଭଳି ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରିଥିବାରୁ ସେ ମଧ୍ୟ ‘ସମ୍ବାଦ ପରିବାର’କୁ ସାଧୁବାଦ ଦେଇଥିଲେ।

ବିଧାୟକ ହେଲା ପରେ ମୁଁ ନିଶ୍ଚିତ ଭାବେ କହିବି ଯେ ଖବର କାଗଜର ପ୍ରଥମ ପୃଷ୍ଠାରେ ଆପଣ ହୁଏତ ଚୋରି, ଡକାୟତି ଓ ଦୁର୍ନୀତି ଖବର ପଢ଼ିବାକୁ ପାଉଥିବେ। କ୍ରୀଡ଼ା ପୃଷ୍ଠାରେ କିନ୍ତୁ କେବଳ ବିଜେତା ଓ ସଫଳ ବ୍ୟକ୍ତିଙ୍କ କାହାଣୀ ଦେଖିବାକୁ ମିଳେ। ମୁଁ ମଧ୍ୟ ଯେତେବେଳେ ଖେଳ ଜୀବନ ଆରମ୍ଭ କରିଥିଲି, କ୍ଲବ୍‌ସ୍ତରୀୟ ପ୍ରତିଯୋଗିତା ହେଉ କି ରାଜ୍ୟସ୍ତରୀୟ ମ୍ୟାଚ୍, ‘ସମ୍ବାଦ’ରେ ଯେଉଁ ଖବର ପ୍ରକାଶ ପାଉଥିଲା, ତାହା ଅମକୁ ଆହୁରି ଭଲ ଖେଳିବାକୁ ପ୍ରେରଣା ଓ ଉତ୍ସାହ ଯୋଗାଇ ଦେଉଥିଲା। ମ୍ୟାଚ୍ ଖେଳିଲା ପରଦିନ ସକାଳୁ ‘ସମ୍ବାଦ’ରେ କ’ଣ ବାହାରିଲା ତାକୁ ଆମେ ଚାତକ ଭଳି ଚାହିଁ ରହୁଥିଲୁ। ମୋର ଆଜି ବି ମନେ ପଡ଼ୁଛି, ୧୯୮୪ରେ ଯେତେବେଳେ ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫିରେ ଓଡ଼ିଶା ପ୍ରଥମ ଥର ପାଇଁ ଅଗ୍ରଣୀ ଲାଭ କରିଥିଲା, ସେତେବେଳେ ‘ସମ୍ବାଦ’ କରିଥିବା ଶିରୋନାମା ‘ଲଳିତେନ୍ଦୁଙ୍କ ସ୍ପିନ୍ ମାଡ଼ରେ ବଙ୍ଗଳାର ତ୍ରାହି ତ୍ରାହି ଡାକ’ ମୋର ମନକୁ ଛୁଇଁ ଯାଇଥିଲା। ଆଜି ବି ସମ୍ବାଦ କ୍ରୀଡ଼ାପୃଷ୍ଠା ଯୁବ ଖେଳାଳିଙ୍କୁ ସେହିଭଳି ଅନୁପ୍ରେରିତ କରି ଆସୁଛି। କେବଳ କ୍ରିକେଟ୍ ନୁହେଁ, ଅନ୍ୟ ଖେଳ ସହ ଗ୍ରାମାଞ୍ଚଳରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାର ନିଖୁଣ ଉପସ୍ଥାପନା ‘ସମ୍ବାଦ’ରେ ପ୍ରକାଶ ପାଇ ଆସୁଛି। ଖେଳ ପ୍ରତି ଆଜିକାର ପାଠକଙ୍କର ଥିବା ସଚେତନତା ବ୍ୟକ୍ତିଗତ ଭାବେ ମୋତେ ବହୁତ ଖୁସି ଦେଇଛି।

ଆଜିର ଏହି ଉତ୍ସବରେ ‘ସମ୍ବାଦ’ର ସଂପାଦକ ଓ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଧାରଣ ଜୀବନରେ କ୍ରୀଡ଼ାର ଗୁରୁତ୍ବ ଉପରେ ମତ ପ୍ରକା‌ଶ କରିଥିଲେ। ‘ଆମ ଓଡ଼ିଶା’ର ସଂପାଦକ (ପ୍ରକାଶନ) ଅସିତ ମହାନ୍ତି ଏବଂ ‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ର ଉତ୍ସବର ଅନ୍ୟତମ ଅତିଥି ଥିଲେ। ଉଭୟ ନିଜ ନିଜ ଶୈଳୀରେ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଉତ୍ସବରେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ।

ଭୁବନେଶ୍ବର: ପାଠକ ‘ସମ୍ବାଦ’କୁ ଏକନମ୍ବର କରିଛନ୍ତି। ସେମାନଙ୍କ ମତାମତ ‌ଓ ଫୋନ୍ କଲ୍ ହିଁ ‘ସମ୍ବାଦ’ର ଅସଲ ସମ୍ପତ୍ତି। ‘ସମ୍ବାଦ’ର ବିଭିନ୍ନ ବିଭାଗ, ସେ ଖେଳ ହେଉକି ଫିଚର, ପାଠକଙ୍କ ସହ ସେସବୁର ଅନ୍ତରଙ୍ଗ ସଂପର୍କ ସ୍ଥାପନ ହୋଇଛି, ଯାହାକୁ ଭାଙ୍ଗିବା କିମ୍ବା କାଟିବା ଏତେ ସହଜ ନୁହେଁ। ଏହି ପାଠକମାନେ ହିଁ ସମ୍ବର୍ଧନାର ପାତ୍ର। ସେମାନେ ‘ସମ୍ବାଦ’ ଖେଳ ପୃଷ୍ଠାକୁ ସମର୍ଥନ କରି, ତାକୁ ସମୃଦ୍ଧ କରିଛନ୍ତି। ଏହାର ଗୁରୁତ୍ବକୁ ପାଠକମାନେ ହିଁ ବଢ଼ାଇଛନ୍ତି। ଆଜି ଆମେ ଏହି ଉତ୍ସବ ମାଧ୍ୟମରେ ସେହି ଋଣକୁ କିଛିଟା ପରିଶୋଧ କରିବାକୁ ଚେଷ୍ଟା କରିଛୁ। ‘ସମ୍ବାଦ ବିଶ୍ବକପ୍ କୁଇଜ୍-୨୦୧୯’ ବିଜେତାଙ୍କ ପାଇଁ ଆମ ଓଡ଼ିଶା କାର୍ଯ୍ୟାଳୟରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ‘ସମ୍ବାଦ’ର ସଂପାଦକ ଓ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଥି‌ଲେ। ବିଶ୍ବକପ୍ କୁଇଜ୍‌ରେ ହଜାର ହଜାର ସଂଖ୍ୟାରେ ଅଂଶଗ୍ରହଣ କରିଥିବାରୁ ଶ୍ରୀ ପଟ୍ଟନାୟକ ଏହି ଅବସରରେ ସମସ୍ତ ପାଠକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିଭଳି ‘ସମ୍ବାଦ’ କିଭଳି ଭାବେ ଖେଳକୁ ଗୋଟିଏ ପୃଷ୍ଠା ଉତ୍ସର୍ଗ କରିବାର ସାହସିକ ନିଷ୍ପତ୍ତି ‌ନେଇଥିଲା, ତା ଉପରୁ ପରଦା ଉଠାଇଥିଲେ। ସେ କହିଥିଲେ, ପୂର୍ବରୁ ଓଡ଼ିଶାର ଖବରକାଗଜଗୁଡ଼ିକରେ ମାତ୍ର ଗୋଟିଏ କଲମର ଖେଳ ଖବର ପ୍ରକାଶ ପାଉଥିଲା। ହେଲେ ଧାରା ବିପରୀତ ‘ସମ୍ବାଦ’ ଖେଳକୁ ସଂପୂର୍ଣ୍ଣ ଗୋଟିଏ ପୃଷ୍ଠା ଉତ୍ସର୍ଗ କରିଥିଲା। ସେଥିପାଇଁ ଅନେକ ସମୟରେ ‘ସମ୍ବାଦ’ର ପ୍ରଥମ ସଂପାଦକଙ୍କ ସହ ମୋର ମତପାର୍ଥକ୍ୟ ମଧ୍ୟ ହୋଇଥିଲା। ତେବେ ଖେଳ ପୃଷ୍ଠା ମାଧ୍ୟମରେ ‘ସମ୍ବାଦ’ ଓଡ଼ିଶାର ଯୁବ ପିଢ଼ିଙ୍କ ସହ ଅଧିକ ମାତ୍ରାରେ ଯୋଡ଼ି ହୋଇପାରିଥିଲା। ଯାହା ପରବର୍ତୀ ସମୟରେ ସେ ହୃଦୟଙ୍ଗମ କରିଥିଲେ। ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ‘ସମ୍ବାଦ’କୁ ଏହି ଭଳି ଭାବେ ଭଲପାଇବା ଜାରି ରଖିବା ସହ ‘ସମ୍ବାଦ’ ପଢ଼ିବାର ଅଭ୍ୟାସକୁ ବଳବତ୍ତର ରଖିବାକୁ ଶ୍ରୀ ପଟ୍ଟନାୟକ ପାଠକଙ୍କୁ ଆହ୍ବାନ କରିଥିଲେ।

କ୍ରିକେଟ୍ ବିଶ୍ବକପ୍ କୁଇଜ୍ ଉପରେ ନିଜ ମତ ପ୍ରକାଶ କରିବାକୁ ଯାଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କ୍ରିକେଟ୍ ଭାରତ ବର୍ଷରେ ଅନେକ ସମ୍ଭାବନା ସୃଷ୍ଟି କରିଛି। ଆମ ପିଲାଙ୍କ ମନରେ ଉତ୍ସାହ ଭରି ଦେଇଛି। ସେହିଭଳି ବଡ଼ ହେବାର ଇଚ୍ଛାଶକ୍ତିକୁ ବହୁ ଗୁଣ କରିଛି। ଏହି କ୍ରମରେ ସେ ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ବ୍ୟକ୍ତିତ୍ବ କପିଳ ଦେବ ଏବଂ ନବାବ ପଟୌଦିଙ୍କ ଉଦାହରଣ ଦେଇଥିଲେ। ପିତାଙ୍କଠାରୁ ଉପହାର ପାଇଥିବା ରୁପା ବ୍ୟାଟ୍‌ରୁ ପ୍ରେରଣା ନେଇ ପଟୌଦି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ହୋଇ ପାରିଥିଲେ। ଦୁର୍ଘଟଣାରେ ଗୋଟିଏ ଆଖି ହରାଇବା ସତ୍ତ୍ବେ ନିଜ ସମୟରେ ଅନ୍ୟତମ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନର ମାନ୍ୟତା ପାଇଥିଲେ। କପିଳଙ୍କୁ ତାଙ୍କ ଖେଳ ଶିକ୍ଷକ କ୍ରିକେଟ୍ ନ ଖେଳିବାକୁ ପରାମର୍ଶ ‌ଦେଇଥିଲେ। ହେଲେ ପ୍ରବଳ ଇଚ୍ଛାଶକ୍ତି ବଳରେ ସେ ଏକଦା ବିଶ୍ବର ଅଗ୍ରଣୀ ଦ୍ରୁତ ବୋଲର ହୋଇ ପାରିଥିଲେ। କପିଳ ମଧ୍ୟ ଗତ ଶତାବ୍ଦୀର ଶ୍ରେଷ୍ଠ ଭାରତୀୟ କ୍ରିକେଟର୍‌ ମନୋନୀତ ହୋଇଥିଲେ। କ୍ରିକେଟ୍‌ର ଅନେକ ଭଲ କଥା ସହ ଏହି ବିଦେଶୀ ଖେଳର ନକାରାତ୍ମକ ପ୍ରଭାବ ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଥିଲେ। ସମସ୍ତେ ଏବେ କ୍ରି‌କେଟ୍ ଖେଳିବାକୁ ଚାହୁଁଛନ୍ତି। ଏହି ଖେଳ ଏବେ ପୂରା ବ୍ୟାପି ଯାଇଛି। କ୍ରିକେଟ୍ ଖେଳ ଭିତରେ ଭେଦଭାବ ସୃଷ୍ଟି କରିଛି। ହକି ଏବଂ ଅଲିମ୍ପିକ୍ସ ଭଳି ଖେଳକୁ ଯେତିକି ଗୁରୁତ୍ବ ମିଳିବା କଥା ମିଳୁନି। କ୍ରିକେଟ୍ ପ୍ରେମୀ କ୍ରିକେଟକୁ ଭଲ ପାଆନ୍ତୁ, ହେଲେ ଅନ୍ୟ ଖେଳକୁ ମଧ୍ୟ ସମାନ ଭାବେ ସ୍ନେହ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଥିଲେ। ଉତ୍ସବରେ ଶ୍ରୀ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କ୍ରୀଡ଼ା ପ୍ରତି ଥିବା ଭଲ ପାଇବାକୁ ‌ମଧ୍ୟ ମନେ ପକାଇଥିଲେ।

ସମ୍ବନ୍ଧିତ ଖବର