ପୂର୍ବାଞ୍ଚଳ ଜୋନ୍ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷହକି
ରାଉରକେଲା: ସର୍ବାଧିକ ପଏଣ୍ଟ୍ ହାସଲକରି ସମ୍ବଲପୁର ଦଳ ପୂର୍ବାଞ୍ଚଳ ଜୋନ୍ ବିଜେତା ହୋଇଛି। ଏହାସହ ମହାତ୍ମା ଗାନ୍ଧି କାଶୀ ବିଦ୍ୟାପୀଠ(ବାରାଣାସୀ) ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ତୃତୀୟ ଓ କିଟ୍ ବିଶ୍ବବିଦ୍ୟାଳୟ ଚତୁର୍ଥ ସ୍ଥାନରେ ରହିଛି। ପୂର୍ବରୁ ସର୍ବଭାରତୀୟ ଯୋଗ୍ୟତା ହାସଲ କରିଥିବା ଏହି ୪ ଦଳ ପରସ୍ପର ମଧ୍ୟରେ ତିନିଟି ଲେଖାଏ ମ୍ୟାଚ୍ ଖେଳିଥିଲେ। ଏହି ପର୍ଯ୍ୟାୟରେ ସମ୍ବଲପୁର ସମସ୍ତ ୩ଟି ଯାକ ମ୍ୟାଚ୍କୁ ଜିତିନେଇଥିବାବେଳେ ମହାତ୍ମା ଗାନ୍ଧି କାଶୀ ବିଦ୍ୟାପୀଠ ୨ଟି ଓ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ଗୋଟିଏ ମ୍ୟାଚ୍ରେ ବିଜୟୀ ହୋଇଛି। ଅପରପକ୍ଷରେ କିଟ୍ ସମସ୍ତ ୩ଟି ମ୍ୟାଚ୍ରେ ପରାଜୟ ବରଣ କରିବାରୁ ଚତୁର୍ଥ ସ୍ଥାନରେ ରହିଛି।
ରବିବାର ଶେଷଦିନରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା। ସମ୍ବଲପୁର ବିଶ୍ବବିଦ୍ୟାଳୟ ଅପରାଜେୟ ଧାରା ଅବ୍ୟାହତ ରଖି ୨-୦ ଗୋଲରେ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଛି। ସମ୍ବଲପୁର ଦଳ ପ୍ରଥମ କ୍ବାର୍ଟର୍ରେ ଉଭୟ ଗୋଲ୍ ଦେଇଥିଲା। ଦଳର ପ୍ରଦୀପ ମଣ୍ଡଳ ୮ମ ମିନିଟ୍ରେ ଗୋଟିଏ ଗୋଲ୍ ଦେଇଥିବାବେଳେ ୧୨ତମ ମିନିଟ୍ରେ ରାଜକୁମାର ମିଞ୍ଜ ଗୋଟିଏ ଗୋଲ୍ ଦେଇଥିଲେ।
ଦ୍ବିତୀୟ ମ୍ୟାଚ୍ରେ ମହାତ୍ମା ଗାନ୍ଧି କାଶୀ ବିଦ୍ୟାପୀଠ ୪-୧ ଗୋଲ୍ରେ କିଟ୍କୁ ପରାସ୍ତ କରିଛି। ମହାତ୍ମା ଗାନ୍ଧି କାଶୀ ବିଦ୍ୟାପୀଠର ଅଧିନାୟକ ସୁଜିତ କୁମାର(୮ ମିନିଟ), ଦୀପକ ସିଂହ ଫର୍ଟ୍ୟାଲ(୯), ଲଳିତ ନେଗୀ(୪୯) ଓ ଅଭିଶେକ ଯାଦବ(୫୧) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। କିଟ୍ର ବିଶ୍ରା ଏକ୍କା(୪୭) ଏକମାତ୍ର ଗୋଲ୍ ଦେଇ କେବଳ ବ୍ୟବଧାନ ହ୍ରାସ କରିଥିଲେ। ଉଦ୍ଯାପନୀ ଉତ୍ସବରେ ଜେ.ପି. ଗ୍ରୁପ୍ ହସପିଟାଲା ଅଧ୍ୟକ୍ଷ ସଞ୍ଜୟ ବଂଶଲ, ଆୟୋଜକ କମିଟି ଅଧ୍ୟକ୍ଷ ଡ. ସନାତନ ପ୍ରଧାନ, ସଂପାଦକ କ୍ୟାପଟେନ୍ ଏସ.ଏନ.ରାଉତ ପ୍ରମୁଖ ଉପସ୍ଥିତଥିଲେ।